କରଓ୍ବାଚୌଥରେ ହେଲା ଶ୍ୱେତା-ଆଦିତ୍ୟଙ୍କ ରୋକା

ମୁମ୍ବାଇ: ବଲିଉଡ୍‌ର ନାଁକରା ଗାୟକ ଉଦିତ୍‌ ନାରାୟଣଙ୍କ ପୁଅ ତଥା ଗାୟକ ଆଦିତ୍ୟ ନାରାୟଣ ବର୍ତ୍ତମାନ ନିଜ ବିବାହକୁ ନେଇ ବେଶ୍‌ ଚର୍ଚ୍ଚାରେ ରହିଛନ୍ତି। ବୁଧବାର ସାରା ଦେଶରେ କରଓ୍ବାଚୌଥ ପୂଜା ପାଳିତ ହୋଇଥିବା ବେଳେ ଉକ୍ତ ଦିନ ଆଦିତ୍ୟ ନାରାୟଣ ଓ ଶ୍ୱେତା ଅଗ୍ରଓ୍ବାଲଙ୍କ ରୋକା ସେରିମନି ଅନୁଷ୍ଠିତ ହୋଇଥିଲା। ରୋକାର ଏକ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଫଟୋକୁ ଆଦିତ୍ୟ ନୁହେଁ ବରଂ ତାଙ୍କ ବାପା ଉଦିତ୍‌ ନାରାୟଣ ଶେୟାର କରିଛନ୍ତି। ଉକ୍ତ ଫଟୋରେ ଆଦିତ୍ୟ ଓ ଶ୍ୱେତାଙ୍କ ସହ ଉଭୟଙ୍କ ପରିବାର ଲୋକ ନଜର ଆସିଛନ୍ତି। ଏଥିରେ ଦୁଇ ଲଭ୍‌ବାର୍ଡ଼ ବେଶ୍‌ ସୁନ୍ଦର ଦେଖାଯାଉଛନ୍ତି। ଆଦିତ୍ୟଙ୍କ ହାତରେ ଗୋଟେ ନଡ଼ିଆ ଥିବା ବେଳେ ଶ୍ୱେତାଙ୍କ ହାତରେ ଶଗୁନର ଏକ ଥାଳି ଥିବା ଦେଖିବାକୁ ମିଳିଛି। ଏହି ଫଟୋକୁ ପ୍ରଶଂସକମାନେ ବେଶ୍‌ ପସନ୍ଦ କରିଛନ୍ତି। ସୂଚନା ମୁତାବକ ଦୀର୍ଘ ୧୦ ବର୍ଷରୁ ଶ୍ୱେତା ଓ ଆଦିତ୍ୟ ଦୁହେଁ ଦୁହିଁଙ୍କୁ ଡେଟ୍‌ କରୁଥିଲେ। ଗତ ମାସରେ ଦୁହେଁ ଡିସେମ୍ବର ୧ରେ ବିବାହ କରିବେ ବୋଲି ଆଦିତ୍ୟ ଘୋଷଣା କରିଥିବା ବେଳେ ମଙ୍ଗଳବାର ଇନ୍‌ଷ୍ଟାଗ୍ରାମରେ ଶ୍ୱେତାଙ୍କ ପାଇଁ ଏକ ପ୍ରେମଭରା ବାର୍ତ୍ତା ଲେଖିଥିଲେ। କରୋନା କାଳ ଯୋଗୁ କମ୍‌ ଅତିଥିଙ୍କ ଉପସ୍ଥିତିରେ ମୁମ୍ବାଇର ଏକ ମନ୍ଦିରରେ ସେମାନଙ୍କ ବିବାହ ଅନୁଷ୍ଠିତ ହେବ ବୋଲି ଚର୍ଚ୍ଚା ହେଉଛି।

Share