Categories: ଜାତୀୟ

କୋଭିଶିଲ୍ଡ ଟିକା ନେଇଥିବା ଲୋକଙ୍କୁ ୟୁରୋପ୍‌ରେ ଏଣ୍ଟ୍ରି: ପୁନାଓ୍ବାଲା ଦେଲେ ଆଶ୍ୱାସନା

ନୂଆଦିଲ୍ଲୀ,୨୮।୬: ଭାରତରେ କରୋନା ଭାଇରସ ନିୟନ୍ତ୍ରଣ କରିବା ପାଇଁ ୧୮ ବର୍ଷରୁ ଅଧିକ ଲୋକଙ୍କୁ ଟିକାକରଣ କରାଯାଉଛି ଏବଂ ଅଧିକାଂଶ ଲୋକଙ୍କୁ କୋଭିଶିଲ୍ଡ ଟିକା ଦିଆଯାଉଛି। ତେବେ ଏହି ସମୟରେ ଖବର ଆସିଛି ଯେ ୟୁରୋପୀୟ ୟୁନିଅନର ଦେଶମାନେ କୋଭିଶିଲ୍ଡ ନେଇଥିବା ଲୋକଙ୍କୁ ତାଙ୍କ ଦେଶକୁ ଆସିବାକୁ ଦେବେ ନାହିଁ। ଏହାପରେ ସିରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ସିଇଓ ଅଦର ପୁନାୱାଲା ଟୁଇଟ କରି ୟୁରୋପୀୟ ୟୁନିଅନ ଗସ୍ତରେ ଅସୁବିଧାର ସମ୍ମୁଖୀନ ହେଉଥିବା ଭାରତୀୟମାନଙ୍କୁ ଆଶ୍ୱାସନା ଦେଇଛନ୍ତି। ପୁନାୱାଲା ଟୁଇଟ୍‌ରେ ଲେଖିଛନ୍ତି, ମୁଁ ଅନୁଭବ କରିଛି ଯେ କୋଭିଶିଲ୍ଡ ଟିକା ନେଇଥିବା ଅନେକ ଭାରତୀୟ ୟୁରୋପୀୟ ୟୁନିଅନକୁ ଯିବା ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ମୁଁ ସମସ୍ତଙ୍କୁ ନିଶ୍ଚିତ କରୁଛି, ମୁଁ ଏହି ସମସ୍ୟାକୁ ଏକ ବଡ଼ ଢଙ୍ଗରେ ଉଠାଇଛି। ଖୁବ୍‌ଶୀଘ୍ର ଏହାର ନିୟାମକ ଏବଂ କୂଟନୈତିକ ସ୍ତରରେ ସମାଧାନ ହେବ।
କୋଭିଶିଲ୍ଡ ଟିକା ଅକ୍ସଫୋର୍ଡ ୟୁନିଭରସିଟି-ଆଷ୍ଟ୍ରାଜେନେକା ଦ୍ୱାରା ବିକଶିତ ହୋଇଛି ଏବଂ ପୁଣେର ଟିକା ନିର୍ମାତା କମ୍ପାନୀ ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଦ୍ୱାରା ଭାରତରେ ଏହାକୁ ପ୍ରସ୍ତୁତ କରାଯାଉଛି। ୟୁରୋପୀୟ ୟୁନିଅନ (ଇୟୁ) ଏପର୍ଯ୍ୟନ୍ତ କେବଳ ଅକ୍ସଫୋର୍ଡ-ଆଷ୍ଟ୍ରାଜେନେକା ଦ୍ୱାରା ବିକଶିତ ଭାକ୍ସଜେଭେରିଆକୁ ସ୍ବୀକୃତି ଦେଇଛି।

Share