ଆଦିଗୁରୁ

ଅଲେଖ ଚନ୍ଦ୍ର ମିଶ୍ର

ନାମ ଗୁରୁଚରଣ। ଘର ନାମ ଗୁରୁକୃପା। ପୁଅ ଗୁରୁପ୍ରସାଦ। ଝିଅ ଗୁରୁପ୍ରିୟା। ପତ୍ନୀକୁ ଗେହ୍ଲାରେ ଡାକନ୍ତି ଗୁରୁପ୍ରଭା। ଇଏ ହେଲା କୁଳଭୂଷଣଙ୍କ(ଆଫିଡେଭିଟ କରି ଗୁରୁଚରଣ ହୋଇଥିବା) ସଂକ୍ଷିପ୍ତ ପରିଚୟ। ଗୃହର ଏକ ନିଭୃତ ବାତାନୁକୂଳ କୋଠରି ଠାକୁରଘର। ସେଇଟି ଗୁରୁଙ୍କ ପାଇଁ ଉଦ୍ଦିିଷ୍ଟ। ସେ ଘରର ସଜାସଜି ଦେଖିଲେ ଆଖି ଖୋସି ହୋଇଯିବ । ଚନ୍ଦନ କାଠରେ କୋଟିକାମ ହୋଇଥିବା ଏକ ଖଟୁଲି ଉପରେ ମଖମଲ ଶେଯ ଓ ମୁଚୁଳା ମଧ୍ୟରେ ଅତି ସନ୍ତର୍ପଣରେ ରଖାଯାଇଅଛି ବାବା (ଗୁରୁ) ଙ୍କର ପୂର୍ଣ୍ଣାବୟବ ଏକ ରଙ୍ଗିନ ଫଟୋଚିତ୍ର। ଦାମୀ ସୁବାସିତ ରୁମ୍‌ ସ୍ପ୍ରେ ଓ ଅଗରବତିରେ ଘରସାରା ମହକି ଉଠୁଥାଏ। ନନାଜାତିର ଫୁଲ ଓ ଚନ୍ଦନରେ ସଜାହୋଇ ଖଟୁଲିଟି ଏକ ଅପୂର୍ବ ଶୋଭା ଧାରଣ କରିଥାଏ। ସକାଳେ ସାରେ ଦୁଇ ଓଳି ନାନା ପ୍ରକାରର ଲୋଭନୀୟ ସାମଗ୍ରୀ ବାବାଙ୍କୁ ଭୋଗଲାଗେ। ଅନୂ୍ୟନ ଦୁଇଘଣ୍ଟା ଧରି ବାବାଙ୍କ ପୂଜାର୍ଚ୍ଚନା ହୁଏ। ସାରା ପରିବାର ବନ୍ଦନା ଓ ପ୍ରାର୍ଥନା କରନ୍ତି । ଜଳ ଧୂପକାଠିର ପାଉଁଶ (ବିଭୂତି)କୁ ମଥାରେ ବୋଳନ୍ତି। ମୁଣ୍ଡରେ ବିଭୂତି ନ ଲଗାଇ ବାହାରକୁ ବାହାରନ୍ତି ନାହିଁ ଗୁରୁଚରଣ। ପାଞ୍ଚ ଅଙ୍ଗୁଳିରେ ବାବାଙ୍କର ବିଭିନ୍ନ ଆକୃତିର ଚିତ୍ର ଥିବା ମୁଦି। ବେକରେ ବାବାଙ୍କର ଫଟୋ ଥିବା ଲକେଟ, କଥା କଥା କେ କହନ୍ତି, ‘ସବୁ ସେଇ ବାବାଙ୍କର ଇଚ୍ଛା।’ ଅଫିସରେ ବାବା ଶବ୍ଦଟିକୁ ୧୦୮ ଥର ଲେଖିଲାପରେ କାମ ଆରମ୍ଭ କରନ୍ତି। ସେପଟେ ବାଲ୍‌କୋନିରେ ପାଲଟିଏ ଟଙ୍ଗା ହୋଇ ତିଆରି ହୋଇଥାଏ ବୋଉର ଘର। ଦରଭଙ୍ଗା ବେଞ୍ଚକୁ ଯୋଡି ତା’ ଉପରେ ଅଧାଚିରା କନ୍ଥା ପକେଇ ବୋଉ ଶୋଇବା ପାଇଁ ବ୍ୟବସ୍ଥା କରା ଯାଇଥାଏ। ବୋଉ ସେଇଠି ରହେ। ଯାହା ଦିଅନ୍ତି ଖାଏ। ଠାକୁରଘର ବାରଣ୍ଡାକୁ ବି ଯିବାପାଇଁ ଶକ୍ତ ମନା। ଭୋଗ ସାମଗ୍ରୀକୁ ଦେଖିବା ତ ସ୍ବପ୍ନ।
ଅସଂଖ୍ୟ ବାବାପ୍ରେମୀଙ୍କ ମଧ୍ୟରୁ ଏହା ଗୋଟିଏ ଦୃଷ୍ଟାନ୍ତ। କେହି କେହି ବାବା କାଢ଼ିଥିବା ପାନଛେଦାକୁ ଅମୃତ ତୁଲ୍ୟ ମନେକରି ସେବନ କରନ୍ତି ଓ ଅନ୍ୟକେହି ତାଙ୍କର ପାଦଧୂଳିକୁ ମୁଣ୍ଡରେ ବୋଳି କୃତାର୍ଥ ହୋଇଯାନ୍ତି। ବାବାଙ୍କ ସାନ୍ନିଧ୍ୟ ଲାଭ ଓ ଅଙ୍ଗସେବାର ସୁଯୋଗ ପାଇବା ତ ପରମ ସୌଭାଗ୍ୟ। ଗୁରୁଙ୍କ ପ୍ରତି ଏପରି ଐକାନ୍ତିକ ସମର୍ପଣଭାବ ହୁଏତ ଗୁରୁ ପରମ୍ପରାର ଏକ ବଳିଷ୍ଠ ନିଦର୍ଶନ ହୋଇପାରେ। କିନ୍ତୁ ତା’ ଭିତରେ ଗୁରୁତ୍ୱର ମହାନତା ଓ ପବିତ୍ରତାକୁ ଠିକ୍‌ ଭାବରେ ବୁଝିବାରେ କିଞ୍ଚିତ ତ୍ରୁଟି ରହିଯାଏ। ଗୁରୁ ସଂସ୍କୃତି ଯୁଗ ଯୁଗର ଅବଦାନ। ସତ୍ୟଯୁଗରେ ପ୍ରହଲ୍ଲାଦ ଗୁରୁ ନାରଦଙ୍କ କୃପାରୁ ମାତା କୟାଧୂଙ୍କର ଗର୍ଭରେ ଥାଇ ବି ଈଶ୍ୱରପ୍ରାପ୍ତିର ମାର୍ଗ ଜାଣିଥିଲେ। ତ୍ରେତୟାରେ ଶବରୀ ଗୁରୁ ମାତଙ୍ଗ ଋଷିଙ୍କ ପ୍ରବର୍ତ୍ତିତ ନୀତିକୁ ଅନୁସରଣ କରି ପ୍ରଭୁ ଶ୍ରୀରାମଙ୍କୁ ପାଇପାରିଥିଲେ। ଦ୍ୱାପରରେ ଗୁରୁ ଦ୍ରୋଣାଚାର୍ଯ୍ୟ ବି ଜଗଦଗୁରୁ ପ୍ରଭୁ ଶ୍ରୀକୃଷ୍ଣଙ୍କର ଦୟାରୁ ସକଳ ପାପରୁ ମୁକ୍ତ ହୋଇଥିଲେ। କଳିଯୁଗରେ ନାମ ସଂକୀର୍ତ୍ତନ ହିଁ ମୋକ୍ଷ ପ୍ରାପ୍ତିର ଉପାୟ ବୋଲି ହରିନାମକୁ ପ୍ରାଧାନ୍ୟ ଦିଆଯାଇଛି, ”ହରେର୍ନାମ, ହରେର୍ନାମ, ହରେର୍ନାମୈବ କେବଳଂ, କଳୌ ନାସ୍ତ୍ୟୈବ ନାସ୍ତ୍ୟୈବ ନାସ୍ତ୍ୟୈବ ଗତିରନ୍ୟଥା।“ ତଥାପି କିଛି ଲୋକ ଦ୍ୱନ୍ଦ୍ୱରେ ପଡି ଗୁରୁଙ୍କୁ ଭଗବାନ କୁହନ୍ତି। କିନ୍ତୁ ଗୁରୁ ସ୍ବୟଂ ଭଗବାନ ନୁହନ୍ତି ବୋଲି ସେ ନିଜେ ବି କୁହନ୍ତି। ଭଗବାନଙ୍କୁ ପାଇବା ପାଇଁ ସେ ଏକ ମାର୍ଗଦର୍ଶକ। ଉଦ୍ଭ୍ରାନ୍ତ ମାନବ ସମାଜ ପାଇଁ ଦିଗ୍‌ଦର୍ଶକ। ଗୁରୁ ମାନବ ଜନ୍ମର ଅନ୍ତିମ ଲକ୍ଷ୍ୟ ନୁହନ୍ତି। ଲକ୍ଷ୍ୟ ପ୍ରାପ୍ତିର ମାଧ୍ୟମ ମାତ୍ର। ଅଜ୍ଞ ମାନବକୁ ଅନ୍ଧାର ଭିତରେ ଜ୍ଞାନର ଆଲୋକ ଦେଖେଇ ବାଟ କଢ଼ାନ୍ତି।“ ‘ଗୁ’ କାରଶ୍ଚ ଅନ୍ଧକାରୋ ‘ରୁ’ କାରୋ ତେଜୋ ଉଚ୍ୟତେ। ସେଭଳି ଗୁରୁଙ୍କୁ ପାଇବା ଦୁଃସାଧ୍ୟ। ସେ ମିଳନ୍ତିନି, ତାଙ୍କୁ ଖୋଜି ବାହାର କରିବାକୁ ପଡ଼େ। ସାଂସାରିକ ଜଞ୍ଜାଳରୁ ସନ୍ନ୍ୟାସ ନେଇ ଜନବସତିରୁ ଅନେକ ଦୂରରେ କେଉଁ ଅଜ୍ଞାତ, ଅଗମ୍ୟ ଘଞ୍ଚ ବନାନୀ ଭିତରେ ଅଥବା ସାଧାରଣ ମଣିଷର ଅପହଞ୍ଚ ଇଲାକାରେ ସେ ହୁଏତ କୃଚ୍ଛ୍ର ସାଧନା କରୁଥିବେ। ସେମାନଙ୍କଠାରୁ କୌଣସି ଭୌତିକ, ସାଂସାରିକ ଅଥବା ପାର୍ଥିବ କାମନା ପୂରଣ କରିବାର ଆଶା ବୃଥା। ଅଥଚ ପୁରପଲ୍ଲୀରୁ ଜନପଦ ପର୍ଯ୍ୟନ୍ତ ନିତି ଦୃଷ୍ଟିଗୋଚର ହୁଅନ୍ତି ଅସଂଖ୍ୟ ବାବା। କେହି କେହି ଆଶ୍ରମ ସ୍ଥାପନ କରି ସୁଖ ସ୍ବାଚ୍ଛନ୍ଦ୍ୟରେ ଦିନ କାଟନ୍ତି। ଏମାନେ ନିଜର ତଥାକଥିତ ଚମତ୍କାରିତା ଓ ଅଲୌକିକତାର ପ୍ରଚାର ମାଧ୍ୟମରେ ଲୋକଙ୍କୁ ଆକୃଷ୍ଟ କରନ୍ତି ଏବଂ ସେମାନଙ୍କର ଦୁର୍ବଳ ମାନସିକତାର ସୁଯୋଗ ନେଇ ପ୍ରକାରାନ୍ତରେ ସେମାନଙ୍କୁ ଶୋଷଣ କରନ୍ତି। ଏପରି ଘଟଣା ଏତେ ବ୍ୟାପକ ହୋଇଗଲାଣି ଯେ ତା’ର ଉପସ୍ଥାପନା କରିବା ନିଷ୍ପ୍ରୟୋଜନ। ପାର୍ଥିବ ପଦାର୍ଥ ଲୋଭରେ ଲୋକେ ହିତାହିତ ଜ୍ଞାନ ହରେଇ ଉପରେ ବର୍ଣ୍ଣିତ କୁଳଭୂଷଣଙ୍କ ପରି ସ୍ବାର୍ଥାନ୍ଧ ହୋଇ ଭଣ୍ଡବାବାଙ୍କୁ ଗୁରୁ ଏବଂ ଭଗବାନ ମାନନ୍ତି। ଅଥଚ ନିଜକୁ ଜନ୍ମଦେଇଥିବା ମାତାପିତାଙ୍କୁ ଘୋର ଅବହେଳା କରନ୍ତି । ଏମାନେ ଭୁଲିଯାନ୍ତି ଯେ ମାତାପିତା ହିଁ ଆଦ୍ୟ ଗୁରୁ (ହିତ ଗୁରୁ )।
‘ସାରଦାଶ୍ରୀ, ୯୦୪, ଶାସ୍ତ୍ରୀନଗର, ୟୁନିଟ-୪, ଭୁବନେଶ୍ୱର, ମୋ:- ୯୪୩୮୬୭୩୮୯୮


Enter your email to get our daily news in your inbox.

All Right Reserved By Dharitri.Com

ବୈଜ୍ଞାନିକ ଦୃଷ୍ଟିକୋଣ

ବିଜ୍ଞାନ ଯୁଗର ବୈଜ୍ଞାନିକମାନଙ୍କୁ ଦେଖିଲେ ଆମେ ବିଜ୍ଞାନଠାରୁ ଅନେକ ଦୂରରେ ରହିଲା ପରି ମନେହୁଏ। ଆମେ ଭାବୁ, ବିଜ୍ଞାନ କେବଳ ବୈଜ୍ଞାନିକର ସମ୍ପତ୍ତି। କାହିଁକି ନା ବିଜ୍ଞାନ…

ମାତୃଭାଷା ଓ ସାମଗ୍ରିକ ପ୍ରଗତି

ଜଗତୀକରଣ, ପ୍ରଯୁକ୍ତି ବିପ୍ଳବ ଓ ଆର୍ଥିକ ପ୍ରତିସ୍ପର୍ଦ୍ଧାର ଏହି ଯୁଗରେ ଭାଷା ପ୍ରଶ୍ନ ପୁଣିଥରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହୋଇଉଠିଛି। ସରକାରଙ୍କ ଶିକ୍ଷାନୀତି, ଶିକ୍ଷିତ ଅଭିଭାବକଙ୍କ ଏଥିପ୍ରତି ଅନାଶକ୍ତି,…

ଡିଜିପି ନିଯୁକ୍ତିରେ ବିଳମ୍ବ

ସୁପ୍ରିମକୋର୍ଟ ‘କାର୍ଯ୍ୟକାରୀ ଡିଜିପି’ ସଂସ୍କୃତିକୁ ଏକ ଗୁରୁତର ସାଙ୍ଗଠନିକ ତ୍ରୁଟି ଭାବରେ ସୂଚିତ କରିବା ପରେ ବି ପଞ୍ଜାବ ଏବେ ନିୟମିତ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ନିଯୁକ୍ତ…

ଏଇ ଭାରତରେ

ଆନ୍ଧ୍ରପ୍ରଦେଶ ଅନନ୍ତପୁର ଜିଲାର ମରୁଡ଼ିପ୍ରବଣ ଅଞ୍ଚଳରେ ଭାରତୀୟ ବନ ସେବା ଅଧିକାରୀ(ଆଇଏଫ୍‌ଏସ୍‌) ବିନିତ କୁମାର ଓ ତାଙ୍କ ସ୍ତ୍ରୀ ତଥା ବନ୍ୟପ୍ରାଣୀ ସଂରକ୍ଷକ ରୂପା ଯାଦବ ଜଳାଶୟ…

ଶବ୍ଦଘାତକର ଯୁଗଯନ୍ତ୍ରଣା

ଡାକବାଜି,, ଡିଜେ, ବାଣ ଆଦି ଶବ୍ଦ ପ୍ରଦୂଷଣ ସୃଷ୍ଟିକାରୀ ଉପାଦାନ ଏବେ କେବଳ ଆଉ ପାର୍ବଣ ପାଳନ ମଧ୍ୟରେ ସୀମିତ ରହିନାହିଁ। ସହର ବଜାରରୁ ଆରମ୍ଭ କରି…

ପ୍ଲାଷ୍ଟିକମୟ ପୃଥିବୀ

ପୃଥିବୀ ସମ ଏକ ସୁନ୍ଦର ଗ୍ରହ ନାହିଁ କହିଲେ ଅତ୍ୟୁକ୍ତି ହେବନାହିଁ, ଯେଉଁଠାରେ ଆମେ ଜନ୍ମ ଗ୍ରହଣ କରି ନିଜକୁ ଭାଗ୍ୟବାନ ମନେକରୁ। କାରଣ ପୃଥିବୀ ଆମକୁ…

ବିଦ୍ରୋହୀ ରାଜା

୧୯୮୯ରେ ଆମେରିକାରେ ଗ୍ରୀଷ୍ମଋତୁ (ଜୁନ-ଅଗଷ୍ଟ)ରେ ଫ୍ରାନ୍ସିସ ଫୁକୁୟାମା ‘ଇତିହାସର ଶେଷ’ ସିଦ୍ଧାନ୍ତ ଉପସ୍ଥାପନ କରିଥିଲେ। ତାଙ୍କ ଦୃଷ୍ଟିକୋଣରେ ଉଦାରବାଦୀ ଗଣତାନ୍ତ୍ରିକ ପୁଞ୍ଜିବାଦ ବା ପାଶ୍ଚାତ୍ୟ ଉଦାରବାଦ ଗଣତନ୍ତ୍ର…

ଭାରତୀୟ ଗଣତନ୍ତ୍ରରେ ଅଭାବୀ ବିକଳ୍ପ

ଏକ ଚା’ ଖଟିରେ ଦୁଇ ବନ୍ଧୁ ପରସ୍ପର ରାଜନୀତି ବିଷୟରେ ଚର୍ଚ୍ଚା କରୁଥିଲେ ଏବଂ ଜଣେ ବନ୍ଧୁ ଅନ୍ୟ ଜଣେ ବନ୍ଧୁଙ୍କ ସହିତ କଥୋପକଥନ ଛଳରେ କହୁଥା’ନ୍ତି-…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri