ନୂଆଦିଲ୍ଲୀ,୨୩।୧୧: ତାମିଲନାଡୁ ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟଙ୍କ ବନ୍ଧୁ ତଥା ଅଭିନେତ୍ରୀ ତ୍ରିଷା କୃଷ୍ଣନ କ’ଣ ରାଜନୀତିରେ ପାଦ ଥାପିବେ? ଏହାକୁ ନେଇ ଏବେ ଚର୍ଚ୍ଚା ଜୋର୍ ଧରିଛି। ସୋମବାର (ନଭେମ୍ବର ୨୩) ତାଙ୍କ ନାଁରେ କିଛି କଥିତ ସମର୍ଥକ ତିରୁନେଲଭେଲିରେ ‘ୟଙ୍ଗ ରିଭଲ୍ୟୁସନାରୀ ଲିଡର ତ୍ରିଷା ଫୋରମ’ ନାମକ ଏକ ସଂଗଠନର ଶୁଭାରମ୍ଭ କରିଛନ୍ତି।
ଫୋରମର ପୋଷ୍ଟରରେ ତ୍ରିଷା ସବୁଜ ରଙ୍ଗର ଶାଢ଼ି ପିନ୍ଧି ହାତ ଯୋଡ଼ିଥିବା ନଜର ଆସିଛନ୍ତି। ଏହାର ଲୋଗୋ ଡିଜାଇନରେ ମଧ୍ୟ ସବୁଜ ରଙ୍ଗର ବ୍ୟବହାର କରାଯାଇଛି। ଏହି ରଙ୍ଗ ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜେ. ଜୟଲଳିତାଙ୍କ ନେତୃତ୍ୱାଧୀନ ଏଆଇଏଡିଏମକେ (AIADMK) ସହ ଜଡ଼ିତ।
ସମର୍ଥକମାନେ କହିଛନ୍ତି, ତ୍ରିଷା କୃଷ୍ଣନ ରାଜନୀତିକୁ ଆସିବେ ଏବଂ ଆମ ସହ ଯୋଡ଼ି ହେବେ ବୋଲି ଆଶା ରଖି ଆମେ ଏହି ଫୋରମର ଶୁଭାରମ୍ଭ କରିଛୁ। କ୍ଷମତାର ପଦପଦବି ହାସଲ କରିବା ଆମର ଲକ୍ଷ୍ୟ ନୁହେଁ, ବରଂ ତାମିଲନାଡୁବାସୀଙ୍କ ଅଧିକାର ପାଇଁ ଲଢ଼େଇ କରିବା ଆମର ଉଦ୍ଦେଶ୍ୟ ବୋଲି ସେମାନେ କହିଛନ୍ତି।
ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ବିଜୟଙ୍କ ନିର୍ବାଚନୀ ପ୍ରଚାରଠାରୁ ଆରମ୍ଭ କରି ଏପର୍ଯ୍ୟନ୍ତ ଅନେକ ଅବସରରେ ତ୍ରିଷା ତାଙ୍କ ସହ ନଜର ଆସିଛନ୍ତି।
ଏହାବ୍ୟତୀତ ବ୍ରିଟେନରେ ଅଜିତ କୁମାରଙ୍କ ରେସିଂ ଇଭେଣ୍ଟରେ ମଧ୍ୟ ଉଭୟ ଏକାଠି ପହଞ୍ଚିଥିଲେ। ଏହା ପୂର୍ବରୁ ସ୍ବାଧୀନତା ଦିବସ କାର୍ଯ୍ୟକ୍ରମରେ ମଧ୍ୟ ଅଭିନେତ୍ରୀ ପ୍ରଥମ ଧାଡ଼ିରେ ବସିଥିବା ଦେଖିବାକୁ ମିଳିଥିଲା। ତ୍ରିଷାଙ୍କୁ ନେଇ ବିରୋଧୀ ଦଳଗୁଡ଼ିକ ସମୟ ସମୟରେ ବିଭିନ୍ନ କଟାକ୍ଷ ମଧ୍ୟ କରିଆସୁଛନ୍ତି।