କରୋନା ସଂକ୍ରମଣରେ ୩୨ ବର୍ଷ ପୁଅର ମୃତ୍ୟୁ ଖବର ଶୁଣି ଆଖି ବୁଜିଲେ ମା’

ହାଇଦ୍ରାବାଦ,୧୪।୮: କରୋନା ଭାଇରସ ସଂକ୍ରମଣ ଏବେ ଅନେକ ଘରର ଆଲୋକକୁ ଅନ୍ଧାରରେ ପରିବର୍ତ୍ତନ କରିଛି କହିଲେ ଚଳେ। ଶୁକ୍ରବାର ତେଲେଙ୍ଗାନାର ନାରାୟଣଖେଡ ଅଞ୍ଚଳରେ ରହୁଥିବା ଏକ ପରିବାରରେ ୩୨ ବର୍ଷୀୟ ଜଣେ ବ୍ୟକ୍ତି ଓ ତାଙ୍କ ସ୍ତ୍ରୀ କରୋନାରେ ପୀଡ଼ିତ ଥିବା ଜଣାପଡିବା ପରେ ଡାକ୍ତର ତାଙ୍କୁ ହୋମ୍‌ କ୍ୱାରାଣ୍ଟାଇନରେ ରହିବାକୁ କହିଥିଲେ। ଏହାପରେ ପରିବାରର ଅନ୍ୟ ୫ଜଣ ସଦସ୍ୟଙ୍କ ରିପୋର୍ଟ ମଧ୍ୟ ପଜିଟିଭ ଆସିଥିଲା। ବୁଧବାର ରାତିରେ ଉକ୍ତ ୩୨ ବର୍ଷୀୟ ବ୍ୟକ୍ତିଙ୍କର ଶୋଫା ଉପରେ ବସିଥିବା ଅବସ୍ଥାରେ ମୃତ୍ୟୁ ହୋଇଥିଲା। ଏହାକୁ ଦେଖି ପରିବାର ଲୋକେ ଡରିଯାଇ ଶୋଫାସହ ମୃତବ୍ୟକ୍ତିଙ୍କୁ ଘରବାହାରେ ରଖିଦେଇଥିଲେ। ଘଣ୍ଟାଘଣ୍ଟାଧରି ଶୋଫା ଉପରେ ମୃତ ଶରୀର ବର୍ଷାରେ ଭିଜିଥିଲେ ମଧ୍ୟ ଏକଥା ତାଙ୍କ ମା’ଙ୍କୁ କେହି କହି ନ ଥିଲେ। ଏହାପରେ ଯେତେବେଳେ ଏହି ଖବର ତାଙ୍କ ମାଆଙ୍କ ପାଖରେ ପହଞ୍ଚିଥିଲା ସେ ହଠାତ୍‌ ବେହୋସ ହୋଇଯାଇଥିଲେ ଓ ତାଙ୍କର ମୃତ୍ୟୁ ହୋଇଥିଲା। ଉଭୟଙ୍କର କରୋନା ସଂକ୍ରମଣ ଯୋଗୁ ମୃତ୍ୟୁ ହୋଇଥିବାରୁ ପଡୋଶୀ ମଧ୍ୟ ସେମାନଙ୍କ ମୃତଦେହକୁ ଛୁଇଁ ନ ଥିଲେ। ପରେ ସ୍ବାସ୍ଥ୍ୟକର୍ମୀଙ୍କ ସହାୟତାରେ ୨ ମୃତଦେହର ସଂସ୍କାର କରାଯାଇଥିଲା। ଏବେ ଅଭିଯୋଗ ହେଉଛି କି କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିବା ପରେ ଡାକ୍ତର ଯଦି ତାଙ୍କୁ ହସ୍ପିଟାଲରେ ଭର୍ତ୍ତି ହେବାକୁ କହିଥାଆନ୍ତେ ତେବେ ଆଜି ଏହି ବିପଦକୁ ଏଡାଇ ଦିଆଯାଇ ପାରିଥାଆନ୍ତା।

Share