Categories: ଜାତୀୟ

୨୫ ବର୍ଷରେ ୬ ଥର ଦଳ ବଦଳ ପରେ ନିଜର ପାର୍ଟି ଗଠନ କରିଥିଲେ ମୁଲାୟମ…

ନୂଆଦିଲ୍ଲୀ,୧୦।୧୦ : ମୁଲାୟମ ସିଂ ଯାଦବ ନିଜ ରାଜନୈତିକ ଜୀବନରେ ୨୫ ବର୍ଷରେ ୬ ଥର ଦଳ ବଦଳ କରିବପରେ ନିଜର ପାର୍ଟି ଗଠନ କରିଥିଲେ। ୧୯୬୭ ମସିହାରେ ସଂୟୁକ୍ତ ସୋସାଲିଷ୍ଟ ପାର୍ଟିର ଟିକେଟରେ ମୁଲାୟମ ସିଂ ଯାଦବ ପ୍ରଥମ ଥର ପାଇଁ ଜିତିଥିଲେ। ୧୯୬୯ ବିଧାନସଭା ନିର୍ବାଚନରେ ମୁଲାୟମ ସଂୟୁକ୍ତ ସୋସାଲିଷ୍ଟ ପାର୍ଟିର ପ୍ରାର୍ଥୀ ମଧ୍ୟ ହୋଇଥିଲେ। ତେବେ ତାଙ୍କୁ ପରାଜୟର ସାମ୍ନା କରିବାକୁ ପଡିଲା। ୧୯୭୪ ବିଧାନସଭା ନିର୍ବାଚନରେ ମୁଲାୟମ ଦ୍ୱିତୀୟ ଥର ପାଇଁ ଭାରତୀୟ କ୍ରାନ୍ତି ଦଳର ଟିକେଟରେ ବିଧାୟକ ହୋଇଥିଲେ। ୧୯୭୭ ବିଧାନସଭା ନିର୍ବାଚନରେ ସେ ଜନତା ଦଳର ଜଣେ ବିଧାୟକ ହୋଇଥିଲେ। ଏହି ବିଜୟ ସହିତ ସେ ପ୍ରଥମ ଥର ପାଇଁ ମନ୍ତ୍ରୀ ହୋଇଥିଲେ।

୧୯୮୦ ବିଧାନସଭା ନିର୍ବାଚନରେ ମୁଲାୟମଙ୍କୁ ଦ୍ୱିତୀୟ ଥର ପରାଜୟର ସାମ୍ନା କରିବାକୁ ପଡିଥିଲା। ଏହି ନିର୍ବାଚନରେ ମୁଲାୟମ ଚୌଧୁରୀ ଚରଣ ସିଂଙ୍କ ଜନତା ପାର୍ଟି ସେକ୍ୟୁଲାର ଟିକେଟରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ୧୯୮୫ ବିଧାନସଭା ନିର୍ବାଚନରେ ମୁଲାୟମ ସିଂ ଯାଦବ ଚରଣ ସିଂଙ୍କ ଦଳ ଲୋକ ଦଳ ଏବଂ ୧୯୮୯ ରେ ଭିପି ସିଂଙ୍କ ଜନତା ଦଳ ଟିକେଟରେ ବିଧାନସଭାରେ ପହଞ୍ଚିଥିଲେ।

୧୯୯୦ ରେ ଯେତେବେଳେ କେନ୍ଦ୍ରରେ ଭିପି ସିଂଙ୍କ ସରକାରଙ୍କର ପତନ ହୋଇଥିଲା, ସେତେବେଳେ ମୁଲାୟମ ସିଂ ଚନ୍ଦ୍ରଶେଖରଙ୍କ ଜନତା ଦଳ (ସମାଜବାଦୀ) ରେ ଯୋଗ ଦେଇଥିଲେ। ଏପ୍ରିଲ ୧୯୯୧ ରେ ଯେତେବେଳେ କଂଗ୍ରେସ ସମର୍ଥନ ପ୍ରତ୍ୟାହାର କଲା, ସେତେବେଳେ ମୁଲାୟମ ସିଂଙ୍କ ସରକାର ଭାଙ୍ଗିଯାଇଥିଲା। ୧୯୯୧ ରେ, ଉତ୍ତରପ୍ରଦେଶରେ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ମୁଲାୟମ ସିଂ ଜନତା ପାର୍ଟି ଟିକେଟରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ।

ଏକ ବର୍ଷ ପରେ ୧୯୯୨ ରେ ମୁଲାୟମ ସମାଜବାଦୀ ପାର୍ଟି ଗଠନ କରିଥିଲେ। ୪ ଅକ୍ଟୋବର ୧୯୯୨ ରେ ମୁଲାୟମ ସିଂ ଯାଦବ ଲକ୍ଷ୍ନୌର ବେଗମ ହଜରତ ମହଲ ପାର୍କରେ ସମାଜବାଦୀ ପାର୍ଟି ଗଠନ ସମ୍ପର୍କରେ ଘୋଷଣା କରିଥିଲେ। ସମାଜବାଦୀ ପାର୍ଟିର କାହାଣୀ ମୁଲାୟମ ସିଂଙ୍କ ରାଜନୈତିକ ଯାତ୍ରା ସହିତ ଜାରି ରହିଥିଲା। ସେ ୫୦ ବର୍ଷ ବୟସରେ ରାଜ୍ୟର ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲେ।

ନଭେମ୍ବର ୧୯୯୩ରେ ୟୁପିରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାର ଥିଲା। ରାଜ୍ୟରେ ଭଜପା ପୁନର୍ବାର କ୍ଷମତାକୁ ନ ଆସିବା ପାଇଁ ସେ ମାୟାବତୀଙ୍କ ବହୁଜନ ସମାଜବାଦୀ ପାର୍ଟି ସହିତ ମିଳିତ ହୋଇଥିଲେ। ସମାଜବାଦୀ ପାର୍ଟିର ଏହା ଥିଲା ପ୍ରଥମ ପ୍ରମୁଖ ପରୀକ୍ଷଣ। ବାବ୍ରି ମସଜିଦ ଭାଙ୍ଗିବା ପରେ ସୃଷ୍ଟି ହୋଇଥିବା ରାଜନୈତିକ ବାତାବରଣରେ ମଧ୍ୟ ମୁଲାୟମଙ୍କ ଏହି ପରୀକ୍ଷଣ ସଫଳ ହୋଇଥିଲା। କଂଗ୍ରେସ ଏବଂ ଜନତା ଦଳ ସମର୍ଥନରେ ମୁଲାୟମ ସିଂ ପୁନର୍ବାର କ୍ଷମତାକୁ ଆସି ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲେ।

Share