ଛତ୍ରପୁର, ୭।୭ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ରେଳ ଷ୍ଟେଶନ ପରିସରରୁ ଏକ ବଡ଼ ଧରଣର ନାବାଳକ ଚାଲାଣ ଉଦ୍ୟମକୁ ପଣ୍ଡ କରିଛି ପ୍ରଶାସନ। ଜିଲା ଶିଶୁ ସୁରକ୍ଷା ବିଭାଗ, ଶ୍ରମ ବିଭାଗ ଏବଂ ଆରପିଏଫ୍ (RPF) ପୋଲିସର ମିଳିତ ଚଢ଼ାଉରେ ୪ ଜଣ ନାବାଳକଙ୍କୁ ସୁରଟ ଚାଲାଣ ବେଳେ ଉଦ୍ଧାର କରାଯାଇଛି। ଏହି ଘଟଣାରେ ସଂପୃକ୍ତ ୨ ଜଣ ଦଲାଲଙ୍କୁ ଅଟକ ରଖି ପଚରାଉଚରା କରାଯାଉଥିବା ବେଳେ ସେମାନେ ବ୍ୟବହାର କରୁଥିବା ଏକ କାର୍କୁ ମଧ୍ୟ ଜବତ କରାଯାଇଛି।
ସୂଚନା ଅନୁଯାୟୀ, ଛତ୍ରପୁର ଓ ପୁରୁଷୋତ୍ତମପୁର ଅଞ୍ଚଳର ୪ ଜଣ ନାବାଳକଙ୍କୁ କାମ କରାଇବା ଆଳରେ ସୁରଟ ନେବା ପାଇଁ ଏକ କାର୍ ଯୋଗେ ଛତ୍ରପୁର ରେଳ ଷ୍ଟେଶନକୁ ଅଣାଯାଇଥିଲା। ଏ ସମ୍ପର୍କରେ କୌଣସି ସୂତ୍ରରୁ ବିଶେଷ ଖବର ପାଇ ଜିଲା ଶିଶୁ ସୁରକ୍ଷା ବିଭାଗ ଓ ଜିଲା ଶ୍ରମ ବିଭାଗର ଅଧିକାରୀମାନେ ରେଳ ଷ୍ଟେସନରେ ପହଞ୍ଚି ମିଳିତ ଭାବେ ଚଢ଼ାଉ କରିଥିଲେ। ଟ୍ରେନ୍ ଧରିବା ପୂର୍ବରୁ ହିଁ ପ୍ରଶାସନ ସେମାନଙ୍କୁ କାବୁ କରିବାରେ ସଫଳ ହୋଇଥିଲା।
ଜିଲା ଶିଶୁ ସୁରକ୍ଷା ଅଧିକାରୀ (DCPO) ରାଜଶ୍ରୀ ଦାସଙ୍କ ସୂଚନା ଅନୁଯାୟୀ, ଉଦ୍ଧାର ହୋଇଥିବା ସମସ୍ତ ନାବାଳକଙ୍କୁ ଆଇନଗତ ପ୍ରକ୍ରିୟା ଅନୁଯାୟୀ ଶିଶୁ ମଙ୍ଗଳ ସମିତି (CWC)କୁ ହସ୍ତାନ୍ତର କରାଯିବ। ଏହି ଚଢ଼ାଉ ସମୟରେ ଛତ୍ରପୁର ଶ୍ରମ କାର୍ଯ୍ୟାଳୟର ସହକାରୀ ଜିଲା ଶ୍ରମ ଅଧିକାରୀ (ADLO) ସୋମନାଥ ପାତ୍ର ଏବଂ ଛତ୍ରପୁର ଥାନା ପୋଲିସ କର୍ମଚାରୀମାନେ ଉପସ୍ଥିତ ରହି ସହଯୋଗ କରିଥିଲେ। ଏହି ନାବାଳକ ଚାଲାଣ ର଼୍ୟାକେଟ୍ ପଛରେ ଆଉ କାହାର ହାତ ରହିଛି, ସେ ନେଇ ଅଧିକ ତଦନ୍ତ ଜାରି ରହିଛି ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।