ତାଲିବାନ ଭୟ: ବିମାନ ବନ୍ଦରରେ ଝିଅଙ୍କ ନିକାହ କରି ପଠାଇଲେ ବିଦେଶ

କାବୁଲ,୪ ।୯: ଆଫଗାନିସ୍ତାନ ଉପରେ ତାଲିବାନ କବଜା କରିବା ପରେ ଏହାର ଖରାପ ପ୍ରଭାବ ସବୁଠାରୁ ଅଧିକ ମହିଳା ଓ ମାନବାଧିକାର କର୍ମୀଙ୍କ ଉପରେ ପଡିଛି । ପ୍ରଥମେ ମହିଳାଙ୍କୁ ସେମାନଙ୍କ ଅଧିକାର ଦେବା କଥା ତାଲିବାନ କହିଥିଲେ ବି ଆଫଗାନ ମହିଳାମାନଙ୍କର ତାଲିବାନ ଉପରେ ଭରସା ନାହିଁ ବୋଲି କୁହାଯାଉଛି । ସେଥିପାଇଁ ଅଧିକାଂଶ ଆଫଗାନ ପରିବାର ଘର ଛାଡି ବିଦେଶ ଚାଲିଯାଉଥିବା ଦେଖାଯାଉଛି । ଆଉ ଯେଉଁମାନେ ଆଫଗାନିସ୍ତାନ ଛାଡି ପାରୁ ନାହାନ୍ତି ବା ସେମାନଙ୍କୁ ବିଦେଶ ଯିବାକୁ ଅନୁମତି ମିଳୁନାହିଁ ସେମାନେ ସେମାନଙ୍କ ଝିଅମାନଙ୍କର ନିକାହ ବିମାନ ବନ୍ଦରରେ କରି ସେମାନଙ୍କୁ ବିଦେଶ ପଠାଇ ଦେଉଛନ୍ତି । ଏମାନେ ସେହି ବ୍ୟକ୍ତିମାନଙ୍କ ସହିତ ଝିଅମାନଙ୍କର ନିକାହ କରୁଛନ୍ତି ଯେଉଁମାନଙ୍କୁ ବିଦେଶ ଯାଇ ଶରଣ ନେବାକୁ ଅନୁମତି ମିଳିଛି । ଏହାକୁ ନେଇ ଆମେରିକା ଅଧିକାରୀମାନେ ବୈଦେଶିକ ମନ୍ତ୍ରଣାଳୟକୁ ଆଲର୍ଟ କରିଛନ୍ତି । ଆମରିକା ଅଧିକାରୀଙ୍କ କହିବା କଥା ହେଲା ଆଫଗାନିସ୍ତାନର କେତେକ ପରିବାର ସେମାନଙ୍କ ଝିଅଙ୍କୁ ତାଲିବାନଠାରୁ ବଞ୍ଚାଇ ରଖିବାକୁ ସେମାନଙ୍କର ବିବାହ ବିମାନ ବନ୍ଦରରେ କରି ଦେଉଛନ୍ତି । ଏମିତବି କେତେଜଣ ମହିଳାଙ୍କୁ ଚିହ୍ନଟ କରାଗଲାଣି । ଏମାନଙ୍କ ମଧ୍ୟରୁ ଅଧିକାଂଶ ଜବରଦସ୍ତ ବିବାହ କରିଥିବା ସ୍ୱୀକାର କରିଛନ୍ତି । ସୂଚନଯୋଗ୍ୟ, ଯେଉଁ ଆଫଗାନିସ୍ତାନ ପରିବାର ଆମେରିକାକୁ ସହାୟତା ଯୋଗାଇ ଆସୁଥିଲେ ସେମାନଙ୍କ ମଧ୍ୟରୁ ଅଧିକାଂଶ ପରିବାରକୁ ଆମେରିକା ନିଜ ସେନା ମାଧ୍ୟମରେ ଉଦ୍ଧାର କରି ଶରଣ ଦେଇଛି । ପୂର୍ବରୁ ଆମେରିକା କଥା ଦେଇଥିଲା କି ଯଦି ସେମିତି କିଛି ପରିସ୍ଥିତି ସୃଷ୍ଟି ହୁଏ ତେବେ ଆମେରିକା ସେମାନଙ୍କୁ ଶରଣ ଦେବ । ଏବେ ସେ ତା’ର କଥା ରଖିଛି । ତେବେ ଏମାନଙ୍କୁ ଉଦ୍ଧାର କରିବା ସମୟରେ ଆମେରିକାକୁ ସହଯୋଗ କରିଥିବା ପରିବାର ସହ କୌଣସି ସମ୍ପର୍କ ନ ଥିବା କେତେଜଣ ପରିବାର ବି ଚାଲି ଆସିଥିବା ଆମେରିକା କହିଛି ।

Share