କରୋନାରେ ନିଶାସେବନର କୁପ୍ରଭାବ

ଡ. ଭାରତ ଭୂଷଣ ରଥ

ଅମୂଲ୍ୟ ମାନବ ଜୀବନ। ଏହି ଜୀବନର ସୁରକ୍ଷା ମାନବର ସର୍ବପ୍ରଥମ କର୍ତ୍ତବ୍ୟ। ମାନବ ନିଜ ଜୀବନକୁ ଜିଇବାର ଏକ ସ୍ବତନ୍ତ୍ର କଳା ଅଛି। ଜୀବନ ଜିଇବାର କଳା ଆମେ ବିଭିନ୍ନ ସଦ୍‌ ଗ୍ରନ୍ଥ ଏବଂ ସତ୍‌ ପୁରୁଷଙ୍କର ସାନ୍ନିଧ୍ୟରୁ ପାଇପାରିବା। ସବୁଠାରୁ ସରଳ ଉପାୟ ହେଲା, ନିଜ ବିବେକକୁ ପଚାରି ଦେଲେ ଆମେ ପାଇଯିବା ଜୀବନବିଷୟକ ସମସ୍ତ ଶଙ୍କାର ସମାଧାନ। ମାନବ ଶରୀରରେ ସୂକ୍ଷ୍ମ ରୂପରେ ବିରାଜମାନ କରିଥିବା ଆତ୍ମା ହିଁ ବିବେକ ମାଧ୍ୟମରେ ଆମକୁ ଏକ ପୂର୍ଣ୍ଣାଙ୍ଗ ଜୀବନର ମନ୍ତ୍ର ପଢ଼ାଏ। ତେବେ ପ୍ରଶ୍ନ ଉଠେ ସବୁ ମାନବ କ’ଣ ନିଜ ବିବେକକୁ ସମ୍ମାନ ଦିଅନ୍ତି? ଏହି ପ୍ରଶ୍ନର ଉତ୍ତର ନିଶ୍ଚୟ ନକାରାତ୍ମକ ଦିଗକୁ ଅଙ୍ଗୁଳି ନିକ୍ଷେପ କରେ। ଅଧିକାଂଶ ମାନବ ନିଜ ମନର ଅଧୀନ। ବିବେକ ସେମାନଙ୍କ ପାଖରେ ଶୂନ୍ୟ। ଆଜିର କରୋନା ମହାମାରୀ ସମୟରେ ଠିକ୍‌ ସେମିତି ଏକ ଘଟଣା ଆମ ନଜରରେ ବାରମ୍ବାର ଉଦ୍ଭାସିତ ହେଉଛି। ତାହାହେଲା ମଦ ଏବଂ ସିଗାରେଟ୍‌ ପ୍ରଭୃତି ମାଦକଦ୍ରବ୍ୟ ସେବନ କରୁଥିବା ମାନବଙ୍କର କରୋନାଜନିତ ମୃତ୍ୟୁ।
ଆମେ ସାଧାରଣଭାବରେ ଦେଖିବାକୁ ପାଉଛୁ କରୋନାଭୂତାଣୁର ଶିକାର ହେଉଥିବା ବ୍ୟକ୍ତିମାନଙ୍କ ମଧ୍ୟରେ ସାଧାରଣତଃ ତିନୋଟି ଶ୍ରେଣୀର ବ୍ୟକ୍ତି ବିଶେଷଭାବରେ ମୃତ୍ୟୁମୁଖର ସମ୍ମୁଖୀନ ହେଉଛନ୍ତି। ପ୍ରଥମତଃ ବିଭିନ୍ନ ଗୁରୁତର ରୋଗରେ ପୀଡ଼ିତ ମାନବ ଯଦି କରୋନା କବଳିତ ହେଲେ ତେବେ ସେମାନଙ୍କ ମଧ୍ୟରୁ ଅନେକେ ମୃତ୍ୟୁମୁଖର ସମ୍ମୁଖୀନ ହେଉଛନ୍ତି। ଦ୍ୱିତୀୟତଃ ମଦ ଏବଂ ସିଗାରେଟ୍‌ ପ୍ରଭୃତି ନାନାବିଧ ମାଦକଦ୍ରବ୍ୟ ସେବନ କରୁଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ କିଛି ବ୍ୟକ୍ତି କରୋନାରେ ପ୍ରାଣ ହରାଉଛନ୍ତି। ତୃତୀୟତଃ ରୋଗ ପ୍ରତିରୋଧକ ଶକ୍ତିର ନୂ୍ୟନତା, ଧୈର୍ଯ୍ୟହରା ବ୍ୟକ୍ତି ତଥା ଚିକିତ୍ସା ଅଭାବରେ ରହିଯାଉଥିବା ବ୍ୟକ୍ତିଙ୍କ ମଧ୍ୟରୁ ଅନେକ ରୋଗୀ ଜୀବନ ହାରୁଛନ୍ତି। ତେବେ ପ୍ରଥମ ଏବଂ ତୃତୀୟ ପ୍ରକାରର ରୋଗୀଙ୍କର ଯଦି ମୃତ୍ୟୁ ହୁଏ ଆମେ ଭାଗ୍ୟକୁ ନିନ୍ଦା କରିବା ।
କିନ୍ତୁ ଦ୍ୱିତୀୟ ପ୍ରକାରର କରୋନା ରୋଗୀ ଯେଉଁମାନେ ନାନାପ୍ରକାର ମାଦକଦ୍ରବ୍ୟ ସେବନ କରି ନିଜ ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ଜାଣିଶୁଣି ନଷ୍ଟ କରିଦେଇଥାନ୍ତି ସେମାନଙ୍କ ପାଇଁ ଦାୟୀ କିଏ ? ଆମେ ଭଲଭାବରେ ଜାଣୁ ମଦ ଏକ ଏଭଳି ଦ୍ରବ୍ୟ, ଯାହା ସେବନ କଲେ ଶରୀରର ପ୍ରତ୍ୟେକ ଅଙ୍ଗପ୍ରତ୍ୟଙ୍ଗ ଏହାର କୁପ୍ରଭାବରେ ପ୍ରଭାବିତ ହୁଏ। ମଦ ଏବଂ ସିଗାରେଟ୍‌ ସର୍ବପ୍ରଥମେ ମାନବର ଶ୍ୱାସନଳୀ, ଖାଦ୍ୟନଳୀ ଏବଂ ଫୁସଫୁସ୍‌କୁ ନଷ୍ଟ କରିଥାଏ। ଅତ୍ୟଧିକ ମଦ୍ୟପାନ କରିବା ଦ୍ୱାରା ଉଚ୍ଚ ରକ୍ତଚାପ, ହାର୍ଟଆଟାକ୍‌, ଲିଭର ସମସ୍ୟା, କ୍ୟାନ୍‌ସର ଏବଂ ବିଭିନ୍ନ କ୍ରୋନିକ୍‌ ସମସ୍ୟା ସୃଷ୍ଟି ହୁଏ। କହିବାକୁ ଗଲେ ମଦ ହେଉଛି ଆଜୀବନ ଶରୀର ସମସ୍ୟା ସୃଷ୍ଟିକରୁଥିବା ଏକ ପ୍ରଭାବଶାଳୀ ବିଷ। ତେଣୁ ଯେତେବେଳେ ମାଦକଦ୍ରବ୍ୟ ପାନ କରୁଥିବା ବ୍ୟକ୍ତି କୋଭିଡ୍‌ ପଜିଟିଭ୍‌ ଚିହ୍ନଟ ହୁଅନ୍ତି ସର୍ବପ୍ରଥମେ ସେମାନଙ୍କର ଶ୍ୱାସନଳୀ ପ୍ରଭାବିତ ହୋଇ ତା’ପରେ ବହୁତ ଶୀଘ୍ର ଫୁସ୍‌ଫୁସ୍‌କୁ ଅମ୍ଳଜାନ ସରବରାହ ବନ୍ଦ ହୋଇଯାଉଛି। ଏହାର ପ୍ରଭାବ ଏତେ କ୍ଷତିକାରକ ହେଉଛି ଯେ, ଅମ୍ଳଜାନ ସିଲିଣ୍ଡର ଏବଂ ଭେଣ୍ଟିଲେଟର ପ୍ରଭୃତି ମଧ୍ୟ ସେହି ରୋଗୀଙ୍କୁ ଜୀବନଦାନ ଦେବାରେ ସମର୍ଥ ହେଉନାହିଁ। ତେଣୁ ଏହି ସବୁ ମନ୍ଦ ଅଭ୍ୟାସ ରଖିଥିବା ଅନେକ ବ୍ୟକ୍ତି ବର୍ତ୍ତମାନ କୋଭିଡ୍‌ ଦ୍ୱାରା ସଂକ୍ରମିତ ହୋଇ ଅକାଳରେ ପ୍ରାଣ ହରାଇବା ସହିତ ନିଜ ପରିବାରର ସୁଖସମୃଦ୍ଧିକୁ ଉଜାଡ଼ି ଦେଉଛନ୍ତି।
‘ମଦ’ ଭାରତରେ ଏକ ଏଭଳି ବିଷାକ୍ତ ପରିବେଶ ସୃଷ୍ଟି କରିଛି, ଯାହା ଦିନକୁ ଦିନ ଭାରତର ମେରୁଦଣ୍ଡକୁ ଭାଙ୍ଗି ଦେଉଛି। ବିଶେଷକରି ଭାରତର ଜନସଂଖ୍ୟାର ଅର୍ଦ୍ଧାଧିକ ହେଉଛନ୍ତି ଯୁବକ ଏବଂ ଯୁବତୀ। ଭାରତୀୟ ଯୁବବର୍ଗ ଚାହିଁଲେ ବିଶ୍ୱ ପରିବର୍ତ୍ତନ କରିପାରିବେ। କିନ୍ତୁ ବିଡ଼ମ୍ବନାର ବିଷୟ ଭାରତର ଯୁବବର୍ଗର ଏକ ସିଂହଭାଗ ମଦକୁ ଆଶ୍ରୟ କରି ଜୀବନ କାଟନ୍ତି। ମଦ ଭାରତର ଅନେକ ଯୁବକଙ୍କୁ କରିଦେଇଛି ଅକର୍ମଣ୍ୟ, ଅଭାବଗ୍ରସ୍ତ ଏବଂ ଏକ ଅଭିଶପ୍ତ ଜୀବନର ନମୁନା। ଧନୀ ଏବଂ ଗରିବ ଆଜି ଭାରତର ଅଧିକାଂଶ ଘର ମଦର କବଳରେ କବଳିତ। ତନ୍ମଧ୍ୟରେ ବିଷାକ୍ତ ମଦର ପ୍ରଭାବ ମଧ୍ୟ କିଛି କମ୍‌ ନୁହେଁ । ମଦକୁ ଜୀବନର ଆୟୁଧ କରି ବଞ୍ଚୁଥିବାର ନମୁନା ପ୍ରତି ଗାଁ ଗହଳିରୁ ଆରମ୍ଭ କରି ସହର ବଜାର ପର୍ଯ୍ୟନ୍ତ ପରିବ୍ୟାପ୍ତ।
ଆଜିର କରୋନା ବିଭୀଷିକା ସମୟରେ ମାନବସମାଜ ନିଜର ନୀଚ ଅଭିରୁଚିକୁ ଯଥାଶୀଘ୍ର ପରିବର୍ତ୍ତନ କରିବା ଆବଶ୍ୟକ। ଜୀବନର ଆରମ୍ଭ ଭଗବାନଙ୍କର ଅମୃତସ୍ପର୍ଶରେ ହୋଇଥାଏ । ବାପା ଏବଂ ମା’ଙ୍କର ଦିବ୍ୟ ସାନ୍ନିଧ୍ୟରେ ସୃଷ୍ଟି ହୋଇଥିବା ନୂତନ ଜୀବନଟିକୁ ମଦ୍ୟପାନ କରି ନିଜ ହସ୍ତରେ ଅନର୍ଥ କରିଦେବା ଅପେକ୍ଷା ଏ ଜୀବନର ସୁରକ୍ଷା କରିବା ଆମ୍ଭର ସର୍ବପ୍ରଥମ କର୍ତ୍ତବ୍ୟ ହେଉ। ଜୀବନର ସୃଷ୍ଟି ହୋଇଛି ମାନେ ନିଶ୍ଚୟ ଦିନେ ନା ଦିନେ ବିଦାୟ ନେବ। କିନ୍ତୁ ନିଶାଦ୍ରବ୍ୟ ସେବନ କରି ଜୀବନକୁ ନଷ୍ଟ କରିଦେବା ସମାଜ ଏବଂ ଭଗବାନଙ୍କ ସମ୍ମୁଖରେ ନିଶ୍ଚୟ ଘୃଣ୍ୟତର କାର୍ଯ୍ୟର ନମୁନା। ତେଣୁ ମାଦକଦ୍ରବ୍ୟ ସେବନ କରୁଥିବା ପ୍ରତିଟି କୋଭିଡ୍‌ ରୋଗୀ ଯୋଗ, ପ୍ରାଣାୟାମ କରିବା ପୂର୍ବକ ଏବଂ ଡାକ୍ତରଙ୍କର ସମସ୍ତ ପରାମର୍ଶକୁ ସମ୍ମାନ ଦେବା ସହିତ ଭବିଷ୍ୟତ ଜୀବନରେ ନିଜର କୁଅଭ୍ୟାସଠାରୁ ଦୂରେଇ ରହିବା ପାଇଁ ସଂକଳ୍ପବଦ୍ଧ ହେବା ଏକାନ୍ତ ଆବଶ୍ୟକ। ଏହି ସଂକଳ୍ପ ହିଁ ସେମାନଙ୍କୁ କରୋନା କବଳରୁ ରକ୍ଷା କରିପାରିବ।
ଅଧ୍ୟାପକ, ସଂସ୍କୃତସାହିତ୍ୟ କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ, ତିରୁପତି (ଆ.ପ୍ର.)
ମୋ:୮୮୯୭୪୨୬୨୪୩


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦିଲ୍ଲୀର କିଡ୍‌ଓ୍ବାଇ ନଗରରେ ଚାଲୁଛି ଏକ ନିଆରା ସ୍କୁଲ। ଏହି ସ୍କୁଲର ଘର ନାହିଁ କି କୌଣସି ସରକାରୀ ପାଠ୍ୟକ୍ରମ ଅନୁଯାୟୀ ଶିକ୍ଷା ଦିଆଯାଉନାହିଁ। ପିଲାମାନେ ଗଛମୂଳେ…

ନେତା ହେବାକୁ ଅନୁକୂଳ ପରିବେଶ

ସଭା ସମିତି, ଜଳଖିଆ ଦୋକାନ, ଚା’ ଦୋକାନ, ପାନ ଦୋକାନ ଆଗରେ ଓ ଘରେ ବସି ସାଙ୍ଗସାଥୀ ସହିତ କଥାହେଲା ବେଳେ ଅନେକ ଶିକ୍ଷିତ ଲୋକ କହିଥା’ନ୍ତି,…

ନୈତିକ ମୂଲ୍ୟବୋଧ ଓ ଧର୍ମ

ଯେତେବେଳେ ଆମେ ଜଣେ କରୁଥିବା କାର୍ଯ୍ୟକୁ ‘ନୈତିକ’ ବୋଲି ବିଚାର କରୁ, ତାକୁ ଭଲ ଲୋକ କହୁ ଓ ଅନୈତିକ କାର୍ଯ୍ୟ କରୁଥିବା ଲୋକକୁ ମନ୍ଦ ଲୋକ…

ପାଖ ବିଦେଶ

ବାଂଲାଦେଶ ଜାତୀୟ ନିର୍ବାଚନରେ ଭୋଟ ହୋଇଥିବା ୨୯୯ ଆସନ ମଧ୍ୟରୁ ବାଂଲାଦେଶ ନ୍ୟାଶନାଲିଷ୍ଟ ପାର୍ଟି(ବିଏନ୍‌ପି) ଏକାକୀ ୨୦୯ ଆସନ ପାଇଥିବା ବେଳେ ସହଯୋଗୀଙ୍କୁ ମିଶାଇଲେ ସଂଖ୍ୟା ୨୧୨…

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri