Categories: ଫୁରସତ

୧୩୮ ବର୍ଷ ପରେ ପରିବାରରେ ଝିଅ ଜନ୍ମ

ଲାନ୍‌ସିଂ: ବର୍ତ୍ତମାନ ଯୁଗ ବହୁତ ଆଗକୁ ବଢ଼ିଥିଲେ ମଧ୍ୟ କିଛି ସ୍ଥାନରେ କନ୍ୟାଭ୍ରୂଣ ହତ୍ୟା ଏବେ ବି ହେଉଛି। ଘରେ ଝିଅ ଅପେକ୍ଷା ପୁଅକୁ ଅଧିକ ଗୁରୁତ୍ୱ ଦିଆଯାଉଛି। ହେଲେ ଅନେକ ଘରେ ଝିଅକୁ ଲକ୍ଷ୍ମୀଙ୍କ ଦାନ ଭାବେ ଗ୍ରହଣ କରିଥାନ୍ତି। ଏଥିସହ ଝିଅ ଜନ୍ମ ପରେ ବେଶ୍‌ ଧୁମ୍‌ଧାମ୍‌ରେ ଉତ୍ସବ ମନାଇଥାନ୍ତି। ନିକଟରେ ମିଚିଗାନ୍‌ର ଜଣେ ଦମ୍ପତିଙ୍କ ଝିଅ ଜନ୍ମ ହୋଇଛି। ତାଙ୍କ ପରିବାର ଏହି ଝିଅ ଜନ୍ମକୁ ନେଇ ବହୁତ ଖୁସିରେ ଉତ୍ସବ ମନାଉଛନ୍ତି। କାରଣ ତାଙ୍କ ଘରେ ଦୀର୍ଘ ୧୩୮ ବର୍ଷ ପରେ ଝିଅ ଜନ୍ମ ହୋଇଛି। ଏହା ପୂର୍ବରୁ ୧୮୮୫ରେ ଶେଷଥର ପାଇଁ ତାଙ୍କ ପରିବାରରେ ଝିଅ ଜନ୍ମ ହୋଇଥିଲା। ସେବେଠାରୁ ଆଉ କନ୍ୟାସନ୍ତାନ ଜନ୍ମ ହୋଇନାହିଁ। କରୋଲିନା ନାମ୍ନୀ ମହିଳା ଯେତେବେଳେ ଗର୍ଭବତୀ ହୋଇଥିଲେ, ତାଙ୍କ ପରିବାର ଲୋକଙ୍କ ସହ ସେ ମଧ୍ୟ ଭାବୁଥିଲେ ତାଙ୍କର ଏକ ପୁଅ ଜନ୍ମ ହେବ। ହେଲେ ଝିଅ ଜନ୍ମ ହେବା ତାଙ୍କ ପରିବାର ପାଇଁ ବହୁତ ଆଶ୍ଚର୍ଯ୍ୟ ଏବଂ ଖୁସିର କଥା ବୋଲି କରୋଲିନା ଏକ ସାକ୍ଷାତ୍‌କାରରେ କହିଛନ୍ତି। ଦମ୍ପତି କହିଛନ୍ତି, ତାଙ୍କର ପୁଅ କିମ୍ବା ଝିଅରେ କିଛି ଫରକ ପଡ଼େନି। ହେଲେ ଝିଅ ଜନ୍ମ ତାଙ୍କ ପରିବାର ପାଇଁ ବହୁତ ଖୁସିର କଥା। ତାଙ୍କର ୨୦୨୧ରେ ପ୍ରଥମ ଗର୍ଭ ନଷ୍ଟ ହୋଇଯାଇଥିଲା। ଏହାପରେ ତାଙ୍କର ଝିଅ ଜନ୍ମ ହେବା ସେମାନଙ୍କ ପାଇଁ ବରଦାନ ବୋଲି କହିଛନ୍ତି।

Share