Categories: ଜାତୀୟ

ଭାରତ ପହଞ୍ଚିଲେ ଆଫଗାନୀସ୍ତାନ ଶିଖ, ବଖାଣିଲେ ତାଲିବାନର ନିର୍ଯାତନା କାହାଣୀ…

ନୂଆଦିଲ୍ଲୀ, ୨୬।୯ : ଆଫଗାନିସ୍ତାନରେ ଅଟକି ରହିଥିବା ଏକ ଶିଖ ଦଳ  ଦିଲ୍ଲୀରେ ପହଞ୍ଚିଛନ୍ତି। ତାଲିବାନ ଶାସନ ଗ୍ରହଣ କରିବା ପରଠାରୁ ସେମାନେ ଆଫଗାନିସ୍ତାନ ଛାଡିବାକୁ ଚେଷ୍ଟା କରୁଥିଲେ। ସୂଚନା ଅନୁଯାୟୀ, ଏହା ହେଉଛି ଶେଷ ଶିଖ ଶରଣାର୍ଥୀ ଦଳ। ଏହି ଶିଖମାନଙ୍କ ଇ-ଭିଜାକୁ ବହିର୍ବ୍ୟାପାର ମନ୍ତ୍ରଣାଳୟ ଅନୁମୋଦନ କରିବା ପରେ ସେମାନେ ଭାରତରେ ପହଞ୍ଚିଛନ୍ତି। ଏହି ଦଳରେ ୩୮ ଜଣ ବୟସ୍କ, ୧୭ ଛୋଟ ପିଲା ଏବଂ ତିନି ଶିଶୁ ଅଛନ୍ତି। ଭାରତରେ ପହଞ୍ଚିବା ପରେ ଏହି ଶରଣାର୍ଥୀମାନେ ତାଲିବାନର ନିର୍ଯାତନା କାହାଣୀ ବଖାଣିଛନ୍ତି।

ଭାରତରେ ପହଞ୍ଚିଥିବା ଆଫଗାନିସ୍ତାନ ଶିଖ ବଲଜିତ ସିଂ କହିଛନ୍ତି ଯେ ଆଫଗାନିସ୍ତାନର ଅବସ୍ଥା ଭଲ ନୁହେଁ। ମୋତେ ଚାରି ମାସ ଜେଲରେ ରଖିଥିଲେ। ତାଲିବାନ ଆମପ୍ରତି ବିଶ୍ୱାସଘାତକତା କରିଛି। ଏପରିକି ସେମାନେ ଜେଲରେ ଆମର କେଶ କାଟିଛନ୍ତି। ମୁଁ ଭାରତ ସରକାରଙ୍କ ପ୍ରତି କୃତଜ୍ଞ ଏବଂ ଭାରତକୁ ଫେରିଥିବାରୁ ବହୁତ ଖୁସି। ଅନ୍ୟ ଜଣେ ଶରଣାର୍ଥୀ ସୁଖବୀର ସିଂ ଖାଲସା କହିଛନ୍ତି ଯେ ଆମେ ଭାରତ ସରକାରଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛୁ କାରଣ ଏଠାକୁ ଆସିବା ପାଇଁ ଆମକୁ ଇ-ଭିଜା ଯୋଗାଇ ଦିଆଯାଇଥିଲା। ବର୍ତ୍ତମାନ ସୁଦ୍ଧା ଆମର ଅନେକ ପରିବାର ସଦସ୍ୟ ଆଫଗାନିସ୍ତାନରେ ଅଟକି ରହିଛନ୍ତି। ପ୍ରାୟ ୩୦-୩୫ ଲୋକ ଏପର୍ଯ୍ୟନ୍ତ ଆଫଗାନିସ୍ତାନ ଛାଡି ପାରି ନାହାଁନ୍ତି।

ଆମ ଆଦମୀ ପାର୍ଟିର ରାଜ୍ୟସଭା ସଦସ୍ୟ ବିକ୍ରମଜିତ୍ ସିଂ ସାହନି କହିଛନ୍ତି ଯେ ସେଠାରେ ଫସି ରହିଥିବା ଏହି ଶେଷ ବ୍ୟାଚ ଲୋକଙ୍କୁ ଫେରାଇ ଆଣିବା ପାଇଁ ଆମେ ବହିର୍ବ୍ୟାପାର ମନ୍ତ୍ରଣାଳୟ ସହିତ ନିରନ୍ତର ଯୋଗାଯୋଗରେ ରହିଛୁ। ସେମାନଙ୍କୁ ସ୍ବାଗତ କରିବା ପାଇଁ ଏକ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି।

Share