ଆଦିପୁରୁଷ ଫିଲ୍ମକୁ ବ୍ୟାନ କରିବାକୁ ୟୁପିରେ ଉଠିଲା ଦାବି, ଯୋଗୀଙ୍କୁ ଚିଠି ଲେଖିଲା ଆରଏଲଡି

ଲକ୍ଷ୍ନୌ,୧୮।୬: ଉତ୍ତରପ୍ରଦେଶରେ ବଲିଉଡ ମୁଭି ‘ଆଦିପୁରୁଷ’ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ରାଷ୍ଟ୍ରୀୟ ଲୋକ ଦଳ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଏକ ଚିଠି ଲେଖିଛନ୍ତି। ରାଷ୍ଟ୍ରୀୟ ଲୋକ ଦଳ ଅର୍ଥାତ୍‌ ଆରଏଲଡି ରାଜ୍ୟ ସଭାପତି ବ୍ୟବସାୟ ରୋହିତ ଅଗ୍ରୱାଲ ମୁଖ୍ୟମନ୍ତ୍ରୀଙ୍କୁ ଏକ ଚିଠିରେ ଅନୁରୋଧ କରିଛନ୍ତି ଯେ ଜୁନ ୧୬,୨୦୨୩ରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର ଆଦିପୁରୁଷକୁ ଉତ୍ତରପ୍ରଦେଶରେ ନିଷିଦ୍ଧ କରାଯାଉ। ରୋହିତ କହିଛନ୍ତି ଯେ ଚଳଚ୍ଚିତ୍ର ନିର୍ମାତାମାନେ ଏହି ଚଳଚ୍ଚିତ୍ରକୁ ରାମାୟଣ ଉପରେ ଆଧାରିତ ବୋଲି ବର୍ଣ୍ଣନା କରିଛନ୍ତି, କିନ୍ତୁ ଏହାର କୌଣସି ଚରିତ୍ର ଆମର ଧାର୍ମିକ ଗ୍ରନ୍ଥ ଅନୁଯାୟୀ ନୁହେଁ।

ରୋହିତ ଅଗ୍ରୱାଲ ଚିଠିରେ ଲେଖିଛନ୍ତି – ଏହି ଫିଲ୍ମରେ ଅଶ୍ଳୀଳ ତଥା ଖରାପ ଭାଷା ବ୍ୟବହାର କରାଯାଇଛି। ଚଳଚ୍ଚିତ୍ରରେ ଏପରି ସଂଳାପ ଅଛି, ଯାହା ସନାତନ ଆସ୍ଥା ଏବଂ ସନାତନ ପ୍ରେମୀଙ୍କ ହୃଦୟକୁ ଆଘାତ ଦେଇଛି । ଫିଲ୍ମରେ ଦେଖାଯାଇଥିବା ରାମାୟଣର ସମସ୍ତ ଚରିତ୍ର ରାମାୟଣର କାହାଣୀର ସମ୍ପୂର୍ଣ୍ଣ ବିପରୀତ, ଏହା ଆମର ଧାର୍ମିକ ଗ୍ରନ୍ଥ ଏବଂ ଆମ ସଂସ୍କୃତି ଉପରେ କୁଠାରାଘାତ।
ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ଲେଖାଯାଇଥିବା ଚିଠିରେ କୁହାଯାଇଛି ଯେ ଚଳଚ୍ଚିତ୍ରଗୁଡ଼ିକ ହେଉଛି ସମାଜର ଦର୍ପଣ, ଏପରି ଚଳଚ୍ଚିତ୍ର ଯାହା ଆମ ଧାର୍ମିକ ଗ୍ରନ୍ଥଗୁଡ଼ିକର କାହାଣୀକୁ ସଂପୂର୍ଣ୍ଣ ଭୁଲ ଏବଂ ଅଶ୍ଳୀଳ ଢଙ୍ଗରେ ଦର୍ଶାଏ। ଭବିଷ୍ୟତ ପାଇଁ ନିଶ୍ଚିତ ଭାବେ କୁହାଯାଇପାରେ ଯେ ଧର୍ମ ବିରୋଧି କୟକେତେକ ଲୋକେ ଏହି ଫିଲ୍ମ ଆଧାରରେ ଆମର ସଂସ୍କୃତି ଓ ଆମର ଧର୍ମ ଗ୍ରନ୍ଥ ୁପରେ କଟାକ୍ଷ କରିବେ। ଶ୍ରୀ ରାମଙ୍କ ଚରିତ୍ରକୁ ଖରାପ କରିବା ଏବଂ ଆମ ସଂସ୍କୃତିକୁ ନଷ୍ଟ କରିବା ପାଇଁ ଚଳଚ୍ଚିତ୍ର ଆଦିପୁରୁଷ ଏକ ବଡ ଷଡ଼ଯନ୍ତ୍ର।

Share