ବାଲିମାଫିଆଙ୍କ ଆକ୍ରମଣରେ ଅତିରିକ୍ତ ତହସିଲଦାର, ରାଜସ୍ବ ନୀରିକ୍ଷକ ଆହତ

ଲୋଇସିଂହା,୧୭।୧୦(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ଆଗଲପୁରରେ ରବିବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି । ବାଲିମାଫିଆଙ୍କ ଆକ୍ରମଣରେ ଅତିରିକ୍ତ ତହସିଲଦାର ପ୍ରଭାକର ପଧାନ ଏବଂ ରାଜସ୍ବ ନୀରିକ୍ଷକ ସୁଶାନ୍ତ ପଟେଲ ଆହତ ହୋଇଛନ୍ତି । ଏପରିକି ଉଭୟ ଅଧିକାରୀଙ୍କୁ ଆକ୍ରମଣକାରୀ ୧ ଘଣ୍ଟା ପର୍ଯ୍ୟନ୍ତ ଅଟକ ରଖିଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଥିଲା । ହେଲେ ପୋଲିସ ଉପସ୍ଥିତିରେ ଅଧିକାରୀ ଦ୍ୱୟଙ୍କୁ ଆକ୍ରମଣ ହୋଇଥିବା ଜଣାପଡିଛି।

ଅନ୍ୟପକ୍ଷେ ପୋଲିସ କୌଶଳ କରି ଅଧିକାରୀଙ୍କୁ ଉଦ୍ଧାର କରିବାରେ ସକ୍ଷମ ହୋଇଥିଲା ସୋମବାର ଆହତ ଅଧିକାରୀ ଦ୍ୱୟ ତହସିଲଦାର ସୁଚିତା ପୁଷ୍ପାଙ୍କ ସହ ଲୋଇସିଂହା ଥାନାକୁ ଆସି ଲିଖିତ ଅଭିଯୋଗ କରିଛନ୍ତି। ଏନେଇ ପୋଲିସ ଏକ ମାମଲା(ନଂ. ୩୫୧/୨୨) ରୁଜୁ କରିଛି। ଖୁବଶୀଘ୍ର ଅଭିଯୁକ୍ତମାନଙ୍କୁ ଗିରଫ କରାଯିବ ବୋଲି ଆଇଆଇସି ରଶ୍ମିତା ବେହେରା କହିଛନ୍ତି।

ପୋଲିସ ସୂଚନା ମୁତାବକ, ନିୟମିତ ଭାବେ ଆଗଲପୁର ଅଞ୍ଚଳରେ ବାଲି ଓ ପଥର ଉତ୍ତୋଳନ କରି ଚାଲାଣ କରାଯାଉଥିବା ତହସିଲ କାର୍ଯ୍ୟାଳୟରେ ଅଭିଯୋଗ ହୋଇଥିଲ। ବାଲି ଚାଲାଣ ରୋକିବା ପାଇଁ ରବିବାର ରାତିରେ ଅତିରିକ୍ତ ତହସିଲ ପଧାନ ଓ ରାଜସ୍ବ ନୀରିକ୍ଷକ ପଟେଲ ତହସିଲ ଅଫିସ ଆଗରେ ଛକି ରହିଥିଲେ । ଏହି ସମୟରେ ଅଙ୍ଗନଦୀରୁ ଏକ ବାଲି ବୋଝେଇ ଟ୍ରାକ୍ଟର (ନଂ. ଓଡ଼ି୦୩ ଏସ୍‌-୮୯୩୪) ଉକ୍ତ ରାସ୍ତା ଦେଇ ଆସୁଥିବାରୁ ଅଧିକାରୀ ଦ୍ୱୟ ଅଟକାଇବାକୁ ଉଦ୍ୟମ କରିଥିଲେ । ହେଲେ ଡ୍ରାଇଭର ସେମାନଙ୍କୁ ଟ୍ରାକ୍ଟର ଚଢାଇ ଦେବାକୁ ଉଦ୍ୟମ କରି ଦ୍ରୁତ ଗତିରେ ଖସି ଯାଇଥିଲା। ତେବେ ଅଧିକାରୀ ଦୟ ଟ୍ରାକ୍ଟରକୁ ପିଛା କରିଥିଲେ। କିଛି ବାଟ ଗଲା ପରେ କେତେକ ମହିଳା ଓ ପୁରୁଷ ତାଙ୍କୁ ଅତର୍କିତ ଆକ୍ରମଣ କରିଥିଲେ। ଫଳରେ ଅତିରିକ୍ତ ତହସିଲଦାରଙ୍କ ମୁହଁରେ ଆଘାତ ଲାଗିବାରୁ ରକ୍ତ ସ୍ରାବ ହୋଇଥିଲା। ଏପରି କି ଆକ୍ରମଣରେ ରାଜସ୍ବ ନୀରିକ୍ଷକଙ୍କ ହାତ ଖଣ୍ଡିଆ ହୋଇଛି । ପୋଲିସ ଉଦ୍ଧାର କରି ତାଙ୍କୁ ପ୍ରାଥମିକ ଚିକିତ୍ସା କରାଇଛି । ଟ୍ରାକ୍ଟର ଜବତ କରି ଆକ୍ରମଣକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ତହସିଲଦାର ପୁଷ୍ପା ପୋଲିସକୁ କହିଛନ୍ତି। ଖବର ପାଇ ଉପଜିଲାପାଳ ଲୋଇସିଂହା ଥାନାରେ ପହଞ୍ଚି ପୋଲିସ ଓ ତହସିଲଦାରଙ୍କ ସହ ଆଲୋଚନା କରିଥିଲେ। ଉଲ୍ଲେଖ ଯୋଗ୍ୟ, ୬ ମାସ ତଳେ ଏହି ତହସିଲ ଅଞ୍ଚଳରେ ପଥର ମାଫିଆଙ୍କ ଆକ୍ରମଣରେ ଦାୟିତ୍ୱରେ ଥିବା ରାଜସ୍ବନିରୀକ୍ଷକ ଗୁରୁତର ହୋଇଥିଲେ