ଦୀର୍ଘକାଳ ବୁଡ଼ିଥିଲେ, ଏବେ ଉଠିଲେ

ଓ୍ବାଶିଂଟନ,୩୦।୧୦: ପ୍ରଶାନ୍ତ ମହାସାଗରରେ ଅତଳ ଜଳରାଶି ମଧ୍ୟରୁ ଉପରକୁ ଉଠିଛି ୨ ଡଜନ ଘୋଷ୍ଟ ଶିପ୍‌। ଆଗ୍ନେୟଗିରି ଉଦ୍‌ଗିରଣ ଯୋଗୁ ଏହି ଜାହାଜଗୁଡ଼ିକ ଉଠିଆସିଥିବା ଜଣାପଡ଼ିଛି। ଏସବୁର ଫଟୋ ଓ ଭିଡିଓ ଫୁଟେଜ୍‌ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ବିଶ୍ୱଯୁଦ୍ଧ ବେଳେ ଅଶାନ୍ତ ସମୁଦ୍ରରେ ବୁଡ଼ିଯାଇଥିବା ଯୁଦ୍ଧଜାହାଜଗୁଡ଼ିକୁ ଏବେ ଟୋକିଓ ଉପକୂଳରୁ ୮୦୦ ମାଇଲ ଦୂରରେ ଦେଖିବାକୁ ମିଳିଛି। ୧୯୪୫ରେ ଇଓ୍ବୋ ଜିମା ଯୁଦ୍ଧ ସମୟରେ ଏହି ଜାପାନୀ ଜାହାଜଗୁଡ଼ିକୁ ଆମେରିକା ନୌସେନା ନିଜ କବ୍‌ଜାକୁ ନେଇଥିଲା ବୋଲି କୁହାଯାଉଛି। ଏଭଳି ଦୃଶ୍ୟ ଆଗ୍ନେୟଗିରି ଉଦ୍‌ଗୀରଣ ଯୋଗୁ ଦେଖିବାକୁ ମିଳିଛି।
ସମୁଦ୍ର ତଳେ ହୋଇଥିବା ଫୁକୁଟୋକୁ-ଓକାନୋବା ନାମକ ଏହି ଆଗ୍ନେୟଗିରିର ଭୂକମ୍ପ ସମ୍ପର୍କିତ ଗତିବିଧି ଏକ ନୂଆ ‘ସି’ ଆକୃତିର ଦ୍ୱୀପ ସୃଷ୍ଟି କରିଛି। ପ୍ରଥମେ ଏହି ଛୋଟ ଦ୍ୱୀପର ଆୟତନ ପ୍ରାୟ ୧ କି.ମି. ଥିଲା। ତେବେ ଦ୍ୱୀପଟି ସାମ୍ନାକୁ ଆସିବା ପରେ କ୍ରମଶଃ ସଙ୍କୁଚିତ ହେବାରେ ଲାଗିଛି। ମୂଳ ଆକାରରୁ ଏବେ ଏହା ଏକ-ତୃତୀୟାଂଶ ଛୋଟ ହୋଇଯାଇଛି। ଜାପାନୀ ତଟରକ୍ଷୀଙ୍କ ମତରେ ଏହି କ୍ଷୁଦ୍ର ଦ୍ୱୀପ ଆଗ୍ନେୟଗିରିରୁ ଉଦ୍‌ଗୀରଣ ହୋଇଥିବା ଲାଭା ଓ ପାଉଁଶ ଯୋଗୁ ସୃଷ୍ଟି ହୋଇଛି। କେବଳ ଏତିକି ନୁହେଁ, ଉଦ୍‌ଗିରଣ ଫଳରେ ୨୪ଟି ଜାହାଜ ପାଣି ଉପରକୁ ଉଠିଛି, ଯାହାକି ୧୯୪୯ ଇଓ୍ବୋ ଜିମା ଯୁଦ୍ଧ ବେଳେ ବୁଡ଼ିଯାଇଥିଲା। ଯୁଦ୍ଧ ଚାଲିଥିବାବେଳେ ୭୦,୦୦୦ ଆମେରିକୀୟ ମରିନ୍‌ ଦ୍ୱୀପର ବଙ୍କରଗୁଡ଼ିକରେ ଆମତ୍ଗୋପନ କରିଥିବା ୨୦,୦୦୦ ଜାପାନୀ ସୈନ୍ୟଙ୍କ ବିରୋଧରେ ଲଢ଼େଇ କରିଥିଲେ। ଯୁଦ୍ଧ ଶେଷ ହେବାବେଳକୁ ପ୍ରାୟ ୭,୦୦୦ ମରିନଙ୍କ ଜୀବନ ଯାଇଥିବାବେଳେ ୨୦,୦୦୦ ଆହତ ହୋଇଥିଲେ। ଆମେରିକୀୟଙ୍କ ଆକ୍ରମଣରେ ଜାପାନର ପ୍ରାୟ ସମସ୍ତ ସୈନ୍ୟଙ୍କ ମୃତ୍ୟୁ ଘଟିଥିଲା। ଆମେରିକା ନୌସେନା ଉକ୍ତ ଜାହାଜଗୁଡ଼ିକୁ ଦଖଲ କରିଥିଲେ। ଇଓ୍ବୋ ଜିମାରେ କୌଣସି ବନ୍ଦର ନ ଥିବାରୁ ସେଗୁଡ଼ିକ ସମୁଦ୍ରରେ ବୁଡ଼ିଯାଇଥିଲା ବୋଲି ଆମେରିକାର ନ୍ୟାଶନାଲ ଆର୍କାଇଭ୍ସ ପକ୍ଷରୁ କୁହାଯାଇଛି। ସମୁଦ୍ରରେ ଭୂତ ଜାହାଜ ଦୃଶ୍ୟମାନ ହେବାର ଏହା ପ୍ରଥମ ଘଟଣା ନୁହେଁ। ୩୫ ବର୍ଷ ପୂର୍ବେ ମଧ୍ୟ ସମୁଦ୍ର ଭିତରେ ସେସ୍‌ମିକ୍‌ ଗତିବିଧି ଯୋଗୁ ଏପରି ଦୃଶ୍ୟ ଦେଖିବାକୁ ମିଳିଥିଲା।

Share