ବଲିଉଡ ନିର୍ଦ୍ଦେଶକ ଆଦିତ୍ୟ ଧର ଓ ଅଭିନେତ୍ରୀ ୟାମୀ ଗୌତମଙ୍କ ଯୋଡ଼ି ପୁଣି ଚର୍ଚ୍ଚାରେ। ଧୂରନ୍ଧର-୨ର ସଫଳତା ପରେ ଆଦିତ୍ୟ ଲୋକପ୍ରିୟତା ବଢିଯାଇଛି। ଲୋକଙ୍କୁ ତାଙ୍କ ସଫଳତା ରାତାରାତି ମିଳିଥିବା ଭଳି ଲାଗୁଥାଇପାରେ, କିନ୍ତୁ ଏଥିପାଇଁ ତାଙ୍କୁ ପ୍ରାୟ ୨୦ ବର୍ଷ ସଂଘର୍ଷ କରିବାକୁ ପଡ଼ିଛି ବୋଲି ଆଦିତ୍ୟ କହିଛନ୍ତି। ୨୦୦୬ରେ ମୁମ୍ବାଇ ଆସି ସେ ଆସିଷ୍ଟାଣ୍ଟ ଡିରେକ୍ଟର, ଗୀତିକାର ଓ ସଂଳାପ ଲେଖକ ଭାବେ କାମ କରିଥିଲେ। ୨୦୧୯ରେ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ ଜରିଆରେ ନିର୍ଦ୍ଦେଶକ ଭାବେ ପରିଚୟ ପାଇଥିଲେ। ଏହି ଫିଲ୍ମ ପାଇଁ ସେ ଜାତୀୟ ପୁରସ୍କାର ମଧ୍ୟ ହାସଲ କରିଥିଲେ। ପରେ ‘ଧୁରନ୍ଧର’ର ସଫଳତା ତାଙ୍କୁ ଦେଶବ୍ୟାପୀ ପରିଚିତ କରାଇଥିଲା।
ଆଦିତ୍ୟଙ୍କ କହିବା ଅନୁଯାୟୀ, ୟାମୀ ତାଙ୍କ ଜୀବନକୁ ଆସିବା ପରଠାରୁ ତାଙ୍କ ଭାଗ୍ୟ ବଦଳିଛି। ୟାମୀ ଜଣେ ସୁନା ହୃଦୟର ମଣିଷ। ତାଙ୍କ ଅଭିନୟ ପ୍ରତିଭାର ମାତ୍ର ୫୦ ପ୍ରତିଶତ ହିଁ ଦର୍ଶକ ଦେଖିଛନ୍ତି। ‘ଆର୍ଟିକଲ ୩୭୦’ ଓ ‘ହକ’ ଭଳି ଫିଲ୍ମରେ ତାଙ୍କ ଅଭିନୟ ଚମତ୍କାର। ଅନ୍ୟପଟେ ୟାମୀ କହିଛନ୍ତି, ଆଦିତ୍ୟଙ୍କ ସବୁଠାରୁ ବଡ଼ ଗୁଣ ହେଉଛି ତାଙ୍କ ସଚ୍ଚୋଟତା, ଦୃଢ଼ ଚରିତ୍ର ଓ କାମ ପ୍ରତି ନିଷ୍ଠା। ଫିଲ୍ମ ଇଣ୍ଡଷ୍ଟ୍ରିରେ ଅନେକ କଠିନ ପରିସ୍ଥିତିର ସାମ୍ନା କରିଥିଲେ ମଧ୍ୟ ସେ କେବେ ମନରେ ତିକ୍ତତା ରଖିନାହାନ୍ତି। ଆଦିତ୍ୟ ସେଟ୍ରେ ଲଗାତାର ୭୦ ଘଣ୍ଟା ପର୍ଯ୍ୟନ୍ତ ନ ଶୋଇ କାମ କରିଛନ୍ତି।
ପତ୍ନୀଙ୍କୁ ନିଜ ଫିଲ୍ମରେ ନେବା ପ୍ରସଙ୍ଗରେ ଆଦିତ୍ୟ କହିଛନ୍ତି, ବ୍ୟକ୍ତିଗତ ଓ ବୃତ୍ତିଗତ ଜୀବନ ମଧ୍ୟରେ ସେ ସ୍ପଷ୍ଟ ସୀମା ରଖନ୍ତି। ତେଣୁ ୟାମୀଙ୍କ ସହ କାମ କରିବା କ୍ଷେତ୍ରରେ ମଧ୍ୟ ସେ ପେଶାଦାର ପ୍ରକ୍ରିୟାକୁ ଗୁରୁତ୍ୱ ଦିଅନ୍ତି।