ନନ୍ଦପୁର,୮ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଦେଇ ଯାଇଥିବା କେ.କେ ରେଳପଥରେ ଏକ ପୁସିଂ ବ୍ରିଜ୍ ନିର୍ମାଣସ୍ଥଳ ଚିହ୍ନଟ କରିବାକୁ ପ୍ରଶାସନ ପକ୍ଷରୁ ମଙ୍ଗଳବାର କ୍ଷେତ୍ର ପରିଦର୍ଶନ କରାଯାଇଛି। ରେଳଧରଣାର ଅପରପାର୍ଶ୍ୱରେ ବାଲଡ଼ା ପଞ୍ଚାୟତ ଡାବାପୁଟ, ଅଟୁବ, ଲୁଲୁବୁର, ବଡହଞ୍ଜର, ବଡିଗାପୁଟ, ଦୋରାସୁବୁଲାର, ମାଳିସୁବୁଲାର ଆଦି ୭ ଗ୍ରାମବାସୀଙ୍କୁ ବିପଦସଙ୍କୁଳ ଅବସ୍ଥାରେ ରେଳଧାରଣା ପାରି କରି ଯାତାୟାତ କରୁଥିଲେ। ରେଳଧାରଣା ପୋଲ ନ ୧୪୧/୧୩ ନିକଟରେ ଏକ ପୁସିଂ ବ୍ରିଜ ନିର୍ମାଣ ପାଇଁ ଲୋକେ ଦାବି କରୁଥିଲେ। ନନ୍ଦପୁର ବ୍ଲକ ପରିସରରେ ଅନୁଷ୍ଠିତ ମିଳିତ ଜନଶୁଣାଣିରେ ପଞ୍ଚାୟତର ସମିତିସଭ୍ୟ ତଥା ବ୍ଲକ ଅଧ୍ୟକ୍ଷା ସାବିତ୍ରୀ କାର୍ତୁଲ ଅଭିଯୋଗ ପତ୍ର ଦେଇ ସୋମବାର ଜିଲାପାଳ ମନୋଜ ସତ୍ୟବାନ ମହାଜନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଜିଲାପାଳ ନନ୍ଦପୁର ତହସିଲଦାର, ଆରଡି, ପୂର୍ତ୍ତବିଭାଗ ଓ ରେଳ ବିଭାଗର ଅଧିକାରୀଙ୍କୁ କ୍ଷେତ୍ର ପରିଦର୍ଶନ କରି ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ରେଳ ବିଭାଗ କନଷ୍ଟ୍ରକସନ ଯନ୍ତ୍ରୀ ଜୁଏଲ କୁଳଦୀପ, ଆରଡି ବିଭାଗ ଯନ୍ତ୍ରୀ ଜୟନ୍ତ ସାହୁ, ପୂର୍ତ୍ତବିଭାଗ ସହକାରୀ ଯନ୍ତ୍ରୀ ଶରତ ପାତ୍ର, ବାଲଡ଼ା ରାଜସ୍ବ ନୀରିକ୍ଷକ ବିନୋଦ ପଟ୍ଟନାୟକ ପ୍ରମୁଖଙ୍କୁ ନେଇ ଗଠିତ ମିଳିତ ଟିମ୍ କ୍ଷେତ୍ର ପରିଦର୍ଶନ କରିଛନ୍ତି। ୭ ଗ୍ରାମବାସୀଙ୍କ ସହ ଆଲୋଚନା କରିଛନ୍ତି। ମିଳିତ ଟିମ୍ର ଫିଜିବିଲିଟୀ ରିପୋର୍ଟ ପ୍ରଦାନ କରିବା ପରେ ପୁସିଂ ବ୍ରିଜ ନିର୍ମାଣକୁ ଶୀଘ୍ର ମଞ୍ଜୁରୀ ମିଳିବ ବୋଲି ରେଳ ବିଭାଗ ପକ୍ଷରୁ ସୂଚନା ମିଳିଛି। ପୁସିଂ ବ୍ରିଜ ନିର୍ମାଣ ହେଲେ ୭ ଗ୍ରାମବାସୀଙ୍କ ଯାତାୟାତ କଷ୍ଟ ଦୂର ହେବ ବୋଲି ଅଧ୍ୟକ୍ଷା କାର୍ତ୍ତୁଲ କହିଛନ୍ତି।

