ସରକାରୀ ଟିକାକେନ୍ଦ୍ରରେ ପଞ୍ଜୀକରଣ କରିପାରିବେ ସାବାଳକ

ନୂଆଦିଲ୍ଲୀ, ୨୫।୫: ଟିକାକରଣ ଲାଗି ୧୮ରୁ ୪୪ ବର୍ଷୀୟଙ୍କ ପାଇଁ କୋଓ୍ବିନ ପ୍ଲାଟ୍‌ଫର୍ମରେ ନାମ ପଞ୍ଜୀକରଣ ବାଧ୍ୟତାମୂଳକ କରାଯାଇଥିଲା। ଏହି ବୟସ ବର୍ଗର ଯେଉଁ ହିତାଧିକାରୀମାନେ ସ୍ମାର୍ଟଫୋନ୍‌ କିମ୍ବା ଇଣ୍ଟରନେଟ ସୁବିଧା ଅଭାବରୁ କୋଓ୍ବିନ ଡିଜିଟାଲ ପ୍ଲାଟ୍‌ଫର୍ମରେ ନାମ ପଞ୍ଜୀକରଣ କରିପାରୁ ନାହାନ୍ତି ଓ ଟିକା ନେବା ପାଇଁ ଆପଏଣ୍ଟମେଣ୍ଟ ପାଉନାହାନ୍ତି, ସେମାନେ ଏଣିକି ସରକାରୀ ଟିକାକେନ୍ଦ୍ରରେ ସିଧାସଳଖ ନାମ ପଞ୍ଜୀକରଣ କରିପାରିବେ। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୋମବାର ଏଭଳି ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ସୁବିଧା ଅଳ୍ପ କେତେଜଣଙ୍କୁ ଉପଲବ୍ଧ। ଅର୍ଥାତ୍‌ ଯେଉଁମାନେ ପୂର୍ବରୁ ନାମ ପଞ୍ଜୀକରଣ କରି ଟିକା ନେବା ଦିନ ଆସୁନାହାନ୍ତି, ସେମାନଙ୍କ ପାଇଁ ଉଦ୍ଦିଷ୍ଟ ଟିକାକୁ ତତ୍କାଳ ପଞ୍ଜୀକରଣ କରିଥିବା ହିତାଧିକାରୀଙ୍କୁ ପ୍ରଦାନ କରାଯିବ। ଟିକା ଅପଚୟ ରୋକିବା ପାଇଁ କେନ୍ଦ୍ର ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି। ସମ୍ପୃକ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସରକାରଙ୍କ ନିଷ୍ପତ୍ତିକ୍ରମେ ଏହା କାର୍ଯ୍ୟକାରୀ ହେବ। ତେବେ ଘରୋଇ କୋଭିଡ୍‌ ଟିକାକରଣ କେନ୍ଦ୍ରରେ ଏହି ସୁବିଧା ଉପଲବ୍ଧ ହେବନାହିଁ।

Share