୩୦ ବର୍ଷ ସଂଘ ପରେ ୬୩ ପରିବାରକୁ ମିଳିଲା ଜଙ୍ଗଲ ଜମି ପଟ୍ଟା

ଥୁଆମୂଳ ରାମପୁର,୨୬ା୬(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ପଞ୍ଚାୟତର ଅଣ-ସର୍ଭେ ଗ୍ରାମ ସେମେଲପଦରର ୬୩ଟି ବନବାସୀ ପରିବାରକୁ ବହୁ ପ୍ରତୀକ୍ଷିତ ବ୍ୟକ୍ତିଗତ ଜଙ୍ଗଲ ଜମି ପଟ୍ଟା ପ୍ରଦାନ କରାଯାଇଛି। ଜିଲା ପରିଷଦ ସମ୍ମିଳନୀ କକ୍ଷରେ ଆୟୋଜିତ ଏକ ସ୍ବତନ୍ତ୍ର ସଭାରେ ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଗ୍ରାମବାସୀଙ୍କୁ ଏହି ଅଧିକାର ପତ୍ର ବଣ୍ଟନ କରିଛନ୍ତି। ଏହି ଅବସରରେ ଜୁନାଗଡ଼ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର, ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପାଟ୍ଟଯୋଷୀ, ଜିଲାପାଳ ପାଓ୍ବାର ସଚିନ, ଭବାନୀପାଟଣା ଉପଜିଲାପାଳ ପ୍ରଭାତ ପରିଡ଼ା, ଧର୍ମଗଡ ଉପଜିଲାପାଳ ପ୍ରେକ୍ଷା ଅଗ୍ରଓ୍ବାଲଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ସେମେଲପଦର ଗ୍ରାମର ୬୯ଟି ପରିବାର ନିଜ ଭିଟାମାଟିର ଆଇନଗତ ଅଧିକାର ପାଇଁ ଦୀର୍ଘ ୩୦ ବର୍ଷରୁ ଅଧିକ ସମୟ ହେବ ସଂଘର୍ଷ କରିଆସୁଥିଲେ। ଜଙ୍ଗଲ ଅଧିକାର ଆଇନ ୨୦୦୬ ଲାଗୁ ହେବା ପରେ ମଧ୍ୟ ପ୍ରଶାସନିକ ନାଲିଫିତା ତଳେ ଏହି ଦାବି ଚାପି ହୋଇ ରହିଥିଲା। ୧୯୯୫ ମସିହାରୁ ସ୍ଥାନୀୟ ସ୍ବେଚ୍ଛାସେବୀ ଅନୁଷ୍ଠାନ ‘ଅନ୍ତୋଦୟ’ ଗ୍ରାମବାସୀଙ୍କୁ ଆଇନଗତ ସହାୟତା ଓ ତାଲିମ ପ୍ରଦାନ କରି ଏହି ଲଢ଼େଇରେ ସହଯୋଗ କରିଆସୁଛି। ଶେଷରେ ଜଙ୍ଗଲ ବିଭାଗର ସମସ୍ତ କଟକଣା ପରେ ୬୩ଟି ପରିବାର ସମୁଦାୟ ୧୭୪.୬୨୩ ଏକର ଜଙ୍ଗଲ ଜମିର ମାଲିକାନା ପାଇଛନ୍ତି। ଗ୍ରାମସଭା ଦ୍ୱାରା ସମସ୍ତ ୬୯ଟି ପରିବାରର ଦାବି ଅନୁମୋଦିତ ହୋଇଥିଲେ ସୁଦ୍ଧା, ଅନ୍ୟାନ୍ୟ ପାରମ୍ପରିକ ବନବାସୀ ଶ୍ରେଣୀର ୬ଟି ‘ଲୋହରା’ ପରିବାରର ପଟ୍ଟା ଜିଲାସ୍ତରୀୟ କମିଟି ନିକଟରେ ଏବେ ବି ବିଚାରାଧୀନ ଅଛି।

ସେହିପରି ବୈଷୟିକ ତ୍ରୁଟି ଓ ପ୍ରଶାସନିକ ଅବହେଳା ଯୋଗୁ ଗ୍ରାମର ଗୋଷ୍ଠୀଗତ ଜଙ୍ଗଲ ଜମି ପଟ୍ଟା ମଧ୍ୟ ମିଳିପାରି ନାହିଁ ଏବଂ ଗ୍ରାମକୁ ଏପର୍ଯ୍ୟନ୍ତ ‘ରାଜସ୍ବ ଗ୍ରାମ’ର ମାନ୍ୟତା ମିଳିନାହିଁ। ତେବେ ଏସମ୍ପର୍କରେ କିଛି ସଫଳତା ମିଳିଛି ସତ, କିନ୍ତୁ ପ୍ରଶାସନିକ ଅବହେଳା ଯୋଗୁ ଗୋଷ୍ଠୀଗତ ଅଧିକାର, ବାକି ୬ ପରିବାରଙ୍କ ପଟ୍ଟା ଏବଂ ରାଜସ୍ବ ଗ୍ରାମ ମାନ୍ୟତା ମିଳିବା ବାକି ଅଛି। ତେଣୁ ଏହି ସଂଘର୍ଷ ଏବେ ଅଧା ସଫଳ ହୋଇଛି। ବୋଲି ଅନ୍ତୋଦୟ ଅନୁଷ୍ଠାନ
ଅଧ୍ୟକ୍ଷ ଦିଲୀପ କୁମାର ଦାସ ଗଣମାଧ୍ୟମ ଆଗରେ କ୍ଷୋଭର ସହ ପ୍ରକାଶ କରିଛନ୍ତି।

Dharitri – Odisha’s No.1 Odia Daily

Share