ମେକ୍ସିକୋ ପଳାଇଲେ ଆଫଗାନ୍‌ ପ୍ରତିଭା

ମେକ୍ସିକୋ ସିଟି, ୨୬ା୮: ତାଲିବାନ୍‌ ଫେରିବା ପରେ ଆଫଗାନ ମହିଳାଙ୍କ ଭବିଷ୍ୟତ ଉପରେ ଘନେଇଛି କଳାବାଦଲ। ଛାତ୍ରୀଙ୍କ ପଢ଼ାରେ ଡୋରି ପଡ଼ିବାକୁ ଯାଉଛି। ତାଲିବାନ୍‌ ଶାସନରେ କଠୋର ଶରିଆ ଆଇନ ସେମାନଙ୍କଠାରୁ ସବୁକିଛି ଛଡ଼ାଇନେବ। ଏଭଳି ନର୍କପୂର୍ଣ୍ଣ ଜୀବନରୁ ମୁକ୍ତି ପାଇଁ ଦେଶ ଛାଡ଼ି ପଳାୟନ ଏକମାତ୍ର ପନ୍ଥା। ତେଣୁ ନିଜ ଦେଶକୁ ବିଦାୟ ଦେଇ ନୂଆ ଉଦ୍ଭାବନ ଓ ଭବିଷ୍ୟତ ଗଢ଼ିବା ଆଶାରେ କାତାର ଦେଇ ମଙ୍ଗଳବାର ସନ୍ଧ୍ୟାରେ ମେକ୍ସିକୋରେ ପହଞ୍ଚିଛନ୍ତି ଅଲ୍‌-ଗର୍ଲ ଆଫଗାନ୍‌ ରୋବୋଟିକ୍ସ ଟିମ୍‌ର ୧୦ ସଦସ୍ୟା। ୧୪ରୁ ୧୮ ବର୍ଷୀୟା ଏହି ଝିଅମାନେ କୋଭିଡ୍‌ ସମୟରେ ନିଜ ଦକ୍ଷତା ଏବଂ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାରେ ହାସଲ କରିଥିବା ଜ୍ଞାନର ପରିଚୟ ଦେଇଥିଲେ। କରୋନା ପ୍ରଭାବିତ ଆଫଗାନିସ୍ତାନବାସୀଙ୍କ ଚିକିତ୍ସା ପାଇଁ ସେମାନେ ଅତି କମ୍‌ମୂଲ୍ୟରେ ଜୀବନ ରକ୍ଷାକାରୀ ଭେଣ୍ଟିଲେଣ୍ଟର ପ୍ରସ୍ତୁତ କରିଥିଲେ। ଗରିବ ଲୋକଟିଏ ବି ଯେପରି ଚିକିତ୍ସା ଅଭାବରୁ କରୋନାରେ ପ୍ରାଣ ନ ହାରେ ତାହା ଥିଲା ଏହି ଟିମ୍‌ର ଉଦ୍ଦେଶ୍ୟ। ଅତ୍ୟାଧୁନିକ ରୋବୋ ନିର୍ମାଣ କରି ଗର୍ଲ-ରୋବୋଟିକ୍‌ ଟିମ୍‌ ଗତ ମାର୍ଚ୍ଚରେ ଅନ୍ତର୍ଜାତୀୟସ୍ତରରେ ନିଜ ପରିଚୟ ସୃଷ୍ଟି କରିବା ସହ ପୁରସ୍କାର ମଧ୍ୟ ହାସଲ କରିଥିଲେ।

ଉଦ୍ଧାର କଲେ ସୁପରଓମ୍ୟାନ୍‌

୨୦୧୯ରେ ଅଲ୍‌-ଗର୍ଲ ଆଫଗାନ୍‌ ରୋବୋଟିକ୍ସ ଟିମ୍‌କୁ ସାକ୍ଷାତ କରିଥିଲେ ଆମେରିକାର ‘ସୁପରଓମ୍ୟାନ୍‌’ ଭାବେ ଜଣା ଆଲିସନ୍‌ ରେନେୟୁ। ମହାକାଶ ନୀତି ବିଶେଷଜ୍ଞ ଆଲିସନ୍‌ ସେମାନଙ୍କୁ ଉଦ୍ଧାର ପାଇଁ ଆମେରିକା ସରକାରଙ୍କ ସହାୟତା ଲୋଡ଼ିଥିଲେ। ଏଥିରେ ବିଫଳ ହେବା ପରେ ସେ ନିଜେ ବିମାନରେ କାତାରରେ ପହଞ୍ଚିଥିଲେ। ସେଠାରୁ ଆମେରିକା ଦୂତାବାସ ସହଯୋଗରେ ସେମାନଙ୍କୁ ଆଫଗାନିସ୍ତାନରୁ ସୁରକ୍ଷିତ ଭାବେ କାତାରରେ ପହଞ୍ଚାଇଥିଲେ।

 

 

Share