ଥିମ୍ପୁ, ୩୧ା୧୦: ଭୁଟାନରେ ଏକ ଗ୍ଲେସିଅର ହ୍ରଦ ଭାଙ୍ଗିବା ଜନିତ ବନ୍ୟା(ଜିଏଲ୍ଓଏଫ୍) କାରଣରୁ ଉତ୍ତର ପଶ୍ଚିମବଙ୍ଗର କେତେକ ଅଞ୍ଚଳରେ ଉଚ୍ଚ ବନ୍ୟା ସତର୍କତା ଜାରି କରାଯାଇଛି। ସଙ୍କୋଶ ନଦୀ ଏବଂ ଏହାର ଶାଖା ନଦୀଗୁଡ଼ିକର କୂଳରେ ଥିବା ବିପଦସଙ୍କୁଳ ଅଞ୍ଚଳରୁ ବାସିନ୍ଦାମାନଙ୍କୁ ସ୍ଥାନାନ୍ତର କରିବା ପାଇଁ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଉଛି ବୋଲି ଶୁକ୍ରବାର ଅଧିକାରୀମାନେ କହିଛନ୍ତି। ଗୁରୁବାର ବିଳମ୍ବିତ ରାତିରେ ପ୍ରଶାସନ ପକ୍ଷରୁ ଜାରି କରାଯାଇଥିବା ସ୍ଥାନାନ୍ତର ନିର୍ଦ୍ଦେଶ ପରେ ଆଲିପୁରଦ୍ୱାର ଜିଲାର ନଦୀକୂଳିଆ ଗ୍ରାମଗୁଡ଼ିକର ବାସିନ୍ଦାମାନେ ନିଜ ବାସସ୍ଥାନ ଛାଡ଼ିବା ଆରମ୍ଭ କରିଦେଇଛନ୍ତି। ଜଳସମ୍ପଦ ଅନୁସନ୍ଧାନ ଏବଂ ବିକାଶ ମନ୍ତ୍ରୀ ନିଶିତ ପ୍ରାମାଣିକ କହିଛନ୍ତି, ଭୁଟାନର ଲେମଥାଙ୍ଗ ଅଞ୍ଚଳରେ ଥିବା ସିନ୍ତାଫୁ ହ୍ରଦରେ ଏହି ବିସ୍ଫୋରଣ ଘଟିଛି। ଫଳରେ ମୋ (ମୋଫୁ) ନଦୀକୁ ବହୁ ପରିମାଣର ଜଳ ପ୍ରବାହିତ ହୋଇଛି ଏବଂ ଏହି ନଦୀଟି ସଙ୍କୋଶ ନଦୀ ସହ ମିଶିଛି। ପ୍ରାୟ ୭.୪ ମିଲିୟନ କ୍ୟୁବିକ ମିଟର ପାଣି ଏହି ଭାଙ୍ଗିଯାଇଥିବା ହ୍ରଦରୁ ପ୍ରବାହିତ ହୋଇଥିବା ଜଣାପଡ଼ିଛି, ଯାହା ପଶ୍ଚିମବଙ୍ଗ-ଆସାମ ସୀମାରେ ସଙ୍କୋଶ ନଦୀର ଜଳସ୍ତର ହଠାତ ବୃଦ୍ଧି ପାଇବା ନେଇ ଆଶଙ୍କା ସୃଷ୍ଟି କରିଛି। ସଙ୍କୋଶ ଏବଂ ବ୍ରହ୍ମପୁତ୍ର ନଦୀରେ ବନ୍ୟା ଆସିବାର ଆଶଙ୍କା ଥିବାରୁ କୁଚବିହାର, ତୁଫାନଗଞ୍ଜ ଏବଂ ବସିରହାଟର ଚା’ ବଗିଚା ଏବଂ ନଦୀଶଯ୍ୟା ନିକଟରେ ରହୁଥିବା ବାସିନ୍ଦାମାନେ ତୁରନ୍ତ ସ୍ଥାନାନ୍ତର ହେବା ଆବଶ୍ୟକ ବୋଲି ମନ୍ତ୍ରୀ କହିଛନ୍ତି। ରାମପୁର-୧ ଗ୍ରାମ ପଞ୍ଚାୟତ ଅଧୀନରେ ଥିବା ନଦୀକୂଳିଆ ବସତିଗୁଡ଼ିକରେ ବାସିନ୍ଦାମାନଙ୍କୁ ଘର ଛାଡ଼ି ଆଶ୍ରୟସ୍ଥଳୀକୁ ଚାଲିଯିବାକୁ କୁହାଯାଇଛି।
୬ରୁ ୮ ଘଣ୍ଟା ମଧ୍ୟରେ ସୀମାନ୍ତ ଅଞ୍ଚଳରେ ପହଞ୍ଚିପାରେ, ଯାହା ପଶ୍ଚିମବଙ୍ଗ ଏବଂ ଆସାମର ବିପଦସଙ୍କୁଳ ବସତିଗୁଡ଼ିକୁ ଜଳମଗ୍ନ କରିବାର ଆଶଙ୍କା ରହିଛି। ଉଦ୍ଧାର ଓ ସହାୟତା କାର୍ଯ୍ୟ ପାଇଁ ଏସ୍ଡିଆର୍ଏଫ୍ ଏବଂ ଏନ୍ଡିଆର୍ଏଫ୍ର ଟିମଗୁଡ଼ିକୁ ସତର୍କ କରାଯାଇଛି ବୋଲି ପ୍ରାମାଣିକ କହିଛନ୍ତି।
ଭାରତୀୟ ପାଣିପାଗ ବିଭାଗ ମଧ୍ୟ ଶୁକ୍ରବାର ଆଲିପୁରଦ୍ୱାରରେ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରିଛି। ଏହି ହଠାତ୍ ଜଳସ୍ତର ବୃଦ୍ଧି ଯୋଗୁ ଭାରତ-ଭୁଟାନ ମିଳିତ ଉଦ୍ୟୋଗ ପୁନାତସାଙ୍ଗଛୁ ଜଳବିଦ୍ୟୁତ ପ୍ରକଳ୍ପର ଭିତ୍ତିଭୂମି ପ୍ରତି ବିପଦ ସୃଷ୍ଟି ହୋଇପାରେ।
କେନ୍ଦ୍ର ଜଳ ଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ଜାରି ହୋଇଥିବା ଏକ ପରାମର୍ଶବଳୀରେ କୁହାଯାଇଛି ଯେ, ଭାରତୀୟ ଦୂତାବାସ ଭୁଟାନର ପୁନାତସାଙ୍ଗଛୁ ନଦୀ ଅବବାହିକାରେ ଥିବା ସିନ୍ତାଫୁ ହ୍ରଦରେ ହିମଶୈଳ ହ୍ରଦ ଭାଙ୍ଗିଥିବା ସୂଚନା ଦେଇଛି। ନଦୀର ଉପର ମୁଣ୍ଡରେ ଆକସ୍ମିକ ବନ୍ୟା ଆସିଥିବା ରିପୋର୍ଟକୁ ଦର୍ଶାଇ ମନ୍ତ୍ରଣାଳୟ ଚେତାବନୀ ଦେଇଛି ଯେ, ଆସାମର ଧୁବୁରୀ ଏବଂ ପଶ୍ଚିମବଙ୍ଗର ଆଲିପୁରଦ୍ୱାର ଜିଲାରେ ସଙ୍କୋଶ ନଦୀର ଜଳସ୍ତର ହଠାତ ବୃଦ୍ଧି ପାଇପାରେ। ଭୁଟାନରେ ଗ୍ଲେସିଅର ହ୍ରଦ ଫାଟିବା ଯୋଗୁ ସୃଷ୍ଟି ହୋଇଥିବା ସ୍ଥିତି ଉପରେ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା କଡ଼ା ନଜର ରଖିଛନ୍ତି। ଧୁବୁରୀ ଜିଲା ପ୍ରଶାସନର ଟିମ ତୃଣମୂଳ ସ୍ତରରେ ପ୍ରସ୍ତୁତ ଅଛି ଏବଂ ଏହାର ପ୍ରଭାବକୁ ସଫଳତାର ସହ ମୁକାବିଲା କରିବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି। ଶୁକ୍ରବାର ସକାଳ ୬ଟା ୩୦ମିନିଟ ସୁଦ୍ଧା ସଙ୍କୋଶ ନଦୀର ଜଳସ୍ତର ସ୍ଥିର ରହିଥିଲା, ତଥାପି ଜିଲା ପ୍ରଶାସନ ଏବଂ ସହାୟତା ବାହିନୀ ସତର୍କ ରହିଛନ୍ତି।