Categories: ଜାତୀୟ

ସାବାଳକ ଧର୍ମ-ବର୍ଣ୍ଣ ନିର୍ବିଶେଷରେ ପସନ୍ଦ କରିପାରିବେ ଜୀବନ ସାଥୀ: ଆହ୍ଲାବାଦ୍‌ ହାଇକୋର୍ଟ

ପ୍ରୟାଗରାଜ,୨୪।୧୧: ସାବାଳକ ଧର୍ମ, ବର୍ଣ୍ଣ ନିର୍ବିଶେଷରେ ନିଜ ଜୀବନ ସାଥୀ ପସନ୍ଦ କରିପାରିବେ। ଏନେଇ ଆହ୍ଲାବାଦ ହାଇକୋର୍ଟ ଏକ ମାମଲାର ବିଚାର କରି ଏଭଳି ରାୟ ଦେଇଛନ୍ତି। ଦୁଇ ଭିନ୍ନ ଭିନ୍ନ ଧର୍ମର ସାବାଳକ ବିବାହ ପାଇଁ ମଧ୍ୟ ଧର୍ମ ପରିବର୍ତ୍ତନ କରିପାରିବେ। ଏହା ସେମାନଙ୍କର ଅଧିକାର ବୋଲି କୋର୍ଟ କହିଛନ୍ତି। କୁଶୀନଗରର ବିଷ୍ଣୁପୁରାରେ ବାସ କରୁଥିବା ସଲାମତ୍‌ ଅନସାରୀଙ୍କୁ ପ୍ରିୟଙ୍କା ଖରବାର ନାମକ ଜଣେ ସାବାଳିକା ୨୦୧୯ ଅଗଷ୍ଟ ୧୯ରେ ବିବାହ କରିବା ପରେ ଧର୍ମ ପରିବର୍ତ୍ତନ କରି ଆଲିଆ ହୋଇଥିଲେ। ଏନେଇ ପ୍ରିୟଙ୍କାଙ୍କ ପିତା ବିଷ୍ଣୁପୁରା ଥାନାରେ ଏକ ଅପହରଣ ମାମଲା ଦାଏର କରିଥିଲେ। ଏହା ବିରୋଧରେ ସଲାମତ ଏବଂ ଅନ୍ୟ ୨ ଜଣ ମାମଲା ଖାରଜ କରିବା ଲାଗି ହାଇକୋର୍ଟଙ୍କ ଆଶ୍ରୟ ନେଇଥିଲେ। ଏହାର ବିଚାର କରି ବିଚାରପତି ପଙ୍କଜ ନକ୍‌ଭୀ ଏବଂ ବିବେକ ଅଗ୍ରଓ୍ବାଲଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ କହିଛନ୍ତି ଯେ, ସାବାଳକଙ୍କ ନିଜ ପସନ୍ଦର ବିବାହରେ ପରିବାର ସଦସ୍ୟ ଅବା ଅନ୍ୟ କେହି ଅସ୍ତକ୍ଷେପ କରିପାରିବେ ନାହିଁ। ସେମାନଙ୍କର ଶାନ୍ତିପୂର୍ଣ୍ଣ ବୈବାହିକ ଜୀବନରେ କେହି ବାଧା ସୃଷ୍ଟି କରି ପାରିବେ ନାହିଁ। କୋର୍ଟ ବିଚାର ସମୟରେ କୌଣସି ଧର୍ମକୁ ଦେଖେ ନାହିଁ। କୋର୍ଟ କେବଳ ସାମ୍ବିଧାନିକ ବ୍ୟବସ୍ଥା ଆଧାରରେ ବିଚାର ହି କରିଥାଏ ବୋଲି ଖଣ୍ଡପୀଠ କହିଛନ୍ତି।

Share