ଲାହୋର,୨୪।୪: ଭାରତ ଏବଂ ଶ୍ରୀଲଙ୍କାରେ ଆୟୋଜିତ ଟି୨୦ ବିଶ୍ୱକପ୍ ବେଳେ ଡୋପ୍ ଟେଷ୍ଟରେ ପଜିଟିଭ ଚିହ୍ନଟ ହେବା ପରେ ପାକିସ୍ତାନର ଅଭିଜ୍ଞ ଅଲରାଉଣ୍ଡର ମହମ୍ମଦ ନଓ୍ବାଜ ଆଇସିସି ଓ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ନିକଟରେ ନିଜ ଉତ୍ତର ରଖିଛନ୍ତି।
ପିସିବି ପକ୍ଷରୁ କୁହାଯାଇଛି ଯେ, ନଓ୍ବାଜ ଜାଣିଶୁଣି କୌଣସି ନିଷିଦ୍ଧ ପଦାର୍ଥ ଓ ରିକ୍ରିଏଶନାଲ ଡ୍ରଗ୍ସ ବ୍ୟବହାର କରି ନ ଥିବା କହିଛନ୍ତି। ସେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ପାଇଁ କିଛି ମେଡିସିନ ଖାଇଥିଲେ। ମାତ୍ର ଡ୍ରଗ୍ସ ନେଇ ନ ଥିଲେ।
ବାମହାତୀ ସ୍ପିନ ଅଲରାଉଣ୍ଡରଙ୍କୁ ପାକିସ୍ତାନ ସୁପର ଲିଗ୍ରେ ମୁଲତାନ ସୁଲତାନ ପାଇଁ ଖେଳ ଜାରି ରଖିବାକୁ ଅନୁମତି ଦିଆଯାଇଛି। କିନ୍ତୁ ଆଗାମୀ କିଛି ଦିନରେ ଆଇସିସି ପକ୍ଷରୁ ପିସିବିକୁ ପରବର୍ତ୍ତୀ କାର୍ଯ୍ୟପନ୍ଥା ସମ୍ପର୍କରେ ଅବଗତ କରାଯିବ।
ଯଦି ଆଇସିସି ନଓ୍ବାଜଙ୍କ ଯୁକ୍ତିରେ ସନ୍ତୁଷ୍ଟ ନ ହୁଏ, ତେବେ ତାଙ୍କୁ କ୍ରିକେଟରୁ ସମ୍ପୂର୍ଣ୍ଣ ବ୍ୟାନ କରାଯିବ। ଏହି ସଂକ୍ରାନ୍ତରେ ନଓ୍ବାଜଙ୍କୁ ପିସିବି ଅଧିକାରୀ ପଚରାଉଚରା କରି ଥିବା ଜଣାପଡିଛି।