Categories: ଜାତୀୟ

ଆଲ୍ଲାହାବାଦ ହାଇକୋର୍ଟ ରାୟ ଉପରେ ସ୍ଥଗିତାଦେଶ

ନୂଆଦିଲ୍ଲୀ,୫।୧: ଅନ୍ୟାନ୍ୟ ପଛୁଆ ବର୍ଗ (ଓବିସି)ଙ୍କ ପାଇଁ ସଂରକ୍ଷଣ ବିନା ପୌର ନିର୍ବାଚନ କରାଇବାକୁ ଆଲ୍ଲାହାବାଦ ହାଇକୋର୍ଟ ଉତ୍ତରପ୍ରଦେଶ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସୁପ୍ରିମକୋର୍ଟ ବୁଧବାର ଉକ୍ତ ରାୟ ଉପରେ ସ୍ଥଗିତାଦେଶ ଜାରି କରିଛନ୍ତି। ଫଳରେ ପୌର ନିର୍ବାଚନରେ ସଂରକ୍ଷଣକୁ ନେଇ ଯୋଗୀ ଆଦିତ୍ୟନାଥ ସରକାରଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି। ନିର୍ବାଚନରେ ଓବିସିଙ୍କୁ ସଂରକ୍ଷଣ ମିଳିବ ବୋଲି ୟୁପି ମୁଖ୍ୟମନ୍ତ୍ରୀ ପୂର୍ବରୁ ଘୋଷଣା କରିଥିଲେ। ପୌର ନିର୍ବାଚନରେ ସଂରକ୍ଷଣ ସୁବିଧା ଦେବା ନିମନ୍ତେ ଓବିସି ମାନଙ୍କର ରାଜନୈତିକ ଅନଗ୍ରସରତା ସମ୍ପର୍କରେ ମାର୍ଚ୍ଚ ୩୧ ସୁଦ୍ଧା ରିପୋର୍ଟ ଦେବାକୁ ରାଜ୍ୟ ପଛୁଆ ବର୍ଗ ଆୟୋଗଙ୍କୁ ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଡି.ଓ୍ବାଇ. ଚନ୍ଦ୍ରଚୂଡ଼ ଏବଂ ଜଷ୍ଟିସ୍‌ ପି.ଏସ୍‌. ନରସିଂହାଙ୍କୁ ନେଇ ଗଠିତ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି।

ଉତ୍ତରପ୍ରଦେଶ ପୌର ନିର୍ବାଚନରେ ଓବିସିଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା କରିବା ନିମନ୍ତେ ରାଜ୍ୟ ସରକାର ଡିସେମ୍ବର ୫ରେ ନିର୍ଦ୍ଦେଶନାମା ଜାରି କରିଥିଲେ। ୨୭ ତାରିଖରେ ଆଲ୍ଲାହାବାଦ ହାଇକୋର୍ଟର ଲକ୍ଷ୍ନୌ ବେଞ୍ଚ୍‌ ଏହାକୁ ଖାରଜ କରିଦେଇଥିଲେ। ବିନା ଓବିସି କୋଟାରେ ନିର୍ବାଚନ କରାଇବା ଲାଗି ତୁରନ୍ତ ବିଜ୍ଞପ୍ତି ପ୍ରକାଶ କରିବାକୁ ରାଜ୍ୟ ନିର୍ବାଚନ କମିଶନଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ହାଇକୋର୍ଟଙ୍କ ଏହି ରାୟକୁ ରାଜ୍ୟ ସରକାର ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ଓବିସି କମିଶନ ଗଠନ ସରିଛି ଏବଂ ମାର୍ଚ୍ଚ ସୁଦ୍ଧା ଏହାର କାର୍ଯ୍ୟ ଶେଷ କରିବ ବୋଲି ୟୁପି ସରକାର ସର୍ବୋଚ୍ଚ ଅଦାଲତଙ୍କୁ କହିଥିଲେ। ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ବିନା ସଂରକ୍ଷଣରେ ପୌର ନିର୍ବାଚନ ହେବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଘୋଷଣା କରିଥିଲେ। ସମାଜବାଦୀ ପାର୍ଟି ମଧ୍ୟ ଲକ୍ଷ୍ନୌ ବେଞ୍ଚ୍‌ର ରାୟକୁ ବିରୋଧକରି ସୁପ୍ରିମକୋର୍ଟରେ ସ୍ପେଶାଲ ଲିଭ୍‌ ପିଟିଶନ ଦାଏର କରିଥିଲା।

Share