Categories: ଜାତୀୟ

କର୍ନାଟକ ପରେ ଏବେ ବିହାରକୁ ଭୟ: ତେଜସ୍ବୀ ଯାଦବ

ପାଟନା,୧୯।୫: ଜମି ବଦଳରେ ଚାକିରି ଦେବା ମାମଲାରେ ଗୁରୁବାର ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ତେଜସ୍ବୀ ଯାଦବଙ୍କ ମା’ ରାବ୍ରି ଦେବୀଙ୍କୁ ଇଡି ଜେରା କରିଥିଲା। ଏହାକୁ ନେଇ ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଶୁକ୍ରବାର କହିଛନ୍ତି, ଜମି ବଦଳରେ ଚାକିରି ମାମଲାକୁ ରାଜନୈତିକ ପରିବର୍ତ୍ତନ ସହ ସମ୍ପୃକ୍ତ କରାଯାଉଛି। ବିଶେଷକରି ଆସନ୍ତା ବର୍ଷ ରାଜ୍ୟ ନିର୍ବାଚନ ଏବଂ କର୍ନାଟକରେ ଭାଜପାର ପରାଜୟ ସହ ଜଡିତ କରାଯାଉଛି।

ସେ କହିଛନ୍ତି, ଆମେ ଜାଣିଥିଲୁ ଏହା ଘଟିବ। ସେମାନେ ଆମକୁ ଟାର୍ଗେଟ କରୁଛନ୍ତି କାରଣ ସେମାନେ କର୍ନାଟକ ପରେ ବିହାରକୁ ଭୟ କରୁଛନ୍ତି। ଭବିଷ୍ୟତରେ ସେମାନେ ମୋତେ ମଧ୍ୟ ଅନେକ କ୍ଷେତ୍ରରେ ଜଡିତ କରିପାରନ୍ତି। କିନ୍ତୁ ମୋର ଧ୍ୟାନ ନାହିଁ। ମୁଁ କିଛି ଭୁଲ କରି ନାହିଁ। ତେଣୁ ମୋତେ ଭୟ କରିବାର ଆବଶ୍ୟକତା ନାହିଁ । ତେବେ ରାବ୍ରି ଦେବୀଙ୍କୁ ଜେରା କରିବା ପ୍ରସଙ୍ଗକୁ ଦର୍ଶାଇ ସେ ଉପରୋକ୍ତ ଟିପ୍ପଣୀ ଦେଇଛନ୍ତି।

ସୂଚନାଯୋଗ୍ୟ, ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରି ଦେବୀଙ୍କୁ ଗୁରୁବାର ଦିଲ୍ଲୀରେ ପ୍ରାୟ ୫ ଘଣ୍ଟା ଇଡି ପଚରାଉଚରା କରିଥିଲା। ଏଜେନ୍ସିର ସୂତ୍ରରୁ ପ୍ରକାଶ, ୬୮ ବର୍ଷୀୟ ରାବ୍ରି ଦେବୀଙ୍କ ବିବୃତ୍ତି ମନି ଲଣ୍ଡରିଂ ଆକ୍ଟ ଅନୁଯାୟୀ ରେକର୍ଡ କରାଯାଇଛି।

Share