ଗୁଡାରି, ୨୧/୯ (ପ୍ରମୋଦ କୁମାର ପତି): ସ୍ଥାନୀୟ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ସପ୍ତମ ଶ୍ରେଣୀ ଛାତ୍ର ଆଦିତ୍ୟ ନାରାୟଣ ଗୌଡ଼ ରାଜ୍ୟସ୍ତରୀୟ ବକ୍ତୃତା ପ୍ରତିଯୋଗିତା ପାଇଁ ମନୋନୀତ ହୋଇଛନ୍ତି। ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଫାଉଣ୍ଡେସନ ଦିବସ ଅବସରରେ ଆୟୋଜିତ ବିଦ୍ୟାଳୟସ୍ତରୀୟ ବକ୍ତୃତା ପ୍ରତିଯୋଗିତାରେ ଭାଗ ନେଇ ଆଦିତ୍ୟ ଜିଲାସ୍ତରକୁ ଉନ୍ନୀତ ହୋଇଥିଲେ।
ପରେ ରାୟଗଡ଼ାରେ ଅନୁଷ୍ଠିତ ଜିଲାସ୍ତରୀୟ ଜୁନିଅର ବକ୍ତୃତା ପ୍ରତିଯୋଗିତାରେ ଆଦିତ୍ୟ ଅଂଶଗ୍ରହଣ କରି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ଏହି ସଫଳତା ସହ ସେ ରାଜ୍ୟସ୍ତରୀୟ ପ୍ରତିଯୋଗିତା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଜିଲାସ୍ତରରେ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ସେ ଜିଲା ଶିକ୍ଷା ଅଧିକାରୀଙ୍କଠାରୁ ମାନପତ୍ର ସହ ପୁରସ୍କୃତ ହୋଇଥିଲେ।
ପରିବେଶ ସମ୍ପର୍କିତ ବିଷୟ ଉପରେ ଆଦିତ୍ୟ ଚମତ୍କାର ଭାବେ ବକ୍ତବ୍ୟ ଉପସ୍ଥାପନ କରି ବିଚାରକମାନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ତାଙ୍କର ଏହି ସଫଳତା ପାଇଁ ସେ ବିଦ୍ୟାଳୟର ଶିକ୍ଷକମାନଙ୍କୁ ଶ୍ରେୟ ଦେଇଛନ୍ତି।
ସିଆରପିଏଫ୍ରେ କାର୍ଯ୍ୟରତ ପିତା ରବୀନ୍ଦ୍ର ଗୌଡ଼ ଓ ଗୃହିଣୀ ମାତା ବ୍ରହ୍ମା କୁମାରୀ ଗୌଡ଼ଙ୍କ ପୁତ୍ର ଆଦିତ୍ୟଙ୍କ ଏହି ସଫଳତାରେ ପରିବାର ଓ ବିଦ୍ୟାଳୟରେ ଖୁସିର ଲହରୀ ଖେଳିଯାଇଛି। ଆଦିତ୍ୟ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ମଧ୍ୟ ଉତ୍କୃଷ୍ଟ ପ୍ରଦର୍ଶନ କରି ପୁରସ୍କୃତ ହେବେ ବୋଲି ବିଦ୍ୟାଳୟ ପକ୍ଷରୁ ଆଶା ପ୍ରକାଶ କରାଯାଇଛି।