Categories: ବାଣିଜ୍ୟ

ଦେଶର ୨ୟ ବୃହତ୍‌ ଉଦ୍ୟୋଗ ଆଦାନୀ ସମୂହ

ନୂଆଦିଲ୍ଲୀ,୨୫।୮: ଗତ କିଛି ବର୍ଷ ମଧ୍ୟରେ ଆଦାନୀ ଗ୍ରୁପ୍‌ ସମଗ୍ର ବିଶ୍ୱର ଏକ ପ୍ରମୁଖ ଉଦ୍ୟୋଗ ଭାବେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ଏପରିକି ଆଦାନୀ ଗ୍ରୁପ୍‌ର ଚେୟାରମ୍ୟାନ୍‌ ଗୌତମ ଆଦାନୀ ମଧ୍ୟ ଗୋଟିଏ ପରେ ଗୋଟିଏ କମ୍ପାନୀ କ୍ରୟ ସାଙ୍ଗକୁ ଦିନକୁ ଦିନ ନୂଆ ରେକର୍ଡର ମଧ୍ୟ ଅଧିକାରୀ ହେଉଛନ୍ତି। ନିକଟରେ ରିଲାଏନ୍ସ ଗ୍ରୁପ୍‌ର ଅଧ୍ୟକ୍ଷ ମୁକେଶ ଅମ୍ବାନୀଙ୍କୁ ପଛରେ ପକାଇ ଏସିଆ ମହାଦେଶର ଏକ ନମ୍ବର ଧନୀ ତାଲିକାଠାରୁ ନେଇ ବିଶ୍ୱ ଧନୀ ବ୍ୟକ୍ତି ପର୍ଯ୍ୟନ୍ତ ଗୋଟିଏ ପରେ ଗୋଟିଏ ସଫଳତା ହାସଲ କରିବାରେ ଲାଗିଛନ୍ତି।

ସେହିଭଳି ଜାତୀୟ ଗଣମାଧ୍ୟମର ସୂଚନା ଅନୁଯାୟୀ ବର୍ତ୍ତମାନ ଆଦାନୀ ଗ୍ରୁପ୍‌ ଦେଶର ଦ୍ୱିତୀୟ ସର୍ବବୃହତ୍‌ ବ୍ୟବସାୟିକ ଗ୍ରୁପ୍‌ର ମାନ୍ୟତା ମଧ୍ୟ ହାସଲ କରିଛି। ଫଳରେ ଟାଟା ଗ୍ରୁପ୍‌ ପରେ ଆଦାନୀ ଦେଶର ୨ୟ ବୃହତ୍‌ ଉଦ୍ୟୋଗ ସମୂହରେ ପରିଣତ ହୋଇଛି। ସେହିପରି ବଜାର ପୁଞ୍ଜୀକରଣରେ ମଧ୍ୟ ଆଦାନୀ ସମୂହ ଦେଶର ଦ୍ୱିତୀୟ ବୃହତ୍‌ ବ୍ୟବସାୟିକ ଗ୍ରୁପ୍‌ରେ ପରିଣତ ହୋଇଛି। ଏପରିକି ଆଦାନୀ ରିଲାଏନ୍ସ ଗ୍ରୁପ୍‌କୁ ପଛରେ ପକାଇ ଦେଇଛି। ଆଦାନୀ ସମୂହ କମ୍ପାନୀଙ୍କ ମୋଟ ସଂଯୁକ୍ତ ବଜାର ପୁଞ୍ଜୀକରଣ ୧୯.୪୦ ଟ୍ରିଲିୟନ ଟଙ୍କାରେ ପହଞ୍ଚତ୍ଛି। ଏଥିରେ ଅମ୍ବାନୀ ସମୂହଙ୍କ ମିଳିତ ବଜାର ପୁଞ୍ଜୀକରଣ ୧୭.୮୯ ଟ୍ରିଲିୟନ ଟଙ୍କାରେ ଥିବା ଜଣାପଡ଼ିଛି। ତେବେ ୨୧.୭୩ ଟ୍ରିଲିୟନ ବଜାର ପୁଞ୍ଜୀକରଣ ସହ ଟାଟା ଗ୍ରୁପ୍‌ ଦେଶର ସର୍ବବୃହତ୍‌ ଉଦ୍ୟୋଗ ଗ୍ରୁପ୍‌ ହୋଇ ରହିଛି।

Share