୪୦ ବର୍ଷ ପରେ ରାସ୍ତାରେ ମାଟି ପଡ଼ିଲା

ରଘୁନାଥପୁର,୨୦।୫(ଡି.ଏନ୍‌.ଏ.): ରଘୁନାଥପୁର ବ୍ଲକ ବିଦ୍ୟାଧରପୁର ପଞ୍ଚାୟତ ନୂଆପଡା ଓମ୍‌ଫେଡ ପ୍ଲାଣ୍ଟ ପାଖ ୯ନଂ. ୱାର୍ଡ ଦଳିତସାହି ରାସ୍ତାରେ ଦୀର୍ଘ ୪୦ ବର୍ଷ ପରେ ମାଟି ପକାଯାଇ ଯାତାୟାତ ଉପଯୋଗୀ କରାଯାଉଛି। ସରପଞ୍ଚ ସାହେଦା ତବସୁମଙ୍କ ପକ୍ଷରୁ ଏମ୍‌ଜିଏନ୍‌ଆରଇଜିଏସ୍‌(ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିନ୍ତ କର୍ମନିଯୁକ୍ତି) ଅନୁଦାନରେ ଉକ୍ତ ରାସ୍ତାରେ ମାଟି ପକାଯାଇ ଉଚ୍ଚ କରାଯାଉଛି। ରାସ୍ତାକୁ ପ୍ରଥମେ ମାଟି ପକେଇ ଉଚ୍ଚ କରାଯିବା ପରେ ବାଲି ମୋରମ ପକାଯାଇ ଯାତାୟାତ ଉପଯୋଗୀ କରାଯିବ ବୋଲି ସରପଞ୍ଚ ତବ୍‌ସୁମ କହିଛନ୍ତି। ଏହି କାର୍ଯ୍ୟରେ ସ୍ଥାନୀୟ ଦଳିତସାହିର ମହିଳା ଓ ପୁରୁଷମାନେ ନିୟୋଜିତ ହୋଇଛନ୍ତି। ଦୀର୍ଘଦିନର ସ୍ବପ୍ନ ପୂରଣ ହୋଇଥିବାରୁ ଦଳିତସାହିର ଜବ୍‌କାର୍ଡଧାରୀ ଉତ୍ସାହର ସହ ନିଜ ଗାଁ ରାସ୍ତା କରିବା ପାଇଁ ଆଗେଇ ଆସିଛନ୍ତି। ସରକାରଙ୍କ ଗାଇଡ୍‌ଲାଇନ ଅନୁଯାୟୀ ଯେତିକି ପାରିଶ୍ରମିକ ମିଳୁଛି ସେଥିରେ ସେମାନେ ସନ୍ତୁଷ୍ଟ ବୋଲି ଶକୁନ୍ତଳା ଦାସ ଓ ଉତ୍ତମ ଦାସ କହିଛନ୍ତି। ପୂର୍ବରୁ ଥିବା ପାଦଚଲା ରାସ୍ତା ବର୍ଷକୁ ୬ ମାସ ପାଣି କାଦୁଅରେ ଭରି ରହୁଥିଲା। ଲୋକେ କୌଣସି ଉପାୟ ନ ପାଇ ଉକ୍ତ ରାସ୍ତା ଦେଇ ଯାତାୟାତ କରିବାକୁ ବାଧ୍ୟ ହେଉଥିଲେ। ଏପରିକି ରୋଗୀଙ୍କୁ ଖଟିଆରେ ଟେକି ମୁଖ୍ୟରାସ୍ତା ପର୍ଯ୍ୟନ୍ତ ନେବାକୁ ପଡୁଥିଲା। ପିଲାମାନେ ମଧ୍ୟ ସ୍କୁଲ ଯିବାକୁ ଅସୁବିଧାର ସମ୍ମୁଖୀନ ହେଉଥିଲେ। ଏବେ ରାସ୍ତାକାମ ଆରମ୍ଭ ହୋଇଥିବାରୁ ଏସବୁ ସମସ୍ୟା ଦୂର ହୋଇଯିବ ନେଇ ଆଶାବ୍ୟକ୍ତ କରିଛନ୍ତି। ଏହି ରାସ୍ତାର ୨/୩ଟି ସ୍ଥାନରେ ପାଣି ନିଷ୍କାସନ ପାଇଁ ହ୍ୟୁମ୍‌ ପାଇପ୍‌ ପକାଯିବା ସହ ବିଶୁଦ୍ଧ ପାନୀୟଜଳ ନିମନ୍ତେ ନଳକୂପର ବ୍ୟବସ୍ଥା କରାଯିବ ବୋଲି ସରପଞ୍ଚ ତବ୍‌ସୁମ ପ୍ରକାଶ କରିଛନ୍ତି।