ଶେଷ ହେଲା ରକ୍ତପାତ, ଏବେ କାମକୁ ଫେର

କାବୁଲ,୯।୯: ଆଫଗାନିସ୍ତାନରେ ରକ୍ତପାତର ସମୟ ଶେଷ ହୋଇଛି। ଯୁଦ୍ଧ ପ୍ରଭାବିତ ଦେଶର ପୁନଃ ନିର୍ମାଣ ଗୁରୁଦାୟିତ୍ୱ ଆମକୁ ବହନ କରିବାକୁ ପଡ଼ିବ। ପୂର୍ବ ସରକାରର ଅଧିକାରୀମାନେ ନିଜ ନିଜ କର୍ମସ୍ଥଳକୁ ଫେରିଆସନ୍ତୁ। ସେମାନଙ୍କୁ ସମ୍ପୂର୍ଣ୍ଣ ସୁରକ୍ଷା ଦିଆଯିବ ବୋଲି ଗୁରୁବାର ତାଲିବାନ୍‌ର କାମଚଳା ପ୍ରଧାନମନ୍ତ୍ରୀ ମୁଲ୍ଲା ମହମ୍ମଦ ହାସନ ଅଖୁନ୍ଦ ପରାମର୍ଶ ଦେଇଛନ୍ତି।

ତାଲିବାନ୍‌ ପକ୍ଷରୁ ଅନ୍ତରୀଣ ସରକାରର ୩୩ କ୍ୟାବିନେଟ ସଦସ୍ୟଙ୍କ ନାମ ଘୋଷଣା ପରେ ପ୍ରଧାନମନ୍ତ୍ରୀ ହାସନ ଅଖୁନ୍ଦ ପ୍ରଥମ ଥର ପାଇଁ କହିଛନ୍ତି, ଆଫଗାନିସ୍ତାନରେ ଏହି ଐତିହାସିକ ମୁହୂର୍ତ୍ତକୁ ଦେଖିବା ଲାଗି ଆମକୁ ବହୁମୂଲ୍ୟ ଦେବାକୁ ପଡ଼ିଛି। ପୂର୍ବ ସରକାର ଅମଳର ଅଧିକାରୀମାନଙ୍କୁ କାମକୁ ଫେରିବାକୁ ଆମେ ଅନୁରୋଧ କରୁଛୁ। ୨୦୦୧ରେ ଆମେରିକା ନେତୃତ୍ୱରେ ହୋଇଥିବା ଆକ୍ରମଣ ପରଠାରୁ ଯେଉଁମାନେ ସରକାରରେ କାମ କରୁଥିଲେ ସେମାନଙ୍କୁ ସର୍ବକ୍ଷମା ଦିଆଯିବ ବୋଲି ତାଲିବାନ୍‌ ଦେଇଥିବା ପ୍ରତିଶ୍ରୁତି ରକ୍ଷା କରାଯିବ।

Share