‘ନିଶା ଯୋଗୁ ପରିବାରରେ ଅଶାନ୍ତି ହୋଇ ହିଂସାକାଣ୍ଡ ଘଟୁଛି’

ଭଦ୍ରକ ଅଫିସ,୨୬।୬: ଜିଲା ପ୍ରଶାସନ ଓ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତ ବିଭାଗ ପକ୍ଷରୁ ରବିବାର ନିଶା ଅନାଶକ୍ତି ଓ ଅବୈଧ ନିଶା ଦ୍ରବ୍ୟ ଚାଲାଣ ନିରୋଧୀ ଆର୍ନ୍ତଜାତୀୟ ଦିବସ ଭଦ୍ରକ ବ୍ଲକ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି।

ଏହି ଅବସରରେ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ଜନ ସଚେତନତା ରଥ ସହ ଏକ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିଥିଲା। ପରେ ଭଦ୍ରକ ବ୍ଲକ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ସୁବାସ ଚନ୍ଦ୍ର ନାୟକଙ୍କ ପରିଚାଳନାରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ଜିଲା ସାମାଜିକ ସୁରକ୍ଷା ଅଧିକାରୀ ସୁରେନ୍ଦ୍ର ନାଥ ଗମାଙ୍ଗୋ, ଅନ୍ୟତମ ଅତିଥି ଭାବେ ଅବକାରୀ ନୀରିକ୍ଷକ ଅନୀତା ପ୍ରଧାନ, ମହିଳା ଓ ଶିଶୁ ବିକାଶ ସୁପରଭାଇଜର ଅର୍ଣ୍ଣପୂର୍ଣ୍ଣା ସାହୁ, ଭଦ୍ରକ ନିଶା ନିବାରଣ କେନ୍ଦ୍ର ପ୍ରକଳ୍ପ ନିର୍ଦ୍ଦେଶକ ସନ୍ତୋଷ କୁମାର ନାୟକ ଯୋଗଦେଇଥିଲେ। ମଣିଷ ଥରେ ନିଶା ସେବନ ରାସ୍ତାରେ ଚାଲିଗଲେ ଆଉ ଫେରିବାର ବାଟ ଏତେ ସହଜ ହୋଇ ନ ଥାଏ। ଏପରିକି ନିଶା ଯୋଗୁ ପାରିବାରିକ ହିଂସା ଓ ଅଶାନ୍ତି ସୃଷ୍ଟି ହୋଇ ବହୁ ପରିବାର ନଷ୍ଟ ହୋଇଯାଉଛି ବୋଲି ଅତିଥିମାନେ କହିଛନ୍ତି। ଅନ୍ୟପକ୍ଷେ ସାମାଜିକ ସଚେତନତା ସୃଷ୍ଟି କରିବା ନେଇ ସମସ୍ତେ ଶପଥ ପାଠ କରିଥିଲେ। ଶିକ୍ଷୟିତ୍ରୀ, ଶିକ୍ଷକ ଛାତ୍ରୀଛାତ୍ର, ଅଭିଭାବକ, ଅଙ୍ଗନୱାଡ଼ି କର୍ମୀ ଶୋଭାଯାତ୍ରା ଓ ସଭାରେ ସାମିଲ ହୋଇଥିଲେ।