ତଳମୁହାଁ କରୋନା ଗ୍ରାଫ୍‌: ୨ବର୍ଷ ପରେ ମୁମ୍ବାଇରେ ୧୦୦ରୁ କମ୍‌ ଆକ୍ରାନ୍ତ ଚିହ୍ନଟ, ଜଣେ ମୃତ

ମୁମ୍ବାଇ,୨୧।୨: ଦେଶରେ ଏବେ ବି କରୋନା ପ୍ରକୋପ ଜାରି ରହିଛି। ହେଲେ ଦୈନିକ ସଂକ୍ରମଣ ପୂର୍ବପେକ୍ଷା ବହୁତ କମ୍‌ ରହିଛି। ଗତ ୨ବର୍ଷ ହେଲାଣି ମହାରାଷ୍ଟ୍ରରେ ଅଧିକ ସଂକ୍ରମଣ ବ୍ୟାପିଥିବା ବେଳେ ପ୍ରତିଦିନ ହଜାର ହଜାର ସଂଖ୍ୟାରେ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେଉଥିଲେ। ଏଥିସହ ମୃତ୍ୟୁ ସଂଖ୍ୟା ମଧ୍ୟ ଅଧିକ ରହିଥିଲା। ଯାହା ସରକାରଙ୍କ ଚିନ୍ତାର କାରଣ ପାଲଟିଥିଲା। ତେବେ ଗତ ୨ବର୍ଷ ମଧ୍ୟରେ ପ୍ରଥମ ଥର ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇରେ ୧୦୦ରୁ କମ୍‌ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କେବଳ ସେତିକି ନୁହେଁ ଏଠାରେ କରୋନାଜନିତ ଜଣଙ୍କର ମୃତ୍ୟୁ ଘଟିଛି। ସୂଚନାଯୋଗ୍ୟ, ଗତ ୨୪ ଘଣ୍ଟାରେ ମୁମ୍ବାଇରେ ୯୬ ନୂଆ କରୋନା ମାମଲା ସାମ୍ନାକୁ ଆସିଥିବା ବେଳେ ଜଣଙ୍କର ମୃତ୍ୟୁ ଘଟିଛି। ଏନେଇ ସୋମବାର ବୃହନମୁମ୍ବାଇ ମ୍ୟୁନିସିପାଲିଟି କର୍ପୋରେସନ(ବିଏମ୍‌ସି) ସୂଚନା ଦେଇଛି। ନୂଆ ଚିହ୍ନଟ ହୋଇଥିବା ଆକ୍ରାନ୍ତ ମଧ୍ୟରୁ ୭୯ଜଣଙ୍କର କୌଣସି ଲକ୍ଷଣ ନ ଥିବା ବେଳେ ୧୭ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏତଦ୍‌ ବ୍ୟତୀତ ୪ଜଣ ଅକ୍ସିଜେନ ସପୋର୍ଟରେ ରଖାଯାଇଛି। ବର୍ତ୍ତମାନ ମୁମ୍ବାଇରେ ୮୦୭ ଆକ୍ରାନ୍ତ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବେଳେ ସେଥିମଧ୍ୟରୁ ୪୦୩ଜଣ ଅକ୍ସିଜେନ ସପୋର୍ଟରେ ରହିଛନ୍ତି।
ଏଥିସହ ୧୪୧୫ ସକ୍ରିୟ ମାମଲା ରହିଥିବା ବିଏମ୍‌ସି ସୂଚନା ଦେଇଛି।

Share