୨୦ ବର୍ଷ ପରେ ପୁରୀକୁ ପୁଣି ଚାଲିଲା ବସ୍‌

ଟିଟିଲାଗଡ଼,୧୭।୧୨(ନି.ପ୍ର): ଦୀର୍ଘ ୨୦ ବର୍ଷ ପରେ ବଲାଙ୍ଗୀର ଜିଲାର କଣ୍ଟାବାଞ୍ଜିରୁ ପୁରୀକୁ ସରକାରୀ ବସ ସେବାର ଶୁଭାରମ୍ଭ ହୋଇଛି ା ଶୁକ୍ରବାର ରାଜ୍ୟ ପରିବହନ ବିଭାଗ ମନ୍ତ୍ରୀ ଟୁକୁନୀ ସାହୁ ଏହାର ଶୁଭାରମ୍ଭ କରିଛନ୍ତି। କଣ୍ଟାବାଞ୍ଜି ଠାରୁ ପ୍ରତ୍ୟହ ସନ୍ଧ୍ୟା ୬ଟାରେ ବସଟି ବଙ୍ଗୋମୁଣ୍ଡା, ସିନ୍ଧେକେଲା, ଟିଟିଲାଗଡ, ବଡମାଲ, ବଲାଙ୍ଗୀର, ସୋନପୁର, ନୟାଗଡ ଦେଇ ପୁରୀ ପର୍ଯ୍ୟନ୍ତ ଯିବ। ପୁରୀ ପଟରୁ ରାତି ୮ଟା ୧୬ରେ ଯାତ୍ରା ଆରମ୍ଭ କରି ଉପରୋକ୍ତ ମାର୍ଗ ଦେଇ ପରିବହନ ବିଭାଗର ଏସି ଡିଲକ୍ସ ବସ କଣ୍ଟାବାଞ୍ଜି ପ୍ରତ୍ୟାବର୍ତ୍ତନ କରିବ। ଏନେଇ ଟିିଟିଲାଗଡ ଜଗନ୍ନାଥ ମନ୍ଦିର ସମ୍ମୁଖରେ ଅନୁଷ୍ଠିତ ଏକ ସମାରୋହରେ ରାଜ୍ୟ ଜଳସମ୍ପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନୀ ସାହୁ, ବଲାଙ୍ଗୀର ଜିଲାପାଳ ଚଞ୍ଚଳ ରାଣା, ଭାରପ୍ରାପ୍ତ ଉପଜିଲାପାଳ ନବିନ ଚନ୍ଦ୍ର ନାୟକ, ତହସିଲଦାର ପ୍ରେମଲାଲ ହିଆଲ, ପୌର ନିର୍ବାହୀ ଅଧିକାରୀ ବିପିନ ବିହାରୀ ଦୀପ, ପୌର ଉପାଧ୍ୟକ୍ଷା ପୁଷ୍ପାମଞ୍ଜରୀ ଜାଲ ପ୍ରମୁଖ ଉପସ୍ଥିତ ଥିଲେ। ପରେ ରାଜ୍ୟ ପରିବହନ କମିଶନର ବିଶିକେଶନ ଦେହୁରୀ ପତକା ପ୍ରଦର୍ଶନ ସହ ବସକୁ ଗନ୍ତବ୍ୟ ସ୍ଥଳ ଅଭିମୁଖେ ଯାତ୍ରାର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ମନ୍ତ୍ରୀଙ୍କ ପ୍ରତିନିଧି ଅରୁଣ ମିଶ୍ର, ବରିଷ୍ଠ ବିଜେଡି ନେତା ପ୍ରେମ ଜୈନ, ଶ୍ୟାମାପ୍ରସାଦ ଗରିଆ, ରଣଜିତ ପୃଷ୍ଟି, ଚନ୍ଦ୍ରବଦନ ପୁରୋହିତ, ରାଜକିଶୋର ଡାଙ୍ଗ, ରାଜୁ ସିଂ ପାତ୍ର, କାଉନସିଲର ଚନ୍ଦ୍ରକାନ୍ତି ନାଗ, ସଞ୍ଜୁ ଗୋୟଲ, ସାବିତ୍ରୀ ବାରିକ, ସୁନିଲ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ପୂର୍ବରୁ ଟିଟିଲାଗଡରୁ ରାଜ୍ୟର ବିଭିନ୍ନ ସ୍ଥାନକୁ ସରକାରୀ ବସ ସେବା ରହିଥିଲା। ଏନେଇ ଏଠାରେ ସରକାରୀ ବସଷ୍ଟାଣ୍ଡ, କୋଠା ଏବେ ମଧ୍ୟ ରହିଛି। ହେଲେ ପ୍ରାୟ ୨୦ ବର୍ଷ ହେଲା ସରକାରୀ ବସ ସେବା ବନ୍ଦ ଥିଲା। ଏଣୁ ଟିିଟିଲାଗଡ ଅଞ୍ଚଳରୁ ବିଭିନ୍ନ ସ୍ଥାନକୁ ବସ ସେବା ଯୋଗାଇ ଦେବା ପାଇଁ ଦୀର୍ଘ ଦିନ ହେଲା ଦାବି ହୋଇ ଆସୁଥିଲା।