Categories: ଜାତୀୟ

ଆଦାନୀ ପ୍ରସଙ୍ଗ: ସଂସଦରେ ଅଚଳାବସ୍ଥା ଜାରି

ନୂଆଦିଲ୍ଲୀ,୯ା୨: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଲୋକ ସଭାରେ ଆଦାନୀ ଗ୍ରୁପ୍‌ର ଜାଲିଆତି ପ୍ରସଙ୍ଗ ଉଠାଇ କେନ୍ଦ୍ରକୁ ଟାର୍ଗେଟ କରିବାର ଦିନକ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ବକ୍ତବ୍ୟ ରଖିଛନ୍ତି। ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ବେଳେ ପ୍ରଧାନମନ୍ତ୍ରୀ କହିଛନ୍ତି, ସଂଯୁକ୍ତ ପ୍ରଗତିଶୀଳ ମେଣ୍ଟ (ଉପା) ସରକାରଙ୍କ ୧୦ ବର୍ଷ ଶାସନ କାଳରେ ସେମାନେ ଦେଶକୁ ଶୁଷ୍କ କରିଦେଇଥିଲେ। ୨୦୦୪ରୁ ୨୦୧୪ ଦୁର୍ନୀତି ଓ ହିଂସାର ଦଶନ୍ଧି ଥିଲା। କଶ୍ମୀରରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ଦେଶ ଆତଙ୍କବାଦରେ ବୁଡ଼ିଥିଲା। ସେହି ୧୦ ବର୍ଷ ଭିତରେ ବିଶ୍ୱ ମଞ୍ଚରେ ଭାରତର ଛବି ମଳିନ ହୋଇଯାଇଥିଲା। ଭାରତ କଥା କେହି ଶୁଣୁ ନ ଥିଲେ।

ଉପା ସରକାର ପ୍ରତ୍ୟେକ ସୁଯୋଗକୁ ସଙ୍କଟରେ ପରିଣତ କରୁଥିଲେ। ବର୍ତ୍ତମାନ ବିରୋଧୀ ଦଳଗୁଡ଼ିକ ଦେଶର ପ୍ରଗତି ଦେଖି ସହିପାରୁ ନାହାନ୍ତି ବୋଲି ପ୍ରଧାନମନ୍ତ୍ରୀ କଂଗ୍ରେସକୁ ଟାର୍ଗେଟ କରିଛନ୍ତି। ବିରୋଧୀ ଦଳଗୁଡ଼ିକୁ ଲୋକେ ଏକାଠି କରିପାରିଲେ ନାହିଁ। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ସେମାନଙ୍କ ବିରୋଧରେ ଦୁର୍ନୀତି ମାମଲାରେ ତଦନ୍ତ କରୁଥିବାବେଳେ ବିରୋଧୀ ଗୋଟିଏ ମଞ୍ଚରେ ଏକଜୁଟ ହୋଇଛନ୍ତି। ଏଥିପାଇଁ ସେମାନେ ଇଡିକୁ ଧନ୍ୟବାଦ ଦେବା ଉଚିତ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ଅନ୍ୟପକ୍ଷେ ଆଦାନୀ ଗ୍ରୁପ୍‌ ବିରୋଧରେ ଆମେରିକୀୟ ଶର୍ଟ ସେଲର ହିଣ୍ଡେନ୍‌ବର୍ଗ ରିସର୍ଚ୍ଚ ପକ୍ଷରୁ ଅଣାଯାଇଥିବା ଅଭିଯୋଗ ଉପରେ ଯୁଗ୍ମ ସଂସଦୀୟ କମିଟି (ଜେପିସି) କିମ୍ବା ସୁପ୍ରିମକୋର୍ଟ ତତ୍ତ୍ୱାବଧାନରେ ତଦନ୍ତ କରାଯିବା ଦାବିରେ କଂଗ୍ରେସ ସମେତ ବିରୋଧୀ ଦଳଗୁଡ଼ିକ ଅଡ଼ିବସିଛନ୍ତି। ସରକାର ବିତର୍କ କରାଇବା ପରିବର୍ତ୍ତେ ପଳାୟନ ପନ୍ଥା ଆପଣାଇଥିବା କଂଗ୍ରେସ ଏମ୍‌ପି କେ.ସି. ବେଣୁଗୋପାଳ ସମାଲୋଚନା କରିଛନ୍ତି। ପ୍ରକାଶ ଯେ, ମୋଦି ସରକାର ୨୦୧୪ରେ କ୍ଷମତାକୁ ଆସିବା ପରଠାରୁ କେନ୍ଦ୍ରରେ ଆଦାନୀ ଗ୍ରୁପ୍‌କୁ ଅନୁଗ୍ରହ ଓ ଅନୁକମ୍ପାରେ ପୋତି ଆସିଛନ୍ତି। ଏଥିପାଇଁ ଶିଳ୍ପପତି ଗୌତମ ଆଦାନୀଙ୍କ କମ୍ପାନୀ ଭାଜପାକୁ କେତେ ଟଙ୍କା ଦେଇଛି ବୋଲି ମଙ୍ଗଳବାର ଲୋକ ସଭାରେ ଓ୍ବାୟନାଡ୍‌ ଏମ୍‌ପି ରାହୁଲ ଗାନ୍ଧୀ ପ୍ରଶ୍ନ କରିଥିଲେ। ଏଥିପାଇଁ ରାହୁଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବା ଉଚିତ ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଜୋଷୀ ଦାବି କରିଛନ୍ତି।

Share