ତାଲିବାନ ପୁଣି ଦଖଲ କଲା ଆଉ ୩ସହର: ବିଶ୍ୱର ସହାୟତା ଲୋଡିଲେ ଏହି କ୍ରିକେଟର

କାବୁଲ,୧୧।୮: ଦିନକୁ ଦିନ ଆଫଗାନିସ୍ତାନ ସ୍ଥିତି ବିଗିଡ଼ିବାରେ ଲାଗିଛି। ଆଫଗାନିସ୍ତାନ ସେନାଙ୍କୁ ତାଲିବାନଙ୍କ ସହ ମୁକାବିଲା କରିବା ଏବେ କଷ୍ଟକର ହୋଇପଡ଼ିଛି। କାରଣ ଗତ ୩ରୁ୪ ଦିନ ମଧ୍ୟରେ ଦେଶରେ ଅନେକ ସହରକୁ ତାଲିବାନ ଦଖଲ କରିବା ସହ ନିଜ ଆଧିପତ୍ୟ ଜାହିର କରିଛି। ମଙ୍ଗଳବାର ୩ଟି ବଡ଼ ସହରକୁ ତାଲିବାନ ନିଜ ଦଖଲକୁ ନେଇଛି। ଗତ କିଛି ଦିନ ହେଲା ତାଲିବାନ ପକ୍ଷରୁ ଲଗାତର ଭାବେ ଆଫଗାନିସ୍ତାନର ପ୍ରଦେଶ ରାଜଧାନୀକୁ ଟାର୍ଗେଟ କରାଯାଉଛି। ଏଥିରେ ଏବେ ନୂଆ ସହର ପୁଲ-ଇ-ଖୁମରୀ,ଫୈଜାବାଦ ଓ ଫରାହ ମଧ୍ୟ ସାମିଲ ହୋଇଛି। ବୁଧବାର ଏହି ୩ଟି ସହରକୁ ତାଲିବାନ ଦଖଲ କରିଥିବା ଜଣାପଡ଼ିଛି। ଯାହାକୁ ନେଇ ଏବେ ଆଫଗାନିସ୍ତାନ ସରକାର ଓ ସେନାଙ୍କ ପାଇଁ ସମସ୍ୟା ବଢ଼ିଯାଇଛି। କାରଣ ବହୁ କମ୍‌ ଦିନରେ ତାଲିବାନ ନିଜର ଆଧିପତ୍ୟ ବଢ଼ାଉଥିବା ବେଳେ ଆମେରିକା ସୈନ୍ୟବାହିନୀ ଧୀରେ ଧୀରେ ସ୍ବଦେଶ ପ୍ରତ୍ୟାବର୍ତ୍ତନ କରୁଛି। ଯାହାଫଳରେ ଆଫଗାନିସ୍ତାନ ସେନା ଏବେ ଦୁର୍ବଳ ହେବାରେ ଲାଗିଛି। ଇତିମଧ୍ୟରେ ଆଫଗାନିସ୍ତାନ ରାଷ୍ଟ୍ରପତି ଅଶରଫ ଘାନି ବୁଧବାର ମଜାର-ଏ-ଶରିଫ ଗସ୍ତ କରିଛନ୍ତି। ସେଠାରେ ରାଷ୍ଟ୍ରପତି ସେନା ଅଧିକାରୀଙ୍କୁ ଭେଟିଛନ୍ତି। ଯେଉଁମାନେ ଏଠାରୁ ତାଲିବାନ ସହ ଲଢ଼େଇ କରୁଛନ୍ତି। କାବୁଲ ପରେ ବର୍ତ୍ତମାନ ମଜାର-ଏ-ଶରିଫ ହେଉଛି କିଛି ସହର ମଧ୍ୟରୁ ଗୋଟିଏ। ଯାହା ଆଫଗାନିସ୍ତାନ ସରକାରଙ୍କ ଅଧୀନରେ ରହିଛି। ଅନ୍ୟପଟେ ଦେଶର ଖରାପ୍‌ ସ୍ଥିତିକୁ ନେଇ ଆଫଗାନିସ୍ତାନ କ୍ରିକେଟର ରଶିଦ ଖାନ ବିଶ୍ୱର ସହାୟତା ଲୋଡିଛନ୍ତି। ରସିଦ ଖାନ ମଙ୍ଗଳବାର ଟୁଇଟ କରି ଲେଖିଛନ୍ତି, ବିଶ୍ୱର ନେତା, ବର୍ତ୍ତମାନ ମୋ ଦେଶ ବିପଦରେ ରହିଛି। ପ୍ରତିଦିନ ହଜାର ହଜାର ନିରୀହ ପିଲା, ମହିଳା, ଲୋକଙ୍କ ଜୀବନ ଯାଉଛି ଏବଂ ଘର ବି ନଷ୍ଟ ହେଉଛି। ଆମକୁ ଏଭଳି ସଙ୍କଟରେ ନ ଛାଡିବାକୁ ରସିଦ ଖାନ ବିଶ୍ୱକୁ ନିବେଦନ କରିଛନ୍ତି। ଏଥିସହ ସହ ସେ କହିଛନ୍ତି, ଆଫଗାନିସ୍ତାନ ଶାନ୍ତି ଚାହୁଁଛି, ଏହି ହତ୍ୟାରୁ ଲୋକଙ୍କୁ ରକ୍ଷା କରାଯାଉ। ସୂଚନା ମୁତାବକ ରସିଦ ହେଉଛନ୍ତି ଆଫଗାନିସ୍ତାନର ଜଣେ ଭଲ କ୍ରିକେଟର। ଯିଏ ଭାରତ ସମେତ ବିଶ୍ୱର କ୍ରିକେଟ ଟିମ୍‌ରେ ବେଶ୍‌ ନାଁକରା।

Share