ପୁନଃନିର୍ମାଣ ପାଇଁ ପ୍ରଶାସନିକ ନିର୍ଦ୍ଦେଶ

କୁଆଁରମୁଣ୍ଡା,୧୦।୯(ଡି.ଏନ.ଏ.): ନବ ନିର୍ମିତ ୪ ଥାକିଆ ୧୪୩ ନମ୍ବର ଜାତୀୟ ରାଜପଥର ବୀରମିତ୍ରପୁରଠାରୁ କୁଆଁରମୁଣ୍ଡା ଯମୁନାନାକି ପର୍ଯ୍ୟନ୍ତ ପ୍ରାୟ ୧୮ କି.ମି ଢଳେଇ ରାସ୍ତାର ଅଧିକାଂଶ ସ୍ଥାନରେ ଏବେ ଫାଟ ସୃଷ୍ଟି ହୋଇଛି। ରାଜପଥର ଏହି ଅଂଶ ନିର୍ମାଣ ଶେଷ ହେବାର ମାତ୍ର ୪ ମାସ ନ ପୁରୁଣୁ ଢଳେଇ ରାସ୍ତା ଫାଟି ଉଠିଯିବା ଘଟଣା ନିମ୍ନମାନର ନିର୍ମାଣ କାର୍ଯ୍ୟକୁ ସ୍ପଷ୍ଟ ଅଙ୍ଗୁଳି ନିର୍ଦ୍ଦେଶ କରୁଛି। ଏ ନେଇ ଗତ ଅଗଷ୍ଟ ୨୯ରେ କୁଆଁରମୁଣ୍ଡାରେ ଅନୁଷ୍ଠିତ ସୁନ୍ଦରଗଡ଼ ଜିଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ କୁଆଁରମୁଣ୍ଡା ନାଗରିକ କମିଟି ପକ୍ଷରୁ ଯୁବନେତା ରାଜେଶ କେର୍କେଟା, ରାଜୁ ତିୱାରୀ, ରାଜେଶ ହାସଦା, ଦିଲ୍ଲୀପ ଏକ୍କା, ସଂଜୀବ ପ୍ରତାପ ସିଂଦେଓ, ବୁଲୁ ଚାନ୍ଦ, ବୀରେନ୍ଦ୍ର ଯାଦବ, କମଳାକାନ୍ତ ଦାସ, ଦୁଷ୍ମନ୍ତ ପଟ୍ଟନାୟକ ପ୍ରମୁଖ ଏକ ଲିଖିତ ଅଭିଯୋଗ କରିଥିଲେ। ଜିଲାପାଳ ଡା.ପରାଗ ହର୍ଷଦ ଗଭାଲି ଏହି ଅଭିଯୋଗକୁ ଗ୍ରହଣ କରି ଏହାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଅନୁରୂପଭାବେ ଏହି ନିର୍ଦ୍ଦେଶ ଅନୁସାରେ ଶୁକ୍ରବାର ପାନପୋଷ ଉପଜିଲାପାଳ ଦୌଲତ ଚନ୍ଦ୍ରାକାର, ଜାତୀୟ ରାଜପଥ କର୍ତ୍ତୃପକ୍ଷ ବୀରମିତ୍ରପୁରରୁ ଯମୁନାନାକି ପର୍ଯ୍ୟନ୍ତ ନିର୍ମାଣାଧିନ ୪ ଥାକିଆ ୧୪୩ ନମ୍ବର ଜାତୀୟ ରାଜପଥକୁ ମିଳିତଭାବେ ଯାଞ୍ଚ କରିଛନ୍ତି। ଏହି ସମୟରେ କୁଆଁରମୁଣ୍ଡା ନାଗରିକ କମିଟି ପକ୍ଷରୁ ରାଜେଶ କେର୍କେଟା, ବୀରମିତ୍ରପୁର ପୌରପାଳିକା ଅଧ୍ୟକ୍ଷ ସନ୍ଦୀପ ମିଶ୍ର, ରାଜୁ ତିୱାରୀ, ସଂଜୀବପ୍ରତାପ ସିଂଦେଓ, କମଳାକାନ୍ତ ଦାସ, ଦିଲ୍ଲୀପ ଏକ୍କା, ବୁଲୁ ଚାନ୍ଦ ପ୍ରମୁଖଙ୍କ ସହ ବହୁ ସ୍ଥାନୀୟ ବ୍ୟକ୍ତି ଉପସ୍ଥିତ ରହି ନିମ୍ନମାନର ରାଜପଥ ନିର୍ମାଣ ସ୍ଥାନଗୁଡିକ ବୁଲାଇ ଦେଖାଇଥିଲେ। ଦୀର୍ଘ ୧୮ କି.ମି ରାଜପଥ ନିର୍ମାଣ କାର୍ଯ୍ୟ ତଦାରଖ କରିବା ପରେ ବାସ୍ତବରେ ନିମ୍ନମାନର କାର୍ଯ୍ୟ ହୋଇଥିବା ଅନୁଭବ କରିବା ପରେ ଉକ୍ତ ଢଳେଇକୁ ଖୋଳି ତାହାକୁ ପୁନର୍ବାର ନିର୍ମାଣ କରିବାକୁ ଏହି ଅବସରରେ ଉପସ୍ଥିତ ପ୍ରଶାସନିକ ଅଧିକାରୀମାନେ ଜାତୀୟ ରାଜପଥ କତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି। ଅନ୍ୟପକ୍ଷରେ କୁଆଁରମୁଣ୍ଡା-ପଦମପୁର ରାସ୍ତା ମଧ୍ୟ ଦେଇ ଯାଇଥିବା ୧୪୩ ନମ୍ବର ଜାତୀୟ ରାଜପଥରେ ଏକ ଅଣ୍ଡରପାସ ନିର୍ମାଣ ସହ କୁଆଁରମୁଣ୍ଡା ଡାଏରୀ ଫାର୍ମ ନିକଟସ୍ଥ ବାଇପାସ୍‌ ରୋଡରୁ ବୈଷ୍ଣୋଭି ପେଟ୍ରୋଲ ପମ୍ପ ପର୍ଯ୍ୟନ୍ତ ରାଜପଥରେ ଆଲୋକୀକରଣ ବ୍ୟବସ୍ଥା ଓ କୁଆଁରମୁଣ୍ଡା ବଜାର ରାସ୍ତାକୁ ନୂତନଭାବେ ନିର୍ମାଣ ସହ ଉଭୟ ପାର୍ଶ୍ୱରେ ଡ୍ରେନ କରାଯିବ ବୋଲି ଉପଜିଲାପାଳ ଚନ୍ଦ୍ରାକାର ଉପସ୍ଥିତ ନାଗରିକ କମିଟି ସଦସ୍ୟଙ୍କୁ ପ୍ରତିଶ୍ରୃତି ଦେଇଛନ୍ତି।