ଆଫଗାନିସ୍ତାନ ଖାଦ୍ୟ ସଙ୍କଟ, ଚାଷୀଙ୍କୁ ୧୫ କୋଟି ଡଲାର ସହାୟତା ହେବ ବିଶ୍ୱବ୍ୟାଙ୍କ …

ଓ୍ବାଶିଂଟନ, ୧୬।୬ : ରୁଷିଆ-ୟୁକ୍ରେନ ଯୁଦ୍ଧ ଯୋଗୁ ଖାଦ୍ୟ ସଙ୍କଟ ଦେଇ ଗତି କରୁଥିବା ଆଫଗାନିସ୍ତାନକୁ ବିଶ୍ୱ ବ୍ୟାଙ୍କ ସହାୟତାର ହାତ ବଢ଼ାଇଛି। ଏହା ଆଫଗାନିସ୍ତାନର ଚାଷୀମାନଙ୍କୁ ୧୫ କୋଟି ଡଲାରର ସହାୟତା ପ୍ରଦାନ କରିବ ବୋଲି ଘୋଷଣା କରିଛି।

ଆଫଗାନିସ୍ତାନର ଖାଦ୍ୟ ନିରାପତ୍ତା ସମ୍ପର୍କରେ ମିଳିତ ଜାତିସଂଘର ଖାଦ୍ୟ ଏବଂ କୃଷି ସଂଗଠନ (ଏଫଏଓ) ଅନୁଯାୟୀ, ଚାଷୀମାନଙ୍କୁ ସେମାନଙ୍କର କୃଷି ଉତ୍ପାଦନ ବୃଦ୍ଧି ଏବଂ ଅସୁରକ୍ଷିତ ସ୍ଥିତିରୁ ମୁକୁଳିବା ପାଇଁ ଏହି ସହାୟତା ଯୋଗାଇ ଦିଆଯାଇଛି। ଦେଶରେ ବ୍ୟାପକ ମାନବିକ ସଙ୍କଟ ଦେଖାଦେଇଛି ବୋଲି ଏଫଏଓ ରିପୋର୍ଟ କରିଛି।

ଅନ୍ତର୍ଜାତୀୟ ଚାପ ଯୋଗୁ ଆଫଗାନିସ୍ତାନରେ ଦେଖାଦେଇଥିବା ଅତ୍ୟଧିକ ଖାଦ୍ୟ ନିରାପତ୍ତାକୁ ଦୃଷ୍ଟିରେ ରଖି ବିଶ୍ୱ ବ୍ୟାଙ୍କ ଏହି ସହାୟତା ପ୍ରଦାନ କରିବାକୁ ଘୋଷଣା କରିଛି। ଖାମା ପ୍ରେସ ଅନୁଯାୟୀ, ଏହି ସହାୟତା କେତେକ କିସ୍ତିରେ ଗ୍ରହଣ କରାଯିବ। ଦ୍ୱିତୀୟ କିସ୍ତିି ସହିତ ବିଶ୍ୱବ୍ୟାଙ୍କ ଆସନ୍ତା ୨୪ ମାସ ମଧ୍ୟରେ ୪.୫ କୋଟି ଡଲାର ଯୋଗାଇଦେବ। ଏଫଏଓ ମହାନିର୍ଦ୍ଦେଶକ କ୍ୱ ଡୋଙ୍ଗି କହିଛନ୍ତି ଯେ ଏହି ଉଦାର ଏବଂ ସମୟାନୁବର୍ତ୍ତୀ ସହାୟତା ପାଇଁ ବିଶ୍ୱବ୍ୟାଙ୍କ ଏହାର ସଦସ୍ୟମାନଙ୍କୁ କୃତଜ୍ଞତା ଜଣାଉଛି।

ଅଗଷ୍ଟ ୨୦୨୧ ରେ ତାଲିବାନ କ୍ଷମତାକୁ ଫେରିବା ପରେ ଆଫଗାନିସ୍ତାନ ଏକ ଆର୍ଥିକ ସଙ୍କଟରେ ପଡିଛି। ସେଠାରେ ଥିବା ମାନବିକ ଅଧିକାରର ଅବସ୍ଥା ମଧ୍ୟ ଦୁଃଖଦାୟକ ହେବାରେ ଲାଗିଛି। ଏଭଳି ପରିସ୍ଥିତିରେ ଆଫଗାନିସ୍ତାନ ପୁନର୍ନିମାଣ ଟ୍ରଷ୍ଟ ପାଣ୍ଠି ଏବଂ ବିଶ୍ୱବ୍ୟାଙ୍କ ପରିଚାଳନା କମିଟି ୯୭.୩ କୋଟି ଡଲାର ସହାୟତା ଅସହାୟ ଲୋକଙ୍କୁ ତୁରନ୍ତ ପ୍ରଦାନ କରିବା ଲାଗି ଏକ ପ୍ରକଳ୍ପ ଅନ୍ତର୍ଗତ ମଞ୍ଜୁର କରିଛି। ଏହି ସହାୟତା ସ୍ବାସ୍ଥ୍ୟ ସେବା ସହିତ ଅନ୍ୟାନ୍ୟ ଉପଯୋଗୀ କାର୍ଯ୍ୟ ଲାଗି ଉଦ୍ଦିଷ୍ଟ ବୋଲି ବିଶ୍ୱ ବ୍ୟାଙ୍କ କହିଛି।

Share