Categories: ଖେଳ

ହୃଦୟ ଜିତିଲେ ଆଫଗାନିସ୍ତାନ କ୍ରିକେଟର୍‌

ଲଣ୍ଡନ,୨୫।୮: ଆଫଗାନିସ୍ତାନ କ୍ରିକେଟର୍‌ ରସିଦ ଖାନଙ୍କ ଚମତ୍କାର ବ୍ୟାଟିଂ ହେତୁ ସସେକ୍ସ ଦଳ ୨୦୧୮ପରେ ଟି -୨୦ ବ୍ଲାଷ୍ଟରେ ପ୍ରଥମଥର ସେମିଫାଇନାଲରେ ପ୍ରବେଶ କରିବାରେ ସଫଳ ହୋଇଛି। କ୍ୱାର୍ଟର ଫାଇନାଲରେ ସସେକ୍ସ ୟର୍କସାୟାରକୁ ୫ ଉଇକେଟରେ ପରାସ୍ତ କରିଛି। ୭ ଉଇକେଟ ହରାଇ ୟର୍କସାୟାର ୧୭୭ ରନ ସଂଗ୍ରହ କରିଥିଲା। ସସେକ୍ସଙ୍କ ପାଇଁ ଏଭଳି ସ୍କୋରକୁ ଗୋଡ଼ାଇବା କଷ୍ଟକର ହୋଇପଡିଥିବାବେଳେ ସେମାନଙ୍କ ଉଇକେଟ ମଧ୍ୟ ନିୟମିତ ବ୍ୟବଧାନରେ ହ୍ରାସ ପାଉଛି। କିନ୍ତୁ ରସିଦ ଖାନ ପୁନର୍ବାର ବ୍ୟାଟ୍ସମ୍ୟାନ ଭାବରେ ଆଶା ପୂରଣ କରିଥିଲେ। ସେ ୯ ବଲରେ ୨୭ ରନ ସ୍କୋର କରି ୟର୍କସାୟାରକୁ ପରାସ୍ତ କରିଥିଲେ। ରସିଦଙ୍କ ଇନିଂସରେ ୩ ଚୌକା ଓ ଦୁଇଟି ଛକା ଅନ୍ତର୍ଭୁକ୍ତ ହୋଇଥିଲା। ୧୮ତମ ଓଭରରେ ରସିଦ ଖାନ ବ୍ୟାଟିଂ କରିବାକୁ ବାହାରିଥିଲେ ସେତେବେଳେ ସସେକ୍ସଙ୍କ ଚାରିଟି ଉଇକେଟ ଖସି ଯାଇଥିଲା। ଜିତିବା ପାଇଁ୨୧ ବଲରୁ ୪୩ ରନ ଆବଶ୍ୟକ ଥିଲା। ରସିଦ ଖାନ କ୍ରିଜକୁ ଆସିବା ମାତ୍ରେ ଝଲକ ଦେଖାଇଥିଲେ। ନିଜ ଦେଶକୁ ତାଲିବାନମାନେ କବ୍‌ଜା କରିଥିବାବେଳେ ରସିଦ ଚାପରେ ଥାଇ ଚମତ୍କାର ଖେଳ ପ୍ରଦର୍ଶନ କରି ସମସ୍ତଙ୍କ ଦୃଦୟ ଜିତିଥିଲେ।

Share