୯ରୁ ଆଡଭାଣ୍ଟେଜ୍‌ ଅନୁଗୋଳ

ଅନୁଗୋଳ ଅଫିସ,୬ା୫

ଅନୁଗୋଳର ମାଟି ତଳେ ପାଖାପାଖି ୫୦ ହଜାର ୪୦୬ ମେଟ୍ରିକ ଟନ୍‌ କୋଇଲା ଗଚ୍ଛିତ ରହିଛି। ଶିଳ୍ପ ଓ ଶିଳ୍ପଭିତ୍ତିକ ତାଲିମ କ୍ଷେତ୍ରରେ ଜିଲା ବେଶ୍‌ ସମୃଦ୍ଧ। ଖଣି ଓ ଶିଳ୍ପ କ୍ଷେତ୍ରରେ ନିବେଶକଙ୍କ ପାଇଁ ଏଠାରେ ବ୍ୟାପକ ସୁଯୋଗ ରହିଛି। ଅନୁଗୋଳ ଜିଲା ପ୍ରଶାସନ ପକ୍ଷରୁ ନିବେଶକଙ୍କୁ ଆକୃଷ୍ଟ କରିବାକୁ ବିଭିନ୍ନ ପଦକ୍ଷେପ ହାତକୁ ନିଆଯାଇଛି। ଆସନ୍ତା ୯ ତାରିଖରୁ ଆରମ୍ଭ ହେବାକୁ ଥିବା ଆଡଭାଣ୍ଟେଜ ଅନୁଗୋଳ କାର୍ଯ୍ୟକ୍ରମକୁ ରାଜ୍ୟ ଓ ରାଜ୍ୟ ବାହାରୁ ବହୁ ନିବେଶକଙ୍କୁ ନିମନ୍ତ୍ରଣ କରାଯାଇଥିଲାବେଳେ ନିରନ୍ତର ପ୍ରଗତି ନେଇ ମାନସମନ୍ଥନ କରାଯିବ ବୋଲି ଖବରଦାତା ସମ୍ମିଳନୀରେ ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ପ୍ରକାଶ କରିଛନ୍ତି।
ଅନୁଗୋଳ ଜିଲା ବଅଁରପାଳରେ ଥିବା ଆଲୁମିନିୟମ ପାର୍କରେ ଆସନ୍ତା ୯ ତାରିଖରୁ ୨ ଦିନିଆ ଆଡଭାଣ୍ଟେଜ ଅନୁଗୋଳ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ପ୍ରଥମ ଦିନରେ ଆଲୁମିନିୟମ ଓ ଷ୍ଟିଲ ସମ୍ପର୍କିତ ନିବେଶ ପାଇଁ ଭିତ୍ତିଭୂମି ଓ ସୁଯୋଗ ନେଇ କାର୍ଯ୍ୟକ୍ରମ ଚାଲିବ। ଏଥିରେ ୫୦ରୁ ଅଧିକ କମ୍ପାନୀର ପ୍ରତିନିଧି ଯୋଗଦେବେ। ଦ୍ବିତୀୟ ଦିନରେ ଖଣି ଓ ଶିଳ୍ପାଞ୍ଚଳରେ ନିରନ୍ତର ପ୍ରଗତି ନେଇ ଆଲୋଚନା କରାଯିବ। ଜିଲା ପ୍ରଶାସନ ପକ୍ଷରୁ ପ୍ରଥମ ଥର ପାଇଁ ଏମିତି ପଦକ୍ଷେପ ନିଆଯାଇଛି ବୋଲି ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ କହିଛନ୍ତି। ଏହି କାର୍ଯ୍ୟକ୍ରମ ଦ୍ବାରା ଅନୁଗୋଳକୁ ଅଧିକ କମ୍ପାନୀ ଆସିବା ସହ ପୁଞ୍ଜିନିବେଶ ବଢ଼ିବାର ସମ୍ଭାବନା ରହିଛି। ଫଳରେ ଜିଲାର ପ୍ରଗତି ସହିତ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।
ଅନୁଗୋଳରେ ଥିବା ଭିତ୍ତିଭୂମି ନେଇ ସେମାନଙ୍କୁ ଅବଗତ କରାଯିବ। ଜିଲାର ତାଳଚେର ଓ ଛେଣ୍ଡିପଦା ଅଞ୍ଚଳରେ ୫୦ ହଜାର ୪୦୬ ମେଟ୍ରିକ ଟନ କୋଇଲା ଗଛିତ ରହିଥିଲାବେଳେ ଏହା ସାରା ଦେଶକୁ କୋଇଲା ରପ୍ତାନୀ କରୁଛି। ଅନୁଗୋଳରେ ୨ଟି ଇଞ୍ଜିନିୟରିଂ କଲେଜ, ଆଇଟିଆଇ, ୪ଟି ଧନ୍ଧାମୂଳକ କେନ୍ଦ୍ର ରହିଛି। ଏଠାରୁ ପ୍ରତିବର୍ଷ ବହୁ ତାଲିମପ୍ରାପ୍ତ ଯୁବତୀଯୁବକ ବାହାରୁଛନ୍ତି। ଯୋଗାଯୋଗ ଦୃଷ୍ଟିରୁ ବି ଅନୁଗୋଳରେ ସୁବିଧା ରହିଛି। ରାଜ୍ୟର କେନ୍ଦ୍ରସ୍ଥଳରେ ଏହା ରହିଥିଲାବେଳେ ଉପକୂଳ ଓଡ଼ିଶା ଓ ପଶ୍ଚିମ ଓଡ଼ିଶାକୁ ଯୋଡ଼ୁଥିବା ୫୫ ନମ୍ବର ଜାତୀୟ ରାଜପଥ ଯାଇଛି। ଅନ୍ୟପକ୍ଷରେ ତାଳଚେର ଓ ରାଉରକେଲାକୁ ଯୋଡ଼ିବା ପାଇଁ ୨୩ ନମ୍ବର ଜାତୀୟ ରାଜପଥ ରହିଛି। ରେଳ ଯୋଗାଯୋଗ କ୍ଷେତ୍ରରେ ବି ଜିଲା ସମୃଦ୍ଧ। ତେଣୁ ନିବେଶକଙ୍କ ପାଇଁ ଅନୁଗୋଳ ଏକ ପ୍ରକୃଷ୍ଟ ସ୍ଥାନ ବୋଲି ସେମାନଙ୍କୁ ବୁଝାଇବାକୁ ଉଦ୍ୟମ କରାଯିବ।
ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ବାଲକ୍ରିଷ୍ଣନ, ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ ତ୍ରିପାଠୀଙ୍କ ସମେତ ବିଭିନ୍ନ ବିଭାଗର ସଚିବ, ଖଣି ବିଶେଷଜ୍ଞ, ବିଭିନ୍ନ ଶିଳ୍ପାନୁଷ୍ଠାନର ମୁଖ୍ୟ, କମ୍ପାନୀ ଅଧିକାରୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଥିବା ଜିଲାପାଳ ସୂଚନା ଦେଇଛନ୍ତି।