ତଦନ୍ତ ପାଇଁ ଏଡିଏମ୍‌ଙ୍କ ନିର୍ଦ୍ଦେଶ

ରାଉରକେଲା ଅଫିସ,୨୭ା୯: କରୋନା ମହାମାରୀ ସମୟରେ ରାଉରକେଲା ସେକ୍ଟର-୧୬ ସ୍ଥିତ ଇସ୍ପାତ ସ୍ବୟଂ ଶାସିତ ମହାବିଦ୍ୟାଳୟର ପ୍ରଶ୍ନପତ୍ର ବିଲ୍‌ ପ୍ରସ୍ତୁତି ଜାଲିଆତି ଘଟଣାକୁ ନେଇ ସହରରେ ଚର୍ଚ୍ଚା ଜୋର ଧରିଛି। ଏନେଇ ମହାବିଦ୍ୟାଳୟ ପରିଚାଳନା କମିଟିର ମୁଖ୍ୟ ରାଉରକେଲା ଏଡିଏମ୍‌ ଡ. ଶୁଭଙ୍କର ମହାପାତ୍ର ଏହାର ପ୍ରକୃତ ତଦନ୍ତ ପାଇଁ ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସୂଚନାଯୋଗ୍ୟ ୨୦୨୦ ମସିହା କରୋନା ସମୟରେ ମହାବିଦ୍ୟାଳୟର ଯୁକ୍ତ ୩ ବିଦ୍ୟାର୍ଥୀମାନେ ଆଭାସି ଜରିଆରେ ପରୀକ୍ଷା ଦେଉଥିଲେ। ଏହି ପରୀକ୍ଷା ପାଇଁ ବାହାର ମହାବିଦ୍ୟାଳୟର ଅଧ୍ୟାପକମାନେ ପ୍ରଶ୍ନପତ୍ର ପ୍ରସ୍ତୁତି କରୁଥିଲେ। ଏହି ବାବଦକୁ ମହାବିଦ୍ୟାଳୟର ସମ୍ପୃକ୍ତ ଅଧ୍ୟାପକଙ୍କୁ ଅର୍ଥ ପ୍ରଦାନ କରିଥାନ୍ତି। ଏହି ପ୍ରଶ୍ନପତ୍ର ତିଆରି ହେଉଥିବା ସମୟରେ ଇସ୍ପାତ ସ୍ବୟଂ ଶାସିତ ମହାବିଦ୍ୟାଳୟରେ ତତ୍କାଳୀନ ଅଧ୍ୟକ୍ଷା ଓ ସେହି ସମୟର ପରୀକ୍ଷା ନିୟନ୍ତ୍ରକ ପ୍ରଶ୍ନପତ୍ରର ଜାଲିଆତି ବିଲ୍‌ ପ୍ରସ୍ତୁତି କରି ମହାବିଦ୍ୟାଳୟର ଆକାଉଣ୍ଟରୁ ଲକ୍ଷାଧିକ ଟଙ୍କାର ଅର୍ଥ ହଡପ କରିବାକୁ ଯୋଜନା କରିଥିଲେ। ଉକ୍ତ ପରୀକ୍ଷା ପାଇଁ ପ୍ରଶ୍ନପତ୍ର ତିଆରି କରୁଥିବା ୧୨ ଜଣ ଅଧ୍ୟାପକଙ୍କ ନାମରେ ପ୍ରାୟ ୧ଲକ୍ଷ ୨୦ ହଜାରରୁ ଊର୍ଦ୍ଧ୍ୱ ଟଙ୍କାର ହେରଫେର ପାଇଁ ମସୁଧା ହୋଇଥିଲା। ପ୍ରଶ୍ନପତ୍ର ଜାଲିଆତି ବିଲ୍‌ରେ ଟଙ୍କା ଠକିବା ପାଇଁ ଉଦ୍ୟମ କରୁଥିବା ସେହି ସମୟର ଅଧ୍ୟକ୍ଷା ବର୍ତ୍ତମାନର ପରୀକ୍ଷକ ନିୟନ୍ତ୍ରକ ଅଶୋକ କୁମାର ମିଶ୍ରଙ୍କୁ କୌଣସି ପ୍ରକୃତ ବିଲ୍‌ ନ ଦେଇ ଏକ ଜେରେକ୍ସ ବିଲ୍‌ ପୈଠ କରି ଅର୍ଥ ମାଗିଥିଲେ। ପରୀକ୍ଷା ନିୟନ୍ତ୍ରକ ଜେରକ୍ସ ବିଲ୍‌ ଦେଖି ତାଙ୍କୁ ସନ୍ଦେହ ହେବାରୁ ବର୍ତ୍ତମାନର ମହାବିଦ୍ୟାଳୟ ଦାୟିତ୍ୱରେ ଥିବା ଅଧ୍ୟକ୍ଷ ପ୍ରଫେସର ପ୍ରେମାନନ୍ଦ ପ୍ରଧାନଙ୍କୁ ଏହି ବିଷୟରେ ଅବଗତ କରାଇଥିଲେ। ଏହି ବିଲ୍‌ ଦେଖି ତାଙ୍କ ମନରେ ସନ୍ଦେହଜାତ ହେବାରୁ ସେ ଉକ୍ତ ଘଟଣାର ଯାଞ୍ଚ କରିବା ପରେ ଜଣାପଡିଲା ଯେ, ଯେଉଁ ଅଧ୍ୟାପକଙ୍କ ନାମରେ ବିଲ୍‌ ପ୍ରସ୍ତୁତି ହୋଇଛି ସେଥିରେ ଥିବା ଦସ୍ତଖସ୍ତ ନକଲି ହୋଇଛି। ତେଣୁ ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରଧାନ ଉକ୍ତ ପ୍ରଶ୍ନପତ୍ର ବିଲ୍‌ ପ୍ରସ୍ତୁତିର ଜାଲିଆତି ଘଟଣାକୁ ନେଇ ରାଉରକେଲା ଏଡିଏମ ଡ. ଶୁଭଙ୍କର ମହାପାତ୍ରଙ୍କୁ ଅବଗତ କରାଇଥିଲେ। ଫଳରେ ଏଡିଏମ୍‌ ଉକ୍ତ ଘଟଣାର ପ୍ରକୃତ ତଦନ୍ତ କରିବା ପାଇଁ କଲେଜର ଅଧ୍ୟକ୍ଷକଙ୍କୁ ନିର୍ଦ୍ଦେଶ ଦେବାପରେ ବର୍ତ୍ତମାନ କଲେଜ କର୍ତ୍ତୃପକ୍ଷ ନିଜର ଥିବା ଗଭରନିଙ୍ଗବଡିରେ ଏହି ସମସ୍ୟାକୁ ଉପସ୍ଥାପନା କରିଛି। ଗଭରନିଙ୍ଗବଡି ନିୟମ ଅନୁଯାୟୀ ଉକ୍ତ ଘଟଣାରେ ସମ୍ପୃକ୍ତ ଥିବା ପୂର୍ବତନ କଲେଜ ଅଧ୍ୟକ୍ଷା ଓ ଅଧ୍ୟାପକଙ୍କ ପ୍ରତି ଯେଉଁ ପଦକ୍ଷେପ ନିଆଯିବ ତାହା ଅନ୍ତରିଣ ନିଷ୍ପତି ନେବ ବୋଲି ଅଧ୍ୟକ୍ଷ ପ୍ରଧାନ କହିଛନ୍ତି।