ନୂଆଦିଲ୍ଲୀ,୧୫।୯: ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଦ୍ୱିତୀୟ T20 ମ୍ୟାଚ ଆରମ୍ଭ ହେବାକୁ ଯାଉଛି। ତେବେ ଏହା ପୂର୍ବରୁ ପ୍ରଥମ T20ରେ ବୈଭବ ସୂର୍ଯ୍ୟବଂଶୀଙ୍କୁ ପ୍ଲେଇଂ ଇଲେଭେନ୍ରୁ ବାଦ୍ ଦିଆଯିବାକୁ ନେଇ ବଡ଼ ପ୍ରଶ୍ନ ଉଠିଛି। ଭାରତର ପୂର୍ବତନ ଓପନର୍ କୃଷ୍ଣମାଚାରୀ ଶ୍ରୀକାନ୍ତ ଏହି ନିଷ୍ପତ୍ତିକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି।
ଶ୍ରୀକାନ୍ତଙ୍କ ମତରେ, ପୂର୍ବ ମ୍ୟାଚରେ ପ୍ଲେୟର ଅଫ ଦି ମ୍ୟାଚ ହୋଇଥିବା ବୈଭବଙ୍କୁ ପରବର୍ତ୍ତୀ ମ୍ୟାଚ୍ରୁ ଡ୍ରପ କରାଯିବା ଠିକ ନୁହେଁ। ଏହାକୁ ସେ ବୈଭବଙ୍କ ସହ ହୋଇଥିବା ଅନ୍ୟାୟ ବୋଲି କହିଛନ୍ତି।
ଶ୍ରୀକାନ୍ତ ନିଜ ୟୁଟ୍ୟୁବ ଚ୍ୟାନେଲରେ କହିଛନ୍ତି ଯେ, ପ୍ରଥମ T20ରେ ବୈଭବ ଖେଳୁନଥିବା ଦେଖି ସେ ମ୍ୟାଚ ବଦଳରେ ମୁଭି ଦେଖିବାକୁ ଚାଲିଯାଇଥିଲେ। ବୈଭବଙ୍କୁ ପ୍ଲେଇଂ ଇଲେଭେନରେ ନଦେଖି ତାଙ୍କ ପତ୍ନୀ ମଧ୍ୟ ଆଶ୍ଚର୍ଯ୍ୟ ହୋଇଥିଲେ।
ଶ୍ରୀକାନ୍ତ କହିଛନ୍ତି, ତାଙ୍କ ପତ୍ନୀ ମଧ୍ୟ ପ୍ରଶ୍ନ କରିଥିଲେ ଯେ, ଗତ ମ୍ୟାଚରେ ପ୍ଲେୟର ଅଫ ଦି ମ୍ୟାଚ ହୋଇଥିବା ଖେଳାଳିଙ୍କୁ କାହିଁକି ବାଦ ଦିଆଗଲା? ତାଙ୍କ ମତରେ ବୈଭବଙ୍କ ସହ ଏଭଳି ବ୍ୟବହାର ଠିକ ନୁହେଁ। ଶ୍ରୀକାନ୍ତ ଭାରତୀୟ ଟିମ ମ୍ୟାନେଜମେଣ୍ଟକୁ ବୈଭବଙ୍କ ଉପରେ ଭରସା ରଖିବାକୁ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି ଯେ, ଜଣେ ଯୁବ ଖେଳାଳିଙ୍କୁ ସୁଯୋଗ ଦେବା ସହ ତାଙ୍କ ଉପରେ ଭରସା ରଖିବା ମଧ୍ୟ ଜରୁରୀ।
ସେ ଆହୁରି କହିଛନ୍ତି ଯେ, ଓପନିଂ ଯୋଡ଼ିକୁ ବାରମ୍ବାର ବଦଳାଇବା ଟିମ ପାଇଁ ଭଲ ନୁହେଁ। ଯଦି କୌଣସି ଖେଳାଳିଙ୍କୁ ଦଳରେ ରଖାଯାଉଛି, ତେବେ ତାଙ୍କୁ ନିଜକୁ ପ୍ରମାଣ କରିବା ପାଇଁ ପର୍ଯ୍ୟାପ୍ତ ସୁଯୋଗ ମିଳିବା ଉଚିତ।
ଆଫଗାନିସ୍ତାନ ବିପକ୍ଷ ପ୍ରଥମ T20ରେ ବୈଭବଙ୍କୁ ବେଞ୍ଚରେ ବସାଇ ସଞ୍ଜୁ ସାମସନ ଓ ଅଭିଷେକ ଶର୍ମାଙ୍କୁ ଓପନିଂ ପାଇଁ ପଠାଯାଇଥିଲା।
ଏହାକୁ ନେଇ ଶ୍ରୀକାନ୍ତ କହିଛନ୍ତି ଯେ, ଟିମ ଇଣ୍ଡିଆକୁ ଗୋଟିଏ ନିଷ୍ପତ୍ତିରେ ସ୍ଥିର ରହିବା ଦରକାର। ଯଦି ସଞ୍ଜୁ ସାମସନଙ୍ଙ୍କୁ ଖେଳାଯାଉଛି, ତେବେ ତାଙ୍କୁ ପର୍ଯ୍ୟାପ୍ତ ମ୍ୟାଚ ଦେବା ଦରକାର। ସେହିପରି ବୈଭବଙ୍କୁ ଖେଳାଇଲେ ମଧ୍ୟ ତାଙ୍କୁ ଲଗାତାର ସୁଯୋଗ ମିଳିବା ଆବଶ୍ୟକ।