ଦାରିଙ୍ଗବାଡି,୬।୫ (ଅରୁଣ ସାହୁ): ସୋମବାର ଦାରିଙ୍ଗବାଡିରେ କୁଆପଥର ସହ ପ୍ରବଳ ବର୍ଷା ହୋଇଥିଲା। ପଞ୍ଚାୟତ କାର୍ଯ୍ୟାଳୟ ପକ୍ଷରୁ ଡ୍ରେନ ଗୁଡିକ ସଫେଇ କରାଯାଉନଥିବାରୁ ବର୍ଷା ଜଳରେ ଅଳିଆ ଆବର୍ଜନା, ପ୍ଲାଷ୍ଟିକ, ଅଇଁଠାଖଲିପତ୍ର ସବୁ ଭାଷି ଆସି ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଭର୍ତ୍ତି ହୋଇଥିଲା ଏନେଇ ପ୍ରଥମେ ଧରିତ୍ରୀରେ ଖବର ପ୍ରକାଶିତ ପରେ ବିଡ଼ିଓ ପ୍ରୀତିରଞ୍ଜନ ରଥ ପ୍ରତିକ୍ରିୟାରେ କହିଥିଲେ ମଙ୍ଗଳବାର ସଫେଇ କରାଯିବ ସେହି କଥା ଦେବା ପ୍ରକାରେ ମଙ୍ଗଳବାର ସକାଳ ସମୟରେ ଟ୍ରାକ୍ଟର, ଜେସିବି ଲଗାଇ ଅଳିଆ ଆବର୍ଜନା କୁ ସଫା କରାଯିବା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ତେବେ ପଞ୍ଚାୟତ ପକ୍ଷରୁ ଦାରିଙ୍ଗବାଡି ବଜାର ଦେଇ ଯାଇଥିବା ଡ୍ରେନ କୁ ନିୟମିତ ସଫେଇ କରାଯିବା ସହ ବଜାରରୁ ନିୟମିତ ଅଳିଆ ଆବର୍ଜନା ସଫା କରାଯିବା ସହ ଡମ୍ପିୟାର୍ଡ଼ ରେ ପକାଯିବାକୁ ପଦକ୍ଷେପ ନେବାକୁ ବଣିକ ସଙ୍ଘ ଓ ବିଭିନ୍ନ ପୂଜାକମିଟି, ଗ୍ରାମ୍ୟ କମିଟି ପକ୍ଷରୁ ଦାବି ହୋଇଆସୁଛି କିନ୍ତୁ ଆଜି ପର୍ଯ୍ୟନ୍ତ କୌଣସି ପଦକ୍ଷେପ ନିଆଯାଇନାହିଁ। ବ୍ୟାଟେରି ଚାଳିତ ଦୁଇଟି ଗାଡି ପଞ୍ଚାୟତ କିଣିବ ଓ ପ୍ରତିଦିନ ବଜାରରୁ ଅଳିଆ ବୋହି ନେଇ ଡମ୍ପିୟାର୍ଡ଼ ରେ ପକାଯିବ ଓ ଏଥିପାଇଁ ଡମ୍ପିୟାର୍ଡ଼ ନିର୍ମାଣ କରାଯିବା ଯୋଜନା କରାଯାଇଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ସ୍ଥାୟୀ ସମାଧାନ ହୋଇପାରିନଥିବା ଜଣାପଡିଛି।


