ନୂଆଦିଲ୍ଲୀ,୩୧।୧୦: ନ୍ୟୁଜିଲାଣ୍ଡ ମାଟିରେ ଲଗାତାର ୩ଟି ମ୍ୟାଚ ଜିତିବା ପରେ ଚତୁର୍ଥ ଟି-୨୦ ମ୍ୟାଚରେ ପରାଜୟର ସାମ୍ନା କରିଛି ଟିମ ଇଣ୍ଡିଆ। ଅକଲାଣ୍ଡରେ ଖେଳାଯାଇଥିବା ଚତୁର୍ଥ ଟି-୨୦ ମ୍ୟାଚରେ ଭାରତକୁ ୮୭ ରନରେ ହରାଇଛି ନ୍ୟୁଜିଲାଣ୍ଡ। ଦୀର୍ଘ ସାଢ଼େ ୬ ବର୍ଷ ପରେ ନିଜ ଘରୋଇ ମାଟିରେ ଭାରତ ବିପକ୍ଷରେ ପ୍ରଥମ ଥର ପାଇଁ ଟି-୨୦ ମ୍ୟାଚ ଜିତିଛି କିୱି ଦଳ। ଏହି ବିଜୟ ପରେ କିୱି ଅଧିନାୟକ ମିଚେଲ ସାଣ୍ଟନର କ’ଣ କହିଛନ୍ତି, ଆସନ୍ତୁ ଜାଣିବା।
ଚତୁର୍ଥ ଟି-୨୦ ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ୨୦ ଓଭରରେ ୨୫୯ ରନର ବିଶାଳ ସ୍କୋର କରିଥିଲା। ଏହାର ଜବାବରେ ଭାରତୀୟ ଦଳ ମାତ୍ର ୧୭୨ ରନ କରିବାକୁ ସକ୍ଷମ ହୋଇଥିଲା। ମ୍ୟାଚ ପରେ ମିଚେଲ ସାଣ୍ଟନର କହିଥିଲେ, ହଁ, ଆମେ ପୁଣି ଥରେ ଟସ ହାରିଥିଲୁ। କିନ୍ତୁ ମୋ ମତରେ ପବନ ଯୋଗୁ ଶୁକ୍ରବାର ରାତିରେ କାକରର ପ୍ରଭାବ ସେତେଟା ନଥିଲା। ୨୬୦ ରନର ଲକ୍ଷ୍ୟ ନିଶ୍ଚିତ ଭାବେ ଭଲ ସ୍କୋର। କିନ୍ତୁ ଭାରତ ଭଳି ଶକ୍ତିଶାଳୀ ଖେଳାଳିଙ୍କ ବିପକ୍ଷରେ ଜିତିବାକୁ ହେଲେ ଭଲ ବୋଲିଂ କରିବା ଜରୁରୀ। ମୋ ମତରେ ଆମେ ତାହା ହିଁ କରିଛୁ।
ସେ ଆହୁରି କହିଥିଲେ, ଆମେ ପିଚକୁ ଭଲ ଭାବେ ବୁଝିପାରିଥିଲୁ। ଆରମ୍ଭରେ ବଲ ଦ୍ରୁତ ଗତିରେ ବ୍ୟାଟରୁ ଆସୁଥିଲା। ଏହାପରେ ଆମେ ସମାନ ଲେନ୍ଥରେ ବୋଲିଂ ଜାରି ରଖିଥିଲୁ। ବ୍ୟାଟରମାନେ ମଧ୍ୟ ଚମତ୍କାର ବ୍ୟାଟିଂ କରିଥିଲେ। ଆରମ୍ଭରୁ ହିଁ ଆମେ ଉଇକେଟ୍ ନେବାରେ ସଫଳ ହୋଇଥିଲୁ, ଯାହା ପାୱାରପ୍ଲେରେ ବେଶ ଗୁରୁତ୍ୱପୂର୍ଣ୍ଣ।
ସାଣ୍ଟନର ଆହୁରି କହିଛନ୍ତି, ଏହି ମ୍ୟାଚରେ ଆମର ଲାଇନ ଓ ଲେନ୍ଥ ବହୁତ ଭଲ ଥିଲା। ପିଚକୁ ମଧ୍ୟ ଆମକୁ କିଛି ସହାୟତା ମିଳିଥିଲା। ଅଧିକାଂଶ ମ୍ୟାଚରେ ଆମେ ଏଭଳି ପିଚ ଚାହିଁଥାଉ। ଭଲ ବାଉନ୍ସ ଥିବା ପିଚ ମିଳିବା ସହ ଯଦି ଆମେ ସଠିକ ସ୍ଥାନରେ ବୋଲିଂ କରିପାରିବୁ, ତେବେ ସବୁକିଛି ଭଲ ହୋଇଥାଏ।
ଅକଲାଣ୍ଡର ପଡ଼ିଆକୁ ବୋଲରଙ୍କ ପାଇଁ ବେଶ ଆହୱାନପୂର୍ଣ୍ଣ ବୋଲି ବିବେଚନା କରାଯାଏ। କାରଣ ଏଠାରେ ସିଧା ବାଉଣ୍ଡାରୀ ବହୁତ ଛୋଟ। ତଥାପି ଭାରତକୁ ୯ ଉଇକେଟ୍ ବିନିମୟରେ ୧୭୨ ରନର ଅଟକାଇବାରେ ସଫଳ ହୋଇଥିବାରୁ ନିଜ ଦଳର ବୋଲିଂ ପ୍ରଦର୍ଶନରେ ସାଣ୍ଟନର ବେଶ ଖୁସି ଥିଲେ।
ସେ କହିଥିଲେ, ମୁଁ ଆମ ଦଳର ପ୍ରଦର୍ଶନରେ ବହୁତ ଖୁସି। ଏହା ଏକ କଷ୍ଟକର ପଡ଼ିଆ। ଆମେ ଭାରତୀୟ ବ୍ୟାଟରଙ୍କୁ ଦ୍ରୁତ ଗତି ଓ ଭଲ ବାଉନ୍ସ ଥିବା ବଲ୍ର ସାମ୍ନା କରିବାକୁ ବାଧ୍ୟ କରିଥିଲୁ। ଫଳରେ ସେମାନଙ୍କୁ କଠିନ ସଟ ଖେଳିବାକୁ ପଡ଼ିଥିଲା। କିଛି ବଲ ଆକାଶକୁ ଉଠିଥିଲା, ଯାହା ଆମ ପାଇଁ ଭଲ ଥିଲା। ଯଦିଓ ଆମେ କିଛି କ୍ୟାଚ ଛାଡ଼ିଥିଲୁ, ତଥାପି ଏଠାରେ ପବନ ଯୋଗୁ ବଲର ଦିଗ ବଦଳିବା ସାଧାରଣ କଥା।