ଅଧିକ ଟେଷ୍ଟ ପାଇଁ ପରାମର୍ଶ

ଭଦ୍ରକ ଅଫିସ, ୮ା୮- ବାଣିଜ୍ୟ ଓ ପରିବହନ ପ୍ରମୁଖ ଶାସନ ସଚିବ ତଥା ଭଦ୍ରକ ଜିଲା କୋଭିଡ୍‌ ପର୍ଯ୍ୟବେକ୍ଷକ ମଧୁସୂଦନ ପାଢ଼ୀ ଶୁକ୍ରବାର ଜିଲା ଗସ୍ତରେ ଆସି କୋଭିଡ୍‌ ସମ୍ପର୍କୀତ ବିଭିନ୍ନ ସମୀକ୍ଷା କରି ଫେରିଛନ୍ତି। ଜିଲାରେ ଶୁକ୍ରବାର ସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା ୮୫୫ ଛୁଇଁଥିବା, ୪ ଜଣ ମୃତ୍ୟୁବରଣ କରିଥିବା, ୨୧,୩୬୬ ଜଣଙ୍କ ସ୍ବାବ୍‌ ପରୀକ୍ଷା କରାଯାଇଥିବା ବର୍ତ୍ତମାନ ସୁଦ୍ଧା ୬୨୫ ଜଣ ସୁସ୍ଥ ହୋଇଥିବା ଓ ୨୨୬ ଜଣ ଚିକିସତ୍ାଧିନ ଥିବା ଜିଲା ପ୍ରଶାସନ ସୂଚନା ଦେଇଥିଲା। ଜିଲାରେ ଅଧିକରୁ ଅଧିକ ସନ୍ଦିଗ୍ଧଙ୍କ ଯେଭଳି ପରୀକ୍ଷା କରାଯାଇପାରିବ ସେନେଇ ସଚିବ ଗୁରୁତ୍ୱାରୋପ କରିଥିଲେ। ଜିଲାରେ ବଢ଼ୁଥିବା ସଂକ୍ରମଣକୁ ଆଖି ଆଗରେ ରଖି କୋଭିଡ୍‌ କେୟାର ସେଣ୍ଟର ବୃଦ୍ଧି କରିବା ପାଇଁ ଜିଲା ପ୍ରଶାସନକୁ ପରାମର୍ଶ ଦେଇଥିଲେ। ପ୍ରତି ବ୍ଲକ ମୁଖ୍ୟାଳୟ, ସହରାଞ୍ଚଳମାନଙ୍କରେ ଭ୍ରାମ୍ୟମାଣ ଟେଷ୍ଟିଂ କ୍ୟାମ୍ପ କରି ଉଠା ଦୋକାନୀ ଓ ବଜାରକୁ ଆସୁଥିବା ଗ୍ରାହକଙ୍କ ସ୍ବାବ୍‌ ପରୀକ୍ଷା କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଶେଷରେ ଧାମନଗର ସ୍ଥିତ କୋଭିଡ୍‌ କେୟାର ସେଣ୍ଟର ପରିଦର୍ଶନ କରି ସେଠାରେ ଥିବା ବିଭିନ୍ନ ସମସ୍ୟା ପଚାରି ବୁଝିଥିଲେ। ବୈଠକରେ ଜିଲାପାଳ ଡ. ଜ୍ଞାନ ରଞ୍ଜନ ଦାସ, ଏସ୍‌ପି ରାଜେଶ ପଣ୍ଡିତ, ଅତିରିକ୍ତ ଜିଲାପାଳ ଶ୍ୟାମଭକ୍ତ ମିଶ୍ର ଓ ଅରୁଣ ମହାପାତ୍ର, ଉପଜିଲାପାଳ ପୀତାମ୍ବର ସାମଲ, ଜିଲା ପ୍ରକଳ୍ପ ଅଧିକାରୀ ମଧୁସୂଦନ ଦାସଙ୍କ ସମେତ ବହୁ ଜିଲାସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ।