ପତିତପାବନଙ୍କୁ ଏନ୍‌ଆଇଏଲ୍‌ଡି ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ

କଣ୍ଟାପଡ଼ା, ୧୪ା୧୦(ଡି.ଏନ୍‌.ଏ.): କେନ୍ଦ୍ର ସରକାରଙ୍କ ସାମାଜିକ ନ୍ୟାୟ ଓ ଅଧିକାରିତା ମନ୍ତ୍ରଣାଳୟ ଅଧୀନ କଟକ ଜିଲା ଓଲଟପୁରସ୍ଥିତ ଏସ୍‌ଭି ନିର୍‌ତାରର କାର୍ଯ୍ୟକାରୀ ନିର୍ଦ୍ଦେଶକ ପ୍ରଫେସର ଡା. ପତିତପାବନ ମହାନ୍ତିଙ୍କୁ କୋଲକାତାସ୍ଥିତ ନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଫର୍‌ ଲୋକୋମୋଟର ଡିଜାବିଲିଟିଜ୍‌ (ଏନ୍‌ଆଇଏଲ୍‌ଡି)ର କାର୍ଯ୍ୟକାରୀ ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି। ବିଭାଗୀୟ କେନ୍ଦ୍ରମନ୍ତ୍ରୀ ଡ. ଅମିଦ୍‌ ଇକ୍ୟୁବାଲଙ୍କ ନିର୍ଦ୍ଦେଶକ୍ରମେ ଡା. ମହାନ୍ତି ଗୁରୁବାର କୋଲକାତାସ୍ଥିତ ଉକ୍ତ ଅନୁଷ୍ଠାନରେ ପହଞ୍ଚି ଏହି ଦାୟିତ୍ୱ ଗ୍ରହଣ କରିଥିବା ଜଣାପଡିଛି। ଅନ୍ୟାଦେଶ ପର୍ଯ୍ୟନ୍ତ ସେ ଉକ୍ତ ଦାୟିତ୍ୱରେ ରହିବା ପାଇଁ ବିଭାଗୀୟ ଯୁଗ୍ମସଚିବ ରାଜୀବ ଶର୍ମା ଅଧିକାରୀଙ୍କୁ ଚିଠି ଲେଖି ଜଣାଇଛନ୍ତି। ସୂଚନାଯୋଗ୍ୟ, ଡା. ମହାନ୍ତି ଏସ୍‌ଭି ନିର୍‌ତାରର ଜଣେ ଫିଜିଓଥେରାପିଷ୍ଟ ଓ ଶିକ୍ଷକ ଅଟନ୍ତି। ଏହି ଦାୟିତ୍ୱ ମିଳିବା ପରେ ନିର୍‌ତାରରେ ଅଧ୍ୟୟନରତ ଛାତ୍ରୀଛାତ୍ର ଓ କର୍ମଚାରୀମାନେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।