Categories: ଜାତୀୟ

ବିଜ୍ଞାପନ ବିବାଦ, ଭାଜପା- ଏଏପି ମୁହାଁମୁହିଁ…

ନୂଆଦିଲ୍ଲୀ, ୨୬।୧୨: ବିଜ୍ଞାପନ ନେଇ ଭାଜପା ଏବଂ ଆମ୍‌ ଆଦ୍‌ମୀ(ଏଏପି) ମଧ୍ୟରେ ବିବାଦ ବଢ଼ିବାରେ ଲାଗିଛି। ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ବିଜ୍ଞାପନରେ ଅନାବଶ୍ୟକ ଖର୍ଚ୍ଚ କରୁଥିବା ମନ୍ତବ୍ୟ କେନ୍ଦ୍ରୀୟ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଦେବା ପରେ ଭାଜପା ଏବଂ ଏଏପି ମଧ୍ୟରେ ମୁହାଁମୁହିଁ ସ୍ଥିତି ସୃଷ୍ଟି ହୋଇଛି।

ଶାହାଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ପ୍ରକାଶ କରି ଆମ ଆଦମୀ ପାର୍ଟି କହିଛି ଯେ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବାର୍ଷିକ ୨,୦୦୦ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ଅପରପକ୍ଷରେ ଦିଲ୍ଲୀ ସରକାର ବିଜ୍ଞାପନରେ ୭୦ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ଭାଜପା ଅଧୀନରେ ଥିବା ଦିଲ୍ଲୀର ମ୍ୟୁନିସିପାଲିଟି କର୍ପୋରେସନ ସବୁଠାରୁ ଦୁର୍ନୀତିଗ୍ରସ୍ତ ସଂଗଠନ ବୋଲି ଏଏପି କହିଛି।

ନିଗମର ସମସ୍ତ ଟଙ୍କା ଭାଜପା ନେତାଙ୍କ ପକେଟକୁ ଯାଉଛି। ଦିଲ୍ଲୀରେ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ଯୋଗୀ ଆଦିତ୍ୟନାଥଙ୍କ ବିଜ୍ଞାପନ ରହିଛି। ସେମାନଙ୍କର ବିଜ୍ଞାପନ ଦିଲ୍ଲୀର ଖବରକାଗଜରେ ଦେଖାଯାଉଛି।

ବର୍ତ୍ତମାନ ଜାତୀୟ ରାଜଧାନୀରେ ଦିଲ୍ଲୀ ସରକାରଙ୍କ ୧୦୮ ଟି ହୋର୍ଡିଂ ଅଛି। ଅପରପକ୍ଷେ, ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ଏବଂ ଯୋଗୀଙ୍କର ୮୫୦ ହୋର୍ଡିଂ ଅଛି। ଯୋଗୀ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ, ତେବେ ସେ କାହିଁକି ଦିଲ୍ଲୀରେ ଏତେ ବିଜ୍ଞାପନ ଦେଉଛନ୍ତି ବୋଲି ଏଏପି ଅଭିଯୋଗ କରିଛି।

Share