ପ୍ରଶାସନ ଫେଲ୍, ସାହାରା ସାଜିଲା କମ୍ପାନୀ: ଥୁଆମୂଳ ରାମପୁରରେ ତାତି ବଢ଼ୁଛି, ଜଳଛତ୍ର ନାହିଁ

ଥୁଆମୂଳରାମପୁର,୨୯।୫ (ଦୁର୍ଗା କୀର୍ତ୍ତି): ଥୁଆମୂଳ ରାମପୁର ବ୍ଲକରେ ଗ୍ରୀଷ୍ମ ପ୍ରବାହ ଦିନକୁ ଦିନ ଅସହ୍ୟ ହେବାରେ ଲାଗିଛି। ତାପମାତ୍ରା ୩୮ ଡିଗ୍ରୀ ସେଲସିଅସରୁ ବୃଦ୍ଧି ପାଇ ୪୫ ଡିଗ୍ରୀ ସେଲସିଅସ ପର୍ଯ୍ୟନ୍ତ ପହଞ୍ଚୁଥିବା ସତ୍ତ୍ୱେ ପ୍ରଶାସନ ପକ୍ଷରୁ ସତର୍କତା କିମ୍ବା ଜଳଛତ୍ର ସମ୍ବନ୍ଧୀୟ କୌଣସି  ବ୍ୟବସ୍ଥା କରାଯାଇନାହିଁ।

ବ୍ଲକ ମୁଖ୍ୟାଳୟ ଓ ରାଜାବାଟି ସମ୍ମୁଖରେ କେବଳ ମାଟିର ହାଣ୍ଡି ରଖି ଦାୟିତ୍ୱ ସରିଯାଇଥିବା ବେଳେ ସେଠାରେ ପାଣି ପିଇବା ପାଇଁ ଗୋଟିଏ ଗ୍ଲାସ୍‌ର ବ୍ୟବସ୍ଥା ମଧ୍ୟ ନାହିଁ। ଏହା ପ୍ରଶାସନର ଅବହେଳାକୁ ସ୍ପଷ୍ଟ କରୁଛି।

ଏପରି ପରିସ୍ଥିତିରେ ପଥଚାରୀଙ୍କ ଶୋଷ ମେଣ୍ଟାଇବା ପାଇଁ ଉତ୍କଳ ଆଲୁମିନା କମ୍ପାନୀ ସାହାରା ସାଜିଛି। କମ୍ପାନୀ ପକ୍ଷରୁ ସିଏସଆର କାର୍ଯ୍ୟକ୍ରମ ଅଧୀନରେ ଥୁଆମୂଳ ରାମପୁର ଥାନା ସମ୍ମୁଖରେ ଏକ ସୁସଜ୍ଜିତ ଜଳଛତ୍ର ଖୋଲାଯାଇ ଥଣ୍ଡା ପାଣିର ବ୍ୟବସ୍ଥା କରାଯାଇଛି, ଯାହା ଲୋକମାନଙ୍କୁ ବହୁତ ଆଶ୍ୱସ୍ତି ଦେଇଛି।

ପ୍ରଶାସନ ଯାହା କରିପାରିଲାନି, ତାହା କମ୍ପାନୀ କରି ଦେଖାଇଥିବାରୁ ସାଧାରଣରେ ପ୍ରଶଂସା ହେଉଛି। ତେବେ, ଏହାକୁ ଦୃଷ୍ଟିରେ ରଖି ବ୍ୟାଙ୍କ, ବ୍ଲକ ଓ କୋର୍ଟ ସମ୍ମୁଖ ଭଳି ଅନ୍ୟାନ୍ୟ ଜନଗହଳି ସ୍ଥାନରେ ମଧ୍ୟ ଜଳଛତ୍ର ଖୋଲିବା ପାଇଁ ସ୍ଥାନୀୟ ଲୋକମାନେ ଦାବି କରିଛନ୍ତି। ଏବେ ଦେଖିବାକୁ ବାକି ରହିଲା, ଏହି ଖବର ପ୍ରସାର ପରେ ବ୍ଲକ୍ ଓ ପ୍ରଶାସନ ପକ୍ଷରୁ ଗ୍ରୀଷ୍ମ ଋତୁକୁ ଦୃଷ୍ଟିରେ ରଖି କେମିତି ପଦକ୍ଷେପ ଗ୍ରହଣ କରାଯାଉଛି।

Dharitri – Odisha’s No.1 Odia Daily

Share