ଭିଜିଲାନ୍ସ ଜାଲରେ ଅତିରିକ୍ତ ତହସିଲଦାର

କୁଚିଣ୍ଡା,୮।୫(ଡି.ଏନ.ଏ.): ସମ୍ବଲପୁର ଜିଲା କୁଚିଣ୍ଡା ତହସିଲର ଅତିରିକ୍ତ ତହସିଲଦାର ସାରଦା ମହାରଣା ଶନିବାର ସାରେ ଜଣେ ବ୍ୟକ୍ତିଙ୍କଠାରୁ ପୋଖରୀ ଖନନରେ ବ୍ୟବହୃତ ଜବତ ଗାଡି ରିଲିଜ ପାଇଁ ଲାଞ୍ଚ ନେଉଥିବା ବେଳେ ସମ୍ବଲପୁର ଭିଜିଲାନ୍ସ ହାତରେ ଧରାପଡିଛନ୍ତି। କୁଚିଣ୍ଡା ତହସିଲ ଅନ୍ତର୍ଗତ ଖଣ୍ଡୋକଟା ପଞ୍ଚାୟତ ଜୁନାନୀ ଗ୍ରାମର ଅଶୋକ ପଟେଲ ଫ୍ୟାକ୍ଟ୍ରିରୁ ନିର୍ଗତ ପାଉଁଶ ନିଜ ଜମିରେ ଜମା କରିବା ପାଇଁ ଏକ ପୋଖରୀ ଖୋଳୁଥିଲେ। ଅଭିଯୋଗ ପାଇ କୁଚିଣ୍ଡା ଅତିରିକ୍ତ ତହସିଲଦାର ମହାରଣା ପୋଖରୀ ଖନନରେ ବ୍ୟବହୃତ ଗାଡି ଜବତ କରି ରୟାଲଟି ଓ ପେନାଲ୍‌ଟି ବାବଦକୁ ୪୦ ଲକ୍ଷ ଟଙ୍କା ଦାବି କରିଥିବା ଅଶୋକ ଅଭିଯୋଗ କରିଛନ୍ତି। ପରେ ଜବତ ଗାଡି ରିଲିଜ କରିବାକୁ ଅତିରିକ୍ତ ତହସିଲଦାରଙ୍କ ସହ ୧ଲକ୍ଷ ୨୦ ହଜାର ଟଙ୍କାରେ ଫାଇନାଲ କରି ଅଶୋକ ସମ୍ବଲପୁର ଭିଜିଲାନ୍ସ ବିଭାଗର ସହାୟତା ନେଇଥିଲେ। ଶନିବାର ସାରେ ତହସିଲ ଅଫିସ ପ୍ରକୋଷ୍ଠରେ ଅତିରିକ୍ତ ତହସିଲଦାର ଉକ୍ତ ଟଙ୍କା ଲାଞ୍ଚ ନେଉଥିବା ବେଳେ ପୂର୍ବରୁ ଛକି ରହିଥିବା ଭିଜିଲାନ୍ସ ଟିମ୍‌ ଚଢାଉ କରି ଟଙ୍କା ଜବତ କରିଥିଲେ। ପରେ ଭିଜିଲାନ୍ସ ବିଭାଗ ଅତିରିକ୍ତ ତହସିଲଦାରଙ୍କ ସରକାରୀ ବାସଭବନରେ ଚଢାଉ କରି ୧ ଲକ୍ଷ ୮୨ ହଜାର ୬୧୦ଟଙ୍କା ସର୍ବମୋଟ ୩ ଲକ୍ଷ ୩ହଜାର ୬୧୦ଟଙ୍କା ଜବତ କରିଥିବା ଭିଜିଲାନ୍ସ ପକ୍ଷରୁ କୁହାଯାଇଛି।