ଫ୍ଲାଟ ଭଡା ନେବା ବେଳେ ଶ୍ରଦ୍ଧାଙ୍କୁ ସ୍ତ୍ରୀ ଭାବେ ପରିଚିତ କରାଉଥିଲେ ଆଫତାବ୍‌

ନୂଆଦିଲ୍ଲୀ,୧୮।୧୧: ଲିଭ୍‌-ଇନ୍‌ ପାର୍ଟନର ଶ୍ରଦ୍ଧା ଓ୍ବାଲକରଙ୍କୁ ନିର୍ମମ ଭାବେ ହତ୍ୟା କରିଥିବା ଅଭିଯୁକ୍ତ ଆଫତାବ୍‌ ଅମିନ ପୁନାଓ୍ବାଲାଙ୍କୁ ନେଇ ଦିଲ୍ଲୀ ପୋଲିସ ବଡ଼ ଖୁଲାସା କରିଛି। ସେ ମୁମ୍ବାଇରେ ଭଡା ଘର ଖୋଜୁଥିବା ବେଳେ ଶ୍ରଦ୍ଧାଙ୍କୁ ତାଙ୍କ ସ୍ତ୍ରୀ ଭାବେ ପରିଚିତ କରାଉଥିଲେ। ହେଲେ ବାସ୍ତବରେ ସେମାନେ ବିବାହିତ ନ ଥିଲେ।

୨୦୧୯ରେ ଆଫତାବ୍‌ ଏବଂ ଶ୍ରଦ୍ଧା ବିବାହିତ ଦମ୍ପତି ଭାବେ ନିଜକୁ ଦର୍ଶାଇ ନାଇଗାଓଁ(ପୂର୍ବ)ରେ ଏକ ଫ୍ଲାଟ୍‌ ଭଡା କରି ରହୁଥିଲେ। ମହାରାଷ୍ଟ୍ରର ଅନେକ ଅଞ୍ଚଳରେ ପୋଲିସ ଯାଞ୍ଚ ଆବଶ୍ୟକ ଥିଲେ ହେଁ ଉକ୍ତ ଗୃହ ଅଧିକାରୀ ପଞ୍ଜୀକୃତ ହୋଇ ନ ଥିବାରୁ ଭଡାଟିଆଙ୍କୁ ନେଇ କୌଣସି ଯାଞ୍ଚ କରାଯାଇ ନ ଥିଲା।

୨୦୨୦ ଅକ୍ଟୋବରରେ ଆଫତାବ ଶ୍ରଦ୍ଧାଙ୍କୁ ନେଇ ମୁମ୍ବାଇର ଭାସାଇରେ ଏକ ଭଡା ଘରକୁ ସ୍ଥାନାନ୍ତର ହୋଇଥିଲେ। ସେଠାରେ ମଧ୍ୟ ଅନୂରୂପ ଭାବେ ତାଙ୍କୁ ସ୍ତ୍ରୀ ଭାବେ ଦର୍ଶାଇଥିଲେ। ଆଫତାବ ତାଙ୍କ ମାଲିକଙ୍କୁ ପିତାମାତାଙ୍କ ଠିକଣା ସହ ଆଧାର କାର୍ଡ ଦେଇଥିଲେ।

ସେହିଭଳି ୨୦୨୧ ସେପ୍ଟେମ୍ବରରେ ସେମାନେ ଭାସାଇ ଫ୍ଲାଟ ଖାଲି କରିଥିଲେ। ନିକଟରେ ଥିବା ଅନ୍ୟ ଏକ ଘରକୁ ଯାଇଥିଲେ। ଏହାପରେ ଦୁହେଁ ୨୦୨୨ ମାର୍ଚ୍ଚରେ ଦିଲ୍ଲୀ ଯାଇଥିଲେ। ମେ ୧୮ ତାରିଖ ସନ୍ଧ୍ୟାରେ ଶ୍ରଦ୍ଧାଙ୍କୁ ଆଫତାବ୍‌ ହତ୍ୟା କରି ଶରୀରକୁ ୩୫ ଖଣ୍ଡ କରିଥିଲେ। ପରେ ମୃତଦେହର ଖଣ୍ଡଗୁଡ଼ିକୁ ତିନି ସପ୍ତାହ ଧରି ରଖିବା ପରେ ସମୟ ସୁବିଧା ଦେଖି ବିିଭିନ୍ନ ସ୍ଥାନରେ ଫିଙ୍ଗି ଥିଲେ।

Share