ରାମ ଅବତାରରେ ପ୍ରଭାସ

ମୁମ୍ବାଇ: ସାଉଥ୍ ଇଣ୍ଡଷ୍ଟ୍ରିର ଆଗଧାଡିର ଅଭିନେତା ପ୍ରଭାସଙ୍କ ଅଭିନୀତ ଫିଲ୍ମ ‘ଆଦିପୁରୁଷ’କୁ ନେଇ କେବେଠାରୁ ଚର୍ଚ୍ଚା ଚାଲିଛି । ଏଥିରେ ସବୁଠାରୁ ଭିନ୍ନ କ୍ୟାରେକ୍ଟରରେ ପ୍ରଭାସଙ୍କୁ ଦେଖିବାକୁ ମିଳିବ । ପ୍ରଭାସ ‘ଆଦିପୁରୁଷ’ରେ ଭଗବାନ ରାମଙ୍କ ଚରିତ୍ରରେ ନଜର ଆସିବେ । କିଛିଦିନ ପୂର୍ବରୁ ଅନୁମାନ କରାଯାଉଥିଲା କି ରାମ ନବମୀ ଅବସରରେ ନିର୍ଦ୍ଦେଶକ ଓମ ରାଉତ ଫିଲ୍ମର ପୋଷ୍ଟର ଅବା ପ୍ରଭାସଙ୍କ ଫାଷ୍ଟ ଲୁକ ଶେୟାର କରିପାରନ୍ତି ।
ଏସବୁ ମଧ୍ୟରେ ରାମ ନବମୀ ଅବସରରେ ଓମ ରାଉତ ଫିଲ୍ମ ସହିତ ଜଡିତ ଏକ ଭିଡିଓ ଶେୟାର କରିଛନ୍ତି । ଆପଣମାନଙ୍କୁ ଜଣାଥିବ ସୋସିଆଲ ମିଡିଆ ମାଧ୍ୟମରେ ଓମ ରାଉତ ମଝିରେ ମଝିରେ ଫିଲ୍ମ ‘ଆଦିପୁରୁଷ’ ସହ କିଛି କିଛି ତଥ୍ୟ ଶେୟାର କରିଥାଆନ୍ତି । ଏବେ ରାମନବମୀ ଅବସରରେସେ ଫିଲ୍ମ ସହ ଜଡିତ ଏକ ଭିଡିଓ ଶେୟାର କରିଛନ୍ତି । ସେ ତାଙ୍କ ଅଫିସିୟାଲ ଟୁଇଟର ଆକାଉଣ୍ଟରେ ଏହି ଭିଡିଓ ଶେୟାର କରିଛନ୍ତି । ଏଥିରେ ପ୍ରଭାସଙ୍କ ଭିନ୍ନ ଭିନ୍ନ ଲୁକ୍ସ ଦେଖିବାକୁ ମିଳିଛି । ଭିଡିଓ ଆରମ୍ଭରେ ନିର୍ଦ୍ଦେଶକ ପ୍ରଶଂସକଙ୍କୁ ରାମ ନବମୀର ଶୁଭେଚ୍ଛା ଜଣାଇଛନ୍ତି । ଏଥିରେ ଲେଖାଯାଇଛି ପ୍ରଶଂସକଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ଫିଲ୍ମ ‘ଆଦିପୁରୁଷ’ର ପୋଷ୍ଟର । ଏହାକୁ ଶେୟାର କରି ନିର୍ଦ୍ଦେଶକ ଲେଖିଛନ୍ତି, ଉଛୁଳି ଉଠୁଥିବା ବୀରତାର ସାଗର, ଉଛୁଳୁଥିବା ବାତ୍ସଲ୍ୟର ସାଗର, ଜନ୍ମ ହେଲା ପ୍ରଭୁ ରାମଙ୍କର, ନାଚ, ଗାଅ ସବୁ ଘର ନଗର । ଏବେ ସୋସିଆଲ ମିଡିଆରେ ଓମ ରାଉତଙ୍କ ଏହି ଟୁଇଟ ଭାଇରାଲ ହେବାରେ ଲାଗିଛି ।

Share