Categories: ଜାତୀୟ

ଭାଜପା କ୍ଷମତାକୁ ଆସିବା ପରେ ମଣିପୁର ସ୍ଥିତି ହୋଇଛି ଖରାପ…

ନୂଆଦିଲ୍ଲୀ,୪।୧୦ : ମଣିପୁରର ଅବସ୍ଥା ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିରବତା ଉପରେ କଂଗ୍ରେସ ପୁଣି ଥରେ ପ୍ରଶ୍ନ କରିଛି। ଦଳ ଅଭିଯୋଗ କରିଛି ଏହା ପୂର୍ବରୁ କୌଣସି ପ୍ରଧାନମନ୍ତ୍ରୀ ଏପରି ରାଜ୍ୟ କିମ୍ବା ଏହାର ଲୋକମାନଙ୍କୁ ଅଣଦେଖା କରିନାହାଁନ୍ତି। କଂଗ୍ରେସ ମହାସଚିବ ଜୟରାମ ରମେଶ କହିଛନ୍ତି ୧୫ମାସ ପୂର୍ବରୁ ଭାଜପା କ୍ଷମତାକୁ ଆସିବା ପରେ ମଣିପୁରରେ ଏଭଳି ପରିସ୍ଥିତି ଏହାର ନୀତି ତଥା ପ୍ରଧାନମନ୍ତ୍ରୀଙ୍କ ପ୍ରାଥମିକତା ଦର୍ଶାଉଛି।

ଭାଜପା କ୍ଷମତାକୁ ଆସିବା ପରେ ମଣିପୁର ସ୍ଥିତି ଖରାପ ହୋଇଛି। ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ରାଜ୍ୟ ଗସ୍ତ କରିଛନ୍ତି। ତେବେ ସ୍ଥିତିରେ କୌଣସି ଉନ୍ନତି ଆସିନାହିଁ ବରଂ ସ୍ଥିତି ଅଧିକ ଖରାପ ହେବାରେ ଲାଗିଛି।
ରାଜ୍ୟର ସାମାଜିକ ସମନ୍ବୟ ସମ୍ପୂର୍ଣ୍ଣ ଖରାପ ହୋଇଯାଇଛି। ପ୍ରତିଦିନ ହିଂସାତ୍ମକ ଅପରାଧର ଭୟାନକ ଖବର ପ୍ରକାଶ ପାଉଛି। ହଜାର ହଜାର ଲୋକ କ୍ୟାମ୍ପରେ ରହୁଛନ୍ତି। ସଶସ୍ତ୍ର ବାହିନୀ ଏବଂ ରାଜ୍ୟ ପୋଲିସ ମଧ୍ୟରେ ସଂଘର୍ଷ ସାଧାରଣ ଘଟଣାରେ ପରିଣତ ହୋଇଛି।

ତଥାପି ପ୍ରଧାନମନ୍ତ୍ରୀ ଏହି ପ୍ରସଙ୍ଗରେ ସମ୍ପୂର୍ଣ୍ଣ ନୀରବ ଅଛନ୍ତି। କଂଗ୍ରେସ ନେତା ଅଭିଯୋଗ କରିଛନ୍ତି ରାଜ୍ୟରେ ଅବସ୍ଥା ଖରାପ ହେବାର କିଛି ଦିନ ପରେ ସେ କେବଳ ଶୋ ’ପାଇଁ ଅଗଷ୍ଟ ୧୦ ରେ ଲୋକସଭାରେ ନିଜର ୧୩୩ ମିନିଟର ଭାଷଣରେ ପାଞ୍ଚ ମିନିଟରୁ କମ ସମୟ ପାଇଁ ରାଜ୍ୟ ବିଷୟରେ କହି କେବଳ ଔପଚାରିକତା ଦେଇଛନ୍ତି।

ଅଧିକାଂଶ ଭାଜପା ବିଧାୟକ ମୁଖ୍ୟମନ୍ତ୍ରୀ ବିରୋନ ସିଂଙ୍କୁ ପଦରୁ ହଟାଇବାକୁ ଚାହୁଁଛନ୍ତି। ଏହା ସତ୍ତ୍ୱେ ସେ ଲଜ୍ଜାଜନକ ଭାବରେ ନିଜ ପଦବୀରେ ରହିଛନ୍ତି।

ଏହା ସହିତ ସେ କେତେକ ପ୍ରଶ୍ନ କରିଛନ୍ତି। ତାହା ହେଉଛି, ପ୍ରଧାନମନ୍ତ୍ରୀ ଗତଥର ମଣିପୁର ଗସ୍ତ କେବେ କରିଥିଲେ?
ମଣିପୁରର ଭାଜପା ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀ ଶେଷ ଥର କେବେ କଥା ହୋଇଥିଲେ?
ପ୍ରଧାନମନ୍ତ୍ରୀ ଶେଷରେ ମଣିପୁରର ଭାଜପା ବିଧାୟକଙ୍କୁ କେବେ ଭେଟିଥିଲେ?
ଶେଷ ଥର ପାଇଁ କେତେବେଳେ କ୍ୟାବିନେଟ ସହକର୍ମୀଙ୍କ ସହ ମଣିପୁର ରାଜ୍ୟ ବିଷୟରେ ଆଲୋଚନା ହୋଇଥିଲା?

 

Share