୩ କ୍ଲିନିକ୍‌ ସିଲ୍‌ କଲା ପ୍ରଶାସନ

ବୌଦ୍ଧ,୨୯ା୧୦(ସ୍ବ.ପ୍ର.): ବୌଦ୍ଧ ଜିଲା ପ୍ରଶାସନ ପକ୍ଷରୁ ଶନିବାର ସହରର ୩ଟି ବେଆଇନ ଭାବେ ଚାଲିଥିବା କ୍ଲିନିକ୍‌କୁ ଶନିବାର ସିଲ୍‌ କରାଯାଇଥିବା ଜଣାପଡ଼ିଛି । ମିଳିଥିବା ସୂଚନା ମୁତାବକ ସହରର ନଟରାଜ ଗାଇନୋଷ୍ଟିକ, ପ୍ରଧାନ ଡେଣ୍ଟାଲ କ୍ଲିନିକ୍‌ ଏବଂ ସାଇ ଡେଣ୍ଟାଲ କ୍ଲିନିକ୍‌କୁ ପ୍ରଶାସନ ପକ୍ଷରୁ ସିଲ୍‌ କରାଯାଇଛି। ଉକ୍ତ କ୍ଲିନିକ୍‌ଗୁଡ଼ିକ ସରକାରଙ୍କ ନିୟମ ଅନୁଯାୟୀ ଚଳାଉ ନ ଥିବାରୁ ସିଲ କରାଯାଇଥିବା ଜଣାପଡ଼ିଛି। ଚଢ଼ାଉ ସମୟରେ ଉପଜିଲାପାଳ ସତନ କୁମାର ନାଏକ, ଡା .ବିଜୟ କୁମାର ଦାସ ଓ ଜିଲା ଡ୍ରଗ୍ସ ଇନ୍ସପେକ୍ଟର ସନ୍ତୋଷ କୁମାର ପ୍ରଧାନ ସାମିଲ ଥିଲେ। ଏନେଇ ଜିଲା ଡ୍ରଗ୍ସ ଇନ୍ସପେକ୍ଟରଙ୍କୁ ପଚାରିବାରୁ ସରକାରଙ୍କ ନିୟମ ଅନୁଯାୟୀ ସ୍ଥାପନ କରାଯାଇ ନ ଥିବାରୁ ସିଲ୍‌ କରାଯାଇଛି। ଉକ୍ତ କ୍ଲିନିକ୍‌ଗୁଡ଼ିକ ପ୍ରାୟ ୧ବର୍ଷ ହେବ ସହରରେ ଚାଲିଥିବା ବେଳେ ଆଜି ପର୍ଯ୍ୟନ୍ତ କିପରି ପ୍ରଶାସନ ଜାଣିପାରିଲାନାହିଁ। ଏନେଇ ପ୍ରଶାସନର ଚଢ଼ାଉ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କିଛି ଦିନ ତଳେ ରେଡ୍‌କ୍ରସ୍‌ ପାଣ୍ଠି ବୃଦ୍ଧିକୁ ନେଇ ଜିଲା ପ୍ରଶାସନ ଓ ଔଷଧ ଦୋକାନୀଙ୍କ ମଧ୍ୟରେ ଦେଖାଦେଇଥିବା ବିବାଦକୁ ନେଇ ଏପରି ଚଢ଼ାଉ କରାଯାଇଥିବା ଆଲୋଚନା ହେଉଛି।